ରେଙ୍ଗାଲୀରୁ ସମ୍ବଲପୁର ନବୀନଙ୍କ ରୋଡସୋ’ । ନିର୍ବାଚନୀ ସଭାରୁ ଟାର୍ଗେଟ କରି କହିଲେ, ଚଳିତ ନିର୍ବାଚନରେ କିଙ୍ଗ ମେକର ସାଜିବ ଆଂଚଳିକ ଦଳ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଛାନିଆ ହୋଇପଡିଛି ବିଜେପି; ହତୋତ୍ସାହ ହୋଇ ଭାଙ୍ଗୁଛନ୍ତି ଇଭିଏମ

122

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର । ରେଙ୍ଗାଲିରୁ ସମ୍ବଲପୁର ଯାଏଁ ଏକ ବିଶାଳ ରୋଡ୍ ସୋ’କୁ ସମ୍ବୋଧିତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ରୋଡ୍ ସୋ ସମୟରେ ବିଭିନ୍ନ ଛକ ଏବଂ ଗାଁରେ ଅଟକି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗୁଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବିଶାଳ ରାଲିରେ ସ୍ୱତଃପ୍ରବୃତ ଭାବରେ ଲୋକମାନେ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ଆଜି ସକାଳୁ ମୁଖ୍ୟମନ୍ତ୍ରୀ ତାଳଚେର ଏବଂ ଛେଣ୍ଡିପଦାରେ ପ୍ରଚାର କରିବା ପରେ ଭୁବନେଶ୍ୱର ଫେରି ବରିଷ୍ଠ ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଇଥିଲେ । ଏହା ପରେ ପୁଣି ରେଙ୍ଗାଲିରେ ପହଂଚି ସମ୍ବଲପୁର ଯାଏଁ ରୋଡ୍ ସୋ’ କରୁଛନ୍ତି ମୁଖ୍ୟମନ୍ତ୍ର । ସମ୍ବଲପୁରରେ ମା’ ସମ୍ବଲେଶ୍ୱରୀଙ୍କ ମନ୍ଦିର ଯାଇ ଠାକୁରାଣୀ ଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । କିନ୍ତ ଏହାପୂର୍ବରୁ ତାଳଚେର ଏବଂ ଛେଣ୍ଡିପଦାରେ କେନ୍ଦ୍ର ସରକାରଙ୍କ ସିଧାସଳଖ ଟାର୍ଗେଟ୍ କରିଛନ୍ତି ।

କେହି ପାରିବେନି ସଂଖ୍ୟା ଗରିଷ୍ଠତା । କିଙ୍ଗ୍ ମେକର ସାଜିବେ ଆଂଚଳିକ ଦଳ । କେନ୍ଦ୍ର ରାଜନୀତି ଏବଂ ଜାତୀୟ ଦଳ ଗୁଡ଼ିକର ଫଳାଫଳ ସଂପର୍କରେ ଏଭଳି କିଛି ଆକଳନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଳଚେର, ରେଙ୍ଗାଲି, ଛେଣ୍ଡିପଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିଥିବା ନବୀନ ପଟ୍ଟନାୟକ, ଦେଶର ରାଜନୀତିରେ ଆଂଚଳିକ ଦଳ କିଙ୍ଗ୍ ମେକର୍ ଭୂମିକାରେ ନଜର ଆସିବେ ବୋଲି ଦୃଢ଼ତା ପ୍ରକାଶ କରିଛନ୍ତି ।

ବିଜେପି ଉପରେ ବର୍ଷିଲେ ନବୀନ । ଇଭିଏମ୍ ଭଙ୍ଗା ଘଟଣାକୁ କଲେ ନିନ୍ଦା । ସୋରଡ଼ାରେ ବିଜେପି ପ୍ରାର୍ଥୀଙ୍କ ଇଭିଏମ୍ ଭାଙ୍ଗିବା ଘଟଣାକୁ ନିନ୍ଦା କରିବା ସହ ସିଧାସଳଖ ବିଜେପିକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି- ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଓଡ଼ିଶାରେ ବିଜେପି ଛାନିଆ ହୋଇଯାଇଛି । ଆଉ ପରାଜୟ ଭୟରେ ବିଜେପି ଇଭିଏମ୍ ଭାଙ୍ଗିବା ଆରମ୍ଭ କରିଦେଇଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।

କୋଇଲା ରୟାଲଟିର ହିସାବ ମାଗିଲେ ନବୀନ । ପଚାରିଲେ-୫ ମିନିଟର କାମ ୫ ବର୍ଷରେ କାହିଁକି ହେଲାନି? କୋଇଲା ରୟାଲଟି ନିୟମରେ କାହିଁକି ସଂଶୋଧନ ହୋଇପାରୁନାହିଁ ବୋଲି କେନ୍ଦ୍ରର ମୋଦି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ନବୀନ । କହିଛନ୍ତି-୫ ମିନିଟ୍ କାମ ୫ବର୍ଷ ଯାଏଁ କାହିଁକି ହୋଇ ପାରିଲା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ନବୀନ କହିଛନ୍ତି- କେନ୍ଦ୍ର ସରକାର କୋଇଲାରୁ ହଜାର ହଜାର କୋଟି ଲାଭ ପାଉଥିବା ବେଳେ ଓଡ଼ିଶାକୁ ମିଳୁଛି କେବଳ ପ୍ରଦ୍ୟୁଷଣ ଏବଂ ଧୂଳି ।

ତେବେ ମୋଦି ସରକାରଙ୍କ ବିଫଳତା ଏବଂ ରାଜ୍ୟ ସରକାରଙ୍କ ସଫଳତାକୁୁ ପାଥେୟ କରି ଆଜି ଢ଼େଙ୍କାନାଳ ଏବଂ ସମ୍ବଲପୁର ଲୋକସଭା କ୍ଷେତ୍ରରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।