ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ । ଘଂଟାଏ ବର୍ଷା ସାଙ୍ଗକୁ ଭିଷଣ ଝଡତୋଫାନ । ୫୦ରୁ ୬୦ କିମି ବେଗରେ ପବନ ବୋହିବା ସହ ବିଭିନ୍ନ ସ୍ଥାନରେ ଭାଙ୍ଗି ପଡିଛି ଗଛ

31

କନକ ବ୍ୟୁରୋ: ଦିନରେ ଖରା ଆଉ ରାତି ହେଲେ କାଳବୈଶାଖୀର ତାଣ୍ଡବ । ପ୍ରବଳ ବର୍ଷା ସାଙ୍ଗକୁ ଝଡତୋଫାନ । ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ଘଂଟାଏ ଧରି ପ୍ରବଳ ବର୍ଷା ହୋଇଛି । ପାଖାପାଖି ୫୦ରୁ ୬୦ କିମି ବେଗରେ ପବନ ବୋହିବା ସହ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଯାଇଛି । ପ୍ରବଳ ବର୍ଷା ଯୋଗୁଁ ରାତିରେ ଅନେକ ସ୍ଥାନରେ ଠପ୍ ହୋଇଯାଇଥିଲା ଯାତାୟତ । ରାସ୍ତାରେ ଅଟକି ରହିଥିଲା ଗାଡି ମୋଟର । ଝଡବର୍ଷା ସହ ବଜ୍ରପାତ ବି ହୋଇଛି । ରାଜ୍ୟର ଅନେକ ସ୍ଥାନରେ ଏଭଳି କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଥିଲା । କଟକରେ ମଧ୍ୟରେ ଗତକାଲି କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା ।

ସାରା ରାଜ୍ୟରେ କାଳବୈଶାଖୀ ତାଣ୍ଡବରେ ପୁରୀରେ ବି ପ୍ରବଳ ବର୍ଷା ହୋଇଛି । ବର୍ଷା ସହ ଘଡଘଡି ହୋଇଥିଲା । ପୁରୀରେ ରାଜ୍ୟର ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ସହରରେ ୯୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସମୁଦ୍ର ଅଶାନ୍ତ ରହି କୂଳ ଖାଉଛି । ପର୍ଯ୍ୟଟକଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । କାଳବୈଶାଖୀ ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇଛି । କିନ୍ତୁ ଆହୁରି ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ । ସେପଟେ ବାଲେଶ୍ୱରରେ ବି କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଗତକାଲି ବାଲେଶ୍ୱରରେ ପ୍ରବଳ ବର୍ଷା ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିଥିଲା । ବର୍ଷା ସହ ଘଡଘଡି ଯୋଗୁଁ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଆଜି ବି ପାଣିପାଗ ବିଭାଗ ପକ୍ଷରୁ କାଳବୈଶାଖୀର ଚେତାବନୀ ଦିଆଯାଇଛି ।

ସେପଟେ ଗତ ଦୁଇଦିନ ଧରି କାଳବୈଶାଖୀ ଅସ୍ତରଂଗରେ ପାନଚାଷୀଙ୍କ ଫସଲ ଉଜାଡିଦେଇଛି । କାଳବୈଶାଖୀ ବର୍ଷା ଓ ପବନରେ ନଷ୍ଟ ହୋଇଯାଇଛି ପାନବରଜ । ଧାର କରଜ କରି ଚାଷୀ, ପାନବରଜ କରିଥିଲା । ହେଲେ ଶେଷ ପର୍ଯ୍ୟାୟରେ ସବୁ ମାଟିରେ ମିଶିଯାଇଛି । ରାତିରେ ମହ ମହ ବାସୁଥିବା ସବୁଜ ପାନବରଜ ରାତି ପାହିଲା ବେଳକୁ ମାଟିରେ ମିଶିଯାଇଛି । ଉଜୁଡି ଯାଇଛି ଚାଷୀର ସ୍ୱପ୍ନ । କାଳବୈଶାଖୀ ବର୍ଷା ଓ ଝଡ ତୋଫାନରେ ଫସଲ ଉପରେ ମାଡି ବସିଥିଲା ପାନ ଦଲମ । ମାଟିରେ ଶୋଇ ଯାଇଛି ଚାଷୀର ସୁନାର ଫସଲ ।

ଡହ ଡହ ଖରାରୁ ପାନ ପତ୍ରକୁ ବଂଚାଇବାକୁ ତିଆରି ହୋଇଥିଲା ଦଲମ । ଧାର କରଜ କରି ଫସଲରେ ପାଣି ଓ କୀଟନାଶକ ଦେଇଥିଲା ଚାଷୀ । ପାନ ବରଜରେ କଅଁଳ ପତ୍ର ମହକି ଉଠୁଥିଲା । ଶେଷ ପର୍ଯ୍ୟାୟରେ ଥିଲା ଫସଲ । ଆଉ ଦିନ କେଇଟା ପରେ ପତ୍ର ତୋଳି ବିକ୍ରି କରିଥାନ୍ତା । ହେଲେ କାଳବୈଶାଖୀ ସବୁ ଛାରଖାର କରିଦେଇଛି ।ପ୍ରକୃତିର କରାଳ ରୂପ ଚାଷୀ ଉପରେ ଦାଉ ସାଜିଛି । ଶେଷ ପର୍ଯ୍ୟାୟରେ ଶେଷ ହୋଇଯାଇଛି ଚାଷୀର ରୋଜଗାର ।