କନକ ବ୍ୟୁରୋ: ଗୋଟିଏ ପାଦରେ ଚାଲିବାର ଯନ୍ତ୍ରଣା ଯିବ, ଗୋଟିଏ ଗୋଡରେ ଆଗକୁ ବଢିବାର, ଗୋଟିଏ ହାତରେ ନିଜ କାମ କରିବାର କଷ୍ଟ ବି ଦୂରେଇ ଯିବ । ଅନ୍ୟମାନଙ୍କ ପରି ଦୁଇ ଗୋଡରେ ଚାଲିବେ ଦିବ୍ୟାଙ୍ଗ । ସକ୍ଷମଙ୍କ ପରି ଦୁଇ ହାତ ହାତରେ କଷ୍ଟକୁ ହରାଇବେ ହାତ ହରେଇଥିବା ବ୍ୟକ୍ତି । ଦୁର୍ଘଟଣା ଜନିତ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଯଦି କେହି ହାତ, ପାଦ, ଗୋଡ ହରାଇଥାନ୍ତି ତେବେ ସେମାନଙ୍କ ପାଇଁ ଖୁସି ଖବର । ଦିବ୍ୟାଙ୍ଗଙ୍କ ପାଇଁ ବରଦାନ ସାଜିଛି ରାଉରକେଲାର ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର । ଯେଉଁଠି ଦିବ୍ୟାଙ୍ଗ, ଅସହାୟ, ବେସାହାରା ମାନଙ୍କ ମାଗଣା ଚିକିତ୍ସା କରାଯାଉଛି ଏବଂ ସେମାନଙ୍କୁ କୃତିମ୍ର ଅଙ୍ଗ ଯୋଗାଇ ଦିଆଯାଉଛି ।
ପଶ୍ଚିମ ଓଡିଶାର ଦିବ୍ୟାଙ୍ଗମାନଙ୍କୁ ସହାୟତା କରି ସେମାନଙ୍କୁ ଏକ ନୂଆ ଜୀବନ ଦେବା ଏବଂ ସଶକ୍ତ କରିବା ଲକ୍ଷ୍ୟରେ ୧୯୯୩ ମସିହାରେ ପ୍ରତିଷ୍ଠା ହୋଇଥିଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଏଯାଏଁ ୬୦୦ରୁ ଅଧିକ ଲୋକଙ୍କୁ ସାହାଯ୍ୟ କରାଗଲାଣି । ଗତ ୫ ବର୍ଷ ଭିତରେ ସୁନ୍ଦରଗଡରୁ ୫୭, ଝାରସୁଗୁଡାରୁ ୨୩ ଏମିତି ବିଭିନ୍ନ ଜିଲ୍ଲାରୁ ଅନେକ ଦିବ୍ୟାଙ୍ଗ ଏଠାରେ କୃତ୍ରିମ ଅଙ୍ଗ ଲଗାଇ ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରୁଛନ୍ତି ।
ଶରୀରର କୌଣସି ଅଙ୍ଗ ହରାଇ ଜୀବନକୁ ତୁଚ୍ଛ ଭାବୁଥିବା, ଜୀବନକୁ ମୂଲ୍ୟହୀନ ଭାବୁଥିବା ଦିବ୍ୟାଙ୍ଗ, ଅସହାୟଙ୍କୁ ସାହାଯ୍ୟ କରି ସେମାନଙ୍କ ମୁହଁରେ ହସ ଫୁଟାଉଥିବା ପୁନର୍ବାସକୁ ସବୁଆଡୁ ଛୁଟୁଛି ଶୁଭେଚ୍ଛା ।