ତୈଳଦର ବୃଦ୍ଧି ନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ମତ । କହିଲେ ସରକାର ଟ୍ୟାକ୍ସ କମାଇବା ହିଁ ଏକମାତ୍ର ବିକଳ୍ପ

274

କନକ ବ୍ୟୁରୋ : ଗତ କିଛିଦିନ ମଧ୍ୟରେ ଦେଶରେ ପେଟ୍ରୋଲ ଓ ଡିଜେଲର ଦର ଆକଶଛୁଆଁ ହୋଇଛି । ଏନେଇ ସାଧାରଣ ଲୋକଙ୍କୁ ସହାୟତା ଦେବାକୁ ସରକାର ଟ୍ୟାକ୍ସ କମାନ୍ତୁ ବୋଲି ସରକାରଙ୍କ ଉପରେ ଚାପ ବି ବଢିବାରେ ଲାଗିଛି । ବିରୋଧୀଙ୍କ ଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଏନେଇ ସରକାରଙ୍କ ଉପରେ ଚାପ ପକାଉଛନ୍ତି । ଏହାରି ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଟ୍ୟାକ୍ସ କମାଇ ତୈଳଦର ନିୟନ୍ତ୍ରଣ କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଚାଲିଥିବା ମୁଦ୍ରାନୀତି ସମୀକ୍ଷା ବୈଠକ (ଏମପିସି) ପୂର୍ବରୁ ଏଭଳି ମତ ରଖିଛନ୍ତି ଶ୍ରୀ ଦାସ । ଶ୍ରୀ ଦାସ କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କୁ ଅପିଲ୍ କରିଛନ୍ତି କି ପରୋକ୍ଷ ଭାବେ ଆଦାୟ କରାଯାଉଥିବା ଟ୍ୟାକ୍ସକୁ କମାଯାଉ । ଫଳରେ ପେଟ୍ରୋଲ ଓ ଡିଜେଲର ଦର ହ୍ରାସ ପାଇବ । ଏହାସହ ସେ ଉପଦେଶ ଦେଇଛନ୍ତି କି ଟ୍ୟାକ୍ସକୁ ଧିରେ ଧିରେ କମାଇବା ଦରକାର, ଯାହାଫଳରେ ଏହାର ପ୍ରଭାବ ଅର୍ଥନୀତି ଉପରେ ପଡିବ ନାହିଁ ।

କହିରଖୁ କି ଦୁଇଦିନର ନିରବତା ପରେ ମଙ୍ଗଳବାର ଦିନ ପୁଣି ପେଟ୍ରୋଲ ଓ ଡିଜେଲର ଦାମ ବୃଦ୍ଧି ପାଇଛି । ମଙ୍ଗଳବାର ଦିନ ପେଟ୍ରୋଲ ଲିଟର ପିଛା ୩୫ ପଇଷା ଓ ଡିଜେଲ ଉପରେ ମଧ୍ୟ ଲିଟର ପିଛା ୩୫ ପଇଷା ବୃଦ୍ଧି ପାଇଛି । ଏହାଦ୍ୱାରା ଦେଶର ବିଭିନ୍ନ ସହରରେ ପେଟ୍ରୋଲ ମୂଲ୍ୟ ୧୦୦ ଟଙ୍କା ପାର ହୋଇଛି ।

ଅନ୍ୟପଟେ ପେଟ୍ରୋଲ ଡିଜେଲର ଦରବୃଦ୍ଧିରୁ ସାଧାରଣ ଲୋକଙ୍କୁ ସହାୟତା ଦେବାକୁ ୪ ଟି ରାଜ୍ୟ ଭାଟ୍ ଓ ଅନ୍ୟ ଟ୍ୟାକ୍ସ କମାଇଛନ୍ତି । ଏହି ରାଜ୍ୟଗୁଡିକ ମଧ୍ୟରେ ଅଛନ୍ତି ରାଜସ୍ଥାନ, ପଶ୍ଚମବଙ୍ଗ, ଆସାମ ଓ ମେଘାଳୟ । କହିରଖୁ କି ପେଟ୍ରୋଲ ଓ ଡିଜେଲ ଉପରେ ସବୁଠୁ ଅଧିକ ଟ୍ୟାକ୍ସ ଆଦାୟ କରୁଥିବା ବିଶ୍ୱର ବିଭିନ୍ନ ଦେଶ ମାନଙ୍କ ତାଲିକାରେ ଭାରତ ୫ମ ସ୍ଥାନରେ ରହଛି ।