ଆସୁଛି ବାତ୍ୟା ‘ଗୁଲାବ୍’ । ରବିବାର ସନ୍ଧ୍ୟାରେ ସ୍ଥଳଭାଗରେ ହେବ ମାଡ଼, ଜାଣନ୍ତୁ କେଉଁ କେଉଁ ଜିଲ୍ଲାକୁ ରହିଛି ଅଧିକ ବିପଦ ।

553

କନକ ବ୍ୟୁରୋ : ବଙ୍ଗୋପସାଗରରେ ବାତ୍ୟା ଆସୁଛି । ପ୍ରଭାବରେ ରାଜ୍ୟରେ ବଡ଼ ବର୍ଷାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଗାମୀ ୬ ଘଣ୍ଟା ଭିତରେ ବାତ୍ୟାର ରୂପ ନେଇପାରେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଗଭୀର ଅବପାତ । ଏହା ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଗତି କରୁଛି । ଏହା ଗୋପାଳପୁରଠାରୁ ପଶ୍ଚିମ, ଦକ୍ଷିଣ-ପଶ୍ଚିମକୁ ୪୧୦ କିଲୋମିଟର ଓ ଆନ୍ଧ୍ରର କଳିଙ୍ଗପଟ୍ଟନମଠାରୁ ୪୮୦ କିଲୋମିଟର ଦୂର ପଶ୍ଚିମକୁ ରହିଛି ।

୨୬ ତାରିଖ ଅର୍ଥାତ୍ ଆସନ୍ତାକାଲି ସନ୍ଧ୍ୟାରେ ଗୋପାଳପୁର ଓ ଆନ୍ଧ୍ରର କଳିଙ୍ଗପଟ୍ଟନମ ନିକଟରେ ସ୍ଥଳଭାଗ ଅତିକ୍ରମ କରିପାରେ । ତେବେ ବାତ୍ୟା ଆଣିନପାରେ ବଡ ପବନ ହେଲେ ପ୍ରବଳ ବର୍ଷା ହୋଇପାରେ । ସ୍ଥଳ ଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର ରହିବ । ସମୟ ସମୟରେ ଘଣ୍ଟା ପ୍ରତି ୯୦ କିଲୋମିଟର ବେଗରେ ପବନର ଝଟକା ଅନୁଭୂତ ହେବ ବୋଲି କହିଛି ପାଣିପାଗ ବିଭାଗ ।

ଆସୁଛି ବାତ୍ୟା ‘ଗୁଲାବ୍’ । ରବିବାର ସନ୍ଧ୍ୟାରେ ସ୍ଥଳ ଭାଗରେ ମାଡ଼ । ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା, ପବନର ଝଟକା ସର୍ବାଧିକ ୯୫ କିଲୋମିଟର । ଘନିଭୂତ ହେବାରେ ଲାଗିଛି ଗଭୀର ଅବପାତ । ଖୁବଶୀଘ୍ର ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହୋଇ ସ୍ଥଳ ଭାଗ ଆଡକୁ ମାଡି ଆସିବ ।

ବଙ୍ଗୋପସାଗରର ପଶ୍ଚିମ ଦିଗ ଆଡକୁ ରହିଛି ବାତ୍ୟା ଗୁଲାବର ଗତିପଥ । ୨୬ ତାରିଖ ବା ରବିବାର ସନ୍ଧ୍ୟାରେ ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ରର କଳିଙ୍ଗପଟ୍ଟନମ ମଧ୍ୟରେ ମାଡ଼ ହେବ ବାତ୍ୟା । ବାତ୍ୟାର ପ୍ରଭାବରେ ବଡ଼ ପବନ ହୋଇନପାରେ, ହେଲେ ରବିବାର ଦିନ ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ନୟାଗଡ଼, ଖୋର୍ଦ୍ଧା, ପୁରୀ, କଳାହାଣ୍ଡି ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଏହିସବୁ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାତ୍ୟା ଓ ଏହା ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା କରାଯାଉଥିବାରୁ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର ।

ବାତ୍ୟା ଗୁଲାବ୍ ପ୍ରଭାବରେ ସବୁଠୁ ଅଧିକ ପବନ ବହିବ ଗଞ୍ଜାମ ଓ ଗଜପତି ଜିଲ୍ଲାରେ । ସ୍ଥଳଭାଗରେ ମାଡ ହେବା ବେଳେ ଗଂଜାମ, ଗଜପତି ଜିଲ୍ଲାରେ ୭୫ରୁ ୮୫କିଲୋମିଟର ବେଗରେ ପବନ ବହିପାରେ । ଏପରକି ଘଣ୍ଟାକୁ ୯୫ କିଲୋମିଟର ବେଗରେ ପବନର ଝଟକା ଅନୁଭୂତ ହୋଇପାରେ ବୋଲି ସତର୍କ କରିଛି ପାଣିପାଗ ବିଭାଗ ।

ସେହିପରି ରାୟଗଡ଼ା, କୋରାପୁଟ, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାରେ ୫୫ରୁ ୬୫ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ସ୍ଥଳ ବିଶେଷରେ ଏହାର ଝଟକା ଘଣ୍ଟାକୁ ୭୫ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହୋଇପାରେ । ବନ୍ଦର ପାଇଁ ବିପଦ ସଙ୍କେତ ଜାରି କରାଯାଇଛି । ଗୋପାଳପୁର, ପୁରୀ, ପାରାଦୀପ, ଧାମରା ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି । ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ । ବନ୍ୟା, ଜଳବନ୍ଦୀ, ଭୂସ୍ଖଳନ କିମ୍ବା ପବନ ଯୋଗୁଁ ହେବାକୁ ଥିବା କ୍ଷୟକ୍ଷତି ପୂର୍ବରୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଯେଉଁ ସବୁ ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା ରହିଛି, ସେହି ଜିଲ୍ଲାରେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

୪୨ଟି ଓଡ୍ରାଫ୍, ୧୦୨ରୁ ଅଧିକ ଫାୟାର ସର୍ଭିସ୍ ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ରଖାଯାଇଛି । ସେହିପରି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ଆସିଛି ୧୩ଟି ଏନଡିଆରଏଫ୍ ଟିମ୍ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩ଟି ଟିମ୍ ମୁତୟନ ହେବେ । ଗଜପତି, ରାୟଗଡ଼ା, କୋରାପୁଟ ଓ ନୟାଗଡ଼ରେ ୨ଟି ଲେଖାଏଁ ଟିମ୍ ମୁତୟନ ହେବେ । ବାଲେଶ୍ୱର ଓ ମାଲକାନଗିରିରେ ଗୋଟିଏ ଲେଖାଏଁ ଟିମ୍ ମୁତୟନ କରାଯିବ । ଆଜି ରାତି ସୁଦ୍ଧା ଏହି ସବୁ ସ୍ଥାନରେ ଏନଡିଆରଏଫ୍ ଟିମ୍ ମୁତୟନ ହେବେ ।