କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ଜୋରଦାର ଆକ୍ରମଣ କରି କହିଛନ୍ତି, କରୋନା ମହାମାରୀ ସମୟରେ ରାଜନୈତିକ ଫାଇଦା ପାଇଁ କଂଗ୍ରେସ କାମ କରିଛି । କଟାକ୍ଷ କରି କହିଛନ୍ତି, କଂଗ୍ରେସକୁ ଆଇନା ଦେଖାଇଲେ ଓଲଟା ସେମାନେ ଭାଙ୍ଗିଦିଅନ୍ତି । କରୋନା ସଙ୍କଟ ସମୟରେ କଂଗ୍ରେସ ସବୁ ସୀମା ଅତିକ୍ରମ କରିଯାଇଥିଲା ଏବଂ ମହା ଅପରାଧ କରିଥିଲା ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି ।

Advertisment

ମୁମ୍ବାଇରେ ଦାଦନ ଶ୍ରମିକଙ୍କୁ ମାଗଣା ଟିକେଟ ଦେଇ ସହର ଛାଡିବାକୁ  ଉସୁକାଇଥିବା କହିଛନ୍ତି ମୋଦି । ସେ ଆହୁରି କହିଛନ୍ତି, କଂଗ୍ରେସରେ କିଛି ଲୋକ ଚିନ୍ତା କରୁଥିଲେ ଯେ କରୋନା ମହାମାରୀ ତାଙ୍କ ଭାବମୂର୍ତିକୁ ନଷ୍ଟ କରିଦେବ ଓ ବିଜେପି ସରକାର ବୁଡିଯିବ । ଏହାପରେ ଦିଲ୍ଲୀର ଶାସକ ଦଳ ଆମ ଆଦମୀ ପାର୍ଟି ଏବଂ ମହାରାଷ୍ଟ୍ରର ମେଂଟ ସରକାରରେ ସାମିଲ୍ ଥିବା ରାଜନୀତିକ ଦଳ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ମିଛ ବୋଲି କହିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ସଂସଦରେ ଯେଉଁ ବୟାନ ଦେଇଛନ୍ତି ସେଥିରେ ସତ୍ୟତା ନାହିଁ । ଏହା ସଂପୂର୍ଣ୍ଣ ମିଛ । ସେହିପରି କଂଗ୍ରେସ ନେତା ରଣଦୀପ ସୁରଜେୱାଲା କହିଛନ୍ତି, ହଠାତ୍ ଲକଡାଉନ ଲଗାଇବାରୁ ଅନେକ ଶ୍ରମିକ ଅଡୁଆରେ ପଡିଛନ୍ତି । ପ୍ରଧାନମନ୍ତ୍ରୀ କ୍ଷମା ମାଗିବା ପରିବର୍ତେ ଶ୍ରମିକଙ୍କୁ ସହଯୋଗର ହାତ ବଢାଇଥିବା କଂଗ୍ରେସ ଉପରେ ପ୍ରଶ୍ନ ଉଠାଇଛନ୍ତି ।