କନକ ବ୍ୟୁରୋ : ଓମିକ୍ରନ ବିରୋଧରେ କାମ କରିନପାରେ କପଡା ମାସ୍କ । ସାରା ବିଶ୍ୱରେ ଓମିକ୍ରନ ସଂକ୍ରମଣ ବଢୁଥିବା ବେଳେ ଏନେଇ ଚେତାଇ ଦେଇଛନ୍ତି ବିଶେଷଜ୍ଞ । ଏବଂ ଓମିକ୍ରନ ଭୂତାଣୁ ସଂକ୍ରମଣ ରୋକିବା ଦିଗରେ କପଡା ମାସ୍କ କାମ କରିନପାରେ ବୋଲି କହିଛନ୍ତି । ଏହାସହ କପଡା ମାସ୍କ ବଦଳରେ ୩ ଲେୟାର ମେଡିକାଲ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । କୌଣସି ସ୍ୱାସ୍ଥ୍ୟ ନିୟାମକରେ ଏହି କପଡା ମାସ୍କ ତିଆରି ହେଉନଥିବା ବିଶେଷଜ୍ଞ କହିଛନ୍ତି ।
ଏନ୍-୯୫ମାସ୍କ ୯୫ପ୍ରତିଶତ ପର୍ଯ୍ୟନ୍ତ କରୋନା ସଂକ୍ରମଣ ରୋକିବାରେ ସଫଳ ବୋଲି ପୂର୍ବରୁ କୁହାଯାଇଛି । ଏବଂ ଏନ୍-୯୫ମାସ୍କ ସ୍ୱାସ୍ଥ୍ୟ ନିୟାମକକୁ ଆଧାର କରି ପ୍ରସ୍ତୁତ କରାଯାଇଛି । ସେହିପରି ଏହି କପଡା ମାସ୍କ ତିଆରିରେ କୌଣସି ସ୍ୱାସ୍ଥ୍ୟ ନିୟାମକକୁ ଆଧାର କରାଯାଇନାହିଁ । ତେଣୁ ଏହା ଓମିକ୍ରନ ବିରୋଧରେ କାମ କରିନପାରେ ବୋଲି ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ କହିଛନ୍ତି ।
ଅନ୍ୟପଟେ ବରିଷ୍ଠ ଡାକ୍ତର ନିରୋଜ ମିଶ୍ର କହିଛନ୍ତି, ୩ ଲେୟାର ବିଶିଷ୍ଟ ୨ଟି ମାସ୍କ ପିନ୍ଧିବା ଆବଶ୍ୟକ । ଏହାଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ୮୦ରୁ ୮୫ ପ୍ରତିଶତ ପର୍ଯ୍ୟନ୍ତ କମିଯାଇପାରେ । ୩ ଲେୟାର ବିଶିଷ୍ଟ ସର୍ଜିକାଲ ମାସ୍କ ପିନ୍ଧିଲେ ଏନ-୯୫ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ ।