ନାମାଙ୍କନ ପୂର୍ବରୁ ଟିକା ଟିପ୍ପଣୀ ମନା। ଦଳୀୟ ନେତାଙ୍କୁ କଂଗ୍ରେସର ଚରମବାଣୀ।

82

କନକ ବ୍ୟୁରୋ: ଦୀର୍ଘ ୨୨ ବର୍ଷ ପରେ ହେବାକୁ ଯାଉଛି କଂଗ୍ରେସରେ ସଭାପତି ପଦ ପାଇଁ ନିର୍ବାଚନ । ଶନିବାରଠୁ ଆରମ୍ଭ ହେଉଛି ନାମାଙ୍କନ ପ୍ରକ୍ରିୟା । ହେଲେ ଏହା ପୂର୍ବରୁ ଆଶାୟୀ ପ୍ରାର୍ଥୀ ଶଶୀ ଥରୁରଙ୍କୁ ନେଇ ମୁଖପାତ୍ର ଗୌରବ ବଲ୍ଲଭ ଏକ କଡା ମନ୍ତବ୍ୟ ଦେଇଥିଲେ । ଏପରି ଆକ୍ଷେପ ପ୍ରତିଆକ୍ଷେପ ଯଦି ଜାରି ରୁହେ ତାହେଲେ ଦଳର ଶୀର୍ଷ ନେତା ଅଡୁଆରେ ପଡିବାର ସମ୍ଭାବନା ରହିଛି । ତେଣୁ ଏହି ପ୍ରସଙ୍ଗକୁ ନେଇ ସକ୍ରିୟ ହୋଇଛି ଏଆଇସିସି । ଆଉ ଦଳର ମୁଖପାତ୍ର, ନେତା, ଦଳୀୟ ଅଫିସ କର୍ମଚାରୀ ଯେପରି କୌଣସି ପ୍ରାର୍ଥୀଙ୍କୁ ନେଇ ଅରୁଚିକର ମନ୍ତବ୍ୟ ନ ଦେବାକୁ ତାଗିଦ କରିଛି ।

କଂଗ୍ରେସର ପରିବାରବାଦ ରାଜନୀତିକୁ ନେଇ ବିଜେପି ନିଜର ଭୋଟ୍ ବ୍ୟାଙ୍କ ବୃଦ୍ଧି କରିବା ସହ ବିଭିନ୍ନ ସମୟରେ କଂଗ୍ରେସକୁ ଟାର୍ଗେଟ କରିଛି । ଆଉ ଯାହାକୁ ଏବେ ବ୍ରେକ୍ ଦେବାକୁ ଚେଷ୍ଟା କରିଛି କଂଗ୍ରେସ । ତେଣୁ ଅଧ୍ୟକ୍ଷ ପଦ ପାଇଁ ମନୋନୟନ ପରିବର୍ତ୍ତେ ନିର୍ବାଚନ କରି କଂଗ୍ରେସ ଏକମାତ୍ର ଦଳ ଯେଉଁଠି ସଭାପତି ପଦ ପାଇଁ ନିର୍ବାଚନ ହୁଏ ବୋଲି ବାର୍ତା ଦେବାକୁ ପ୍ରୟାସ କରିଛି ।

ଶନିବାରଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଘରେ ନେତାଙ୍କ ଭିଡ ଜମୁଛି । ଅଶୋକ ଗେହଲଟ ଏବଂ ଶଶୀ ଥରୁର ସୋନିଆଙ୍କୁ ପୂର୍ବରୁ ଭେଟିିଥିଲେ । ହେଲେ ଏବେ ଭାରତ ଯୋଡୋ ଯାତ୍ରା ଛାଡି ଦଶ ଜନପଥରେ ସୋନିଆଙ୍କୁ ଭେଟିଛନ୍ତି ଦଳର ମହାସଚିବ କେ ସି ବେଣୁଗୋପାଳ । ସେହିପରି ମଲ୍ଲିକାର୍ଜୁନ ଖାଡଗେ, ସୁଶୀଲ କୁମାର ସିନ୍ଦେ ମଧ୍ୟ ନାମାଙ୍କନ ଦାଖଲ କରିପାରନ୍ତି ।

ଶନିବାରଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ୩୦ ସେପ୍ଟେମ୍ବରରେ ଶେଷ ହେବାକୁ ଯାଉଛି । ଆଉ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ତାରିଖ ଅକ୍ଟୋବର ୮ ରହିଛି । ଯଦି ଏକରୁ ଅଧିକ ନାମାଙ୍କନ ପତ୍ର ଦାଖଲ ହୁଏ ତାହେଲେ ଅକ୍ଟୋବର ୧୭ରେ ନିର୍ବାଚନ ହେବ । ଅକ୍ଟୋବର ୧୯ରେ ଫଳାଫଳ ପ୍ରକାଶ ପାଇବ ।