ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ ପାଇଁ ଚାଲିଛି ଜୋରଦାର ଅଭ୍ୟାସ ! ମଂଚ ଉପରେ ଦେଖିବାକୁ ମିଳିବ ୧୫ଟି ଦେଶ ସହ ଓଡିଶା ସଂସ୍କୃତିର ଝଲକ ।

181

କନକ ବ୍ୟୁରୋ : ଆସନ୍ତା ୨୮ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍ ମହାସମର । ତେବେ ଏହାପୂର୍ବରୁ ଆସନ୍ତାକାଲି ରହିଛି ଉଦଘାଟନୀ ଉତ୍ସବ । ଅଢେଇ ଘଂଟାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ଷ୍ଟାଡିଅମରେ ଚାଲିଛି ଜୋରଦାର ଅଭ୍ୟାସ । କିଙ୍ଗଖାନ୍ ଶାହରୁଖ, ମାଧୁରୀ ଦିକ୍ଷିତ ଓ ଏ. ଆର ରେହମାନଙ୍କ ସହ ମଂଚ ଉପରୁ ଦର୍ଶକଙ୍କୁ ନଚାଇବେ ଓଲିଉଡର ସୁପରହିଟ୍ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା । ଏଥିସହ ୮ଶହରୁ ଅଧିକ କଳାକାର ନିଜ ନିଜ ରାଜ୍ୟର ସଂସ୍କୃତିକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରିବେ ।

ମଂଚ ଉପରେ ଚାଲିଛି ରିହର୍ସାଲ । ଡାନ୍ସ ଷ୍ଟେପ୍ ସହ ଡାଏଲଗ୍ ଅଭ୍ୟାସ । ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବରେ ନିଜେ ନାଚିବେ ଆଉ ଦର୍ଶକଙ୍କୁ ବି ନଚାଇବେ, ମାଧୁରୀ ଦିକ୍ଷିତଙ୍କ ସମେତ ଓଲିଉଡର ଦୁଇ ସୁପରହିଟ୍ ଯୋଡି ସବ୍ୟସାଚୀ ଏବଂ ଅର୍ଚ୍ଚିତା । ମଂଚ ଉପରକୁ ଏ.ଆର ରେହମାନ ଆସିବା ପୂର୍ବରୁ ୪୦ ମିନିଟ୍ ଧରି ଦର୍ଶକଙ୍କୁ ଡାନ୍ସ ମାଧ୍ୟମରେ ବିଭୋର କରିବେ ଏହି ତାରକା ଯୋଡି । ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଥିମରେ ଦୁଲୁକିବ ଷ୍ଟେଜ୍ । ମଂଚ ଉପରେ ଦେଖିବାକୁ ମିଳିବ ୧୫ଟି ଦେଶ ସହ ଓଡିଶା ସଂସ୍କୃତିର ଝଲକ ।

ଶାସ୍ତ୍ରୀୟ ଓ ପାଶ୍ଚାତ୍ୟର ସଙ୍ଗମ ସହ ସୃଷ୍ଟି ହେବ ନୂଆ ଇତିହାସ । ପୂର୍ବରୁ ପଶ୍ଚିମ ଯାଏଁ ସଭିଙ୍କୁ ଏକତାର ସୂତାରେ ଯୋଡିବ ଇଷ୍ଟ ଟୁ ୱେଷ୍ଟ । ଭୂଦେବୀ ନୃତ୍ୟରେ ସମସ୍ତଙ୍କ ମନ ମୋହିବେ ଶିଆମକ-ଅରୁଣା ମହାନ୍ତି ଯୋଡି । ନିଜ ନିଜ ଅଂଚଳର ସଂସ୍କୃତିକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରିବେ ୮ ଶହ କଳାକାର । ଜାକ୍ ଏବଂ ପାଶ୍ଚାତ୍ୟ ଶୈଳୀର ଡାନ୍ସ ବି ଦେଖିବେ ଦର୍ଶକ । ଏଥିସହ ଅଫ୍ରିକାନ୍ କଲଚରାଲ ଡାନ୍ସ, ରାଜସ୍ଥାନ ଭବାଇ ଡାନ୍ସ ଦର୍ଶକଙ୍କ ମନ ମୋହିବ । ଏକତାର ବାର୍ତା ଦେବ ଦି ଆର୍ଥ ସଙ୍ଗ । ହକି ପ୍ରେମରେ ପାଗଳ ହେଲାଣି ଓଡିଶା । ସମସ୍ତଙ୍କୁ ଘାରିଛି ହକି ଫିଭର । ଆଉ ମ୍ୟାଚ୍ ପୂର୍ବରୁ ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ ଏହି ତାତିକୁ ଆହୁରି ବଢାଇଦେଇଛି ।