ଏପ୍ରିଲରୁ ଫିଟନେସ୍ ପ୍ରମାଣପତ୍ର ନବୀକରଣ ମହଙ୍ଗା । ପୁରୁଣା କାର, ଭାରୀଯାନ କ୍ଷେତ୍ରରେ ହେବ ଲାଗୁ

85

କନକ ବ୍ୟୁରୋ : କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଗାଡ଼ି ସ୍କ୍ରା‌ପେଜ୍ ନୀତି ସମ୍ପର୍କିତ ଏକ ବିଜ୍ଞପ୍ତି ଜାରି କରାଯାଇଛି । ପନ୍ଦର ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକ ପାଇଁ ବିଭିନ୍ନ ଫି’ରେ ବୃଦ୍ଧି ଘୋଷଣା କରାଯାଇଛି । ଏହି ବର୍ଗର ଗାଡ଼ିଗୁଡ଼ିକର ଫିଟ୍‌ନେସ୍‌ ପରୀକ୍ଷା, ଫିଟ୍‌ନେସ୍ ସାର୍ଟିଫିକେଟ୍ ପାଇଁ ଆବେଦନ ଓ ପଞ୍ଜୀକରଣର ନବୀକରଣ ଫି’କୁ ବୃଦ୍ଧି କରାଯାଇଛି । ପୁରୁଣା ଗାଡ଼ିର ପଞ୍ଜୀକରଣ ନବୀକରଣ ଫି’‌ରେ ୮ ଗୁଣା ବୃଦ୍ଧି ହୋଇଛି । ପୁରୁଣା କାର୍‌ ପଞ୍ଜୀକରଣ ନବୀକରଣ ଲାଗି ୫୦୦୦ ଟଙ୍କା ଦେବାକୁ ପଡ଼ିବ। ବର୍ତ୍ତମାନ ଏହି ଫି’ ମାତ୍ର ୬୦୦ ଟଙ୍କା ରହିଛି । ପୁରୁଣା ବାଇକ୍‌ ପାଇଁ ଏହି ଫି’କୁ ୩୦୦ ଟଙ୍କାରୁ ବଢ଼ାଇ ୧୦୦୦ ଟଙ୍କା କରାଯାଇଛି। ୧୫ ବର୍ଷରୁ ଅଧିକ ପୁରୁଣା ବସ୍ ଓ ଟ୍ରକ୍‌ର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନବୀକରଣ ଫି’କୁ ବର୍ତ୍ତମାନର ୧୫୦୦ ଟଙ୍କାରୁ ବଢ଼ାଇ ୧୨,୫୦୦ ଟଙ୍କା କରାଯାଇଛି ।

ପଞ୍ଜୀକରଣ ନବୀକରଣରେ ବିଳମ୍ବ ହେଲେ ପ୍ରାଇଭେଟ୍ ଗାଡ଼ି ଲାଗି ମାସିକ ଅତିରିକ୍ତ ୩୦୦ ଟଙ୍କା ଓ କମର୍ସିଆଲ୍ ଗାଡ଼ି ପାଇଁ ୫୦୦ ଟଙ୍କା ଫି’ ଲାଗିବ । ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନବୀକରଣରେ ବିଳମ୍ବ ପାଇଁ ପ୍ରତିଦିନ ୫୦ ଟଙ୍କା ଗଣିବାକୁ ପଡ଼ିବ । ପ୍ରା‌ଇଭେଟ୍‌ ଗାଡ଼ି ୧୫ ବର୍ଷ ପୁରୁଣା ହେଲେ ଗାଡ଼ି ମାଲିକଙ୍କୁ ପ୍ରତି ୫ ବର୍ଷରେ ଥରେ ପଞ୍ଜୀକରଣ ନବୀକରଣ କରିବାକୁ ପଡ଼ିବ । ଗାଡ଼ି ୮ ବର୍ଷ ପୁରୁଣା ହେଲେ ପ୍ରତିବର୍ଷ ତାହାର ଫିଟ୍‌ନେସ୍ ସାର୍ଟିଫିକେଟ୍‌ ନବୀକରଣ କରିବାକୁ ପଡ଼ିବ । ନୂଆ ଗାଡ଼ି କିଣିବା ‌ବେଳେ ସ୍ବୀକୃତିପ୍ରାପ୍ତ ଗାଡ଼ି ସ୍କ୍ରାପେଜ୍‌ ସେଣ୍ଟର୍‌ ଜାରି କରିଥିବା ସାର୍ଟିଫିକେଟ୍ ଅଫ୍‌ ଡିପୋଜିଟ୍‌ (ସିଓଡି) ଦାଖଲ କଲେ ପଞ୍ଜୀକରଣ ସାର୍ଟିଫିକେଟ୍‌ ଫି’ ସମ୍ପୂର୍ଣ୍ଣ ଉଚ୍ଛେଦ ହେବ । ଫି’ରେ ଅଣାଯାଇଥିବା ପରିବର୍ତ୍ତନ ୨୦୨୨ ଏପ୍ରିଲ୍‌ ୧ରୁ ଲାଗୁ ହେବ ।