ରିଲରେ ହିରୋ ରିୟଲରେ ଠକ: ୪୨୦ ହିରୋକୁ ଗିରଫ କଲା ପୁଲିସ

316

କନକ ବ୍ୟୁରୋ: ରେଭେନସା ବିଶ୍ୱବିଦ୍ୟାଳୟର ଜଣେ ଆସିଷ୍ଟାଂଟ ପ୍ରଫେସରଙ୍କୁ ଚୂନା ଲଗାଇଲେ ଅଭିନେତା । ଭୁଲେଇଭାଲେଇ ଘର ଦେବେ ବୋଲି କହି ନେଇଗଲେ ୮୫ ଲକ୍ଷ । ନଜର ପକାନ୍ତୁ ମୁହଁ ଲୁଚାଇ ଯାଉଥିବା ଏହି ଠକ ହିରୋ ଅଜିତାଭ ମଲ୍ଲିକଙ୍କୁ । ଓଲିଉଡ ଫିଲ୍ମ ‘ଅରୁନ୍ଧତି’ରେ ସେ ଅଭିନୟ କରିବା ସହ ଫିଲ୍ମ ପ୍ରଯୋଜକ ବି ଥିଲେ । ଅଜିତାଭଙ୍କ ନାଁରେ ଅଭିଯୋଗ ହେଉଛି, ଡୁପ୍ଲେକ୍ସ ଘର ଦେବାକୁ କହି ସେ ଜଣେ ଆସିଷ୍ଟାଂଟ ପ୍ରଫେସରଙ୍କୁ ଠାରୁ ପ୍ରାୟ ୮୫ ଲକ୍ଷ ଟଙ୍କା ଠକିନେଇଛନ୍ତି । ଆଉ ଅଭିଯୋଗ ପରେ ଅଜିତାଭଙ୍କ ହାତରେ ହ୍ୟାଣ୍ଡକପ ପକାଇଛି ଖଣ୍ଡଗିରି ପୁଲିସ ।

ଆସିଷ୍ଟାଂଟ ପ୍ରଫେସରଙ୍କ ଅଭିଯୋଗ ଅନୁସାରେ,
-ଭୁବନେଶ୍ୱର କୋଳଥିଆରେ ଏକ କୋଟି ଟଙ୍କାରେ ଡୁପ୍ଲେକ୍ସ ବିକିବାକୁ କହିଥିଲେ ଅଭିନେତା
-ପ୍ରଥମେ ୨୫ ଲକ୍ଷ ଟଙ୍କା ନଗଦ ନେଇଥିଲେ
-ସୁନା, ବ୍ୟାଙ୍କ ଓ ୟୁପିଆଇ କାରବାର ମାଧ୍ୟମରେ ମୋଟ ୮୫ ଲକ୍ଷ ଟଙ୍କା ନେଇଥିଲେ

୨୦୨୦ ମସିହାରୁ ଏହି ଟଙ୍କା ନେଇ ଅଭିନେତା ଧରାଛୁଆଁ ଦେଉନଥିଲେ । ଆଉ ଘର ଦେବାକୁ କହିଲେ ଅଭିନେତା ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ । ଏଭଳି ଅନେକ ଲୋକ ଅଜିତାଭଙ୍କ ଠକେଇ ଜାଲରେ ଫସିଥିବା ପୁଲିସ ଜାଣିବାକୁ ପାଇଛି ।

ସବୁଠାରୁ ବଡ କଥା ହେଲା, ଠକେଇରେ ଅଜିତାଭଙ୍କ ପୁରା ପରିବାର ସାମିଲ ଥିବା ମହିଳା ପ୍ରଫେସର ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ତଦନ୍ତ କରୁଛି । ଆବଶ୍ୟକ ପଡିଲେ ପରିବାର ଲୋକଙ୍କୁ ବି ତଦନ୍ତ ପରିସରଭୁକ୍ତ କରାଯିବ ।