ଲଘୁଚାପ ପ୍ରଭାବରେ ଦୁଇ ଦିନ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ସଂଭାବନା । ୪ଟି ଜିଲ୍ଳାକୁ ରେଡ଼ ୱାର୍ଣ୍ଣି ଜାରି । ପ୍ରବଳ ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ବହିପାରେ ପବନ । ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।

615

କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ୨ ଦିନ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ସଂଭାବନା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁୁଁ ଭୁବନେଶ୍ୱର ପାଣିପାଗ ବିଭାଗ ୪ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଛି । ଏହି ଜିଲ୍ଲା ଗୁଡିକ ହେଲା ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର । ଆସନ୍ତାକାଲି ସକାଳ ୮ଟା ୩୦ଯାଏଁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଘଂଟାକୁ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିପାରେ । ତଳିଆ ଅଂଚଳରେ ଜମିପାରେ ପାଣି ଏବଂ କଚ୍ଚା ଘର ପ୍ରତି ବିପଦ ରହିଛି ।

ସେହିପରି ପୁରୀ ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ୧୦ଟି ଜିଲ୍ଳା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗଂଜାମ, କଟକ, ଖୋର୍ଧା, ଯାଜପୁର, ମୟୁରଭଂଜ, ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, ଜଗତିସିଂହପୁର ଓ ଯାଜପୁର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଓଡିଶାର ଅନେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି ।

ବର୍ତମାନ ଉତର ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଅବପାତ ଏବେ ପାରାଦୀପ ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବ ଦିଗରେ ୧୮୦ କିମି ଦୂରରେ ସକ୍ରିୟ ରହିଛି । ଏହା ପଶ୍ଚିମବଙ୍ଗ ସାଗର ଦୀପ ପୁଞ୍ଜ ଠାରୁ ଦକ୍ଷିଣ , ଦକ୍ଷିଣ-ପୂର୍ବ ଦିଗରେ ୩୫୦ କିମି ଏବଂ ବାଂଲାଦେଶର ଖେପୁପୁର ଠାରୁ ଦକ୍ଷିଣ , ଦକ୍ଷିଣ-ପୂର୍ବ ଦିଗରେ ୪୯୦ କିମି ଦୂରରେ ରହିଛି । ଏହା ଆଗାମୀ ୨୪ ଘଂଟାରେ ଆହୁରି ସକ୍ରିୟ ହୋଇ ଗଭୀର ଅବପାତର ରୂପ ନେବ ।

ଉତର, ଉତର-ପୂର୍ବ ଦିଗରେ ଗତି କରି ଆସନ୍ତାକାଲି ଅପରାହ୍ନ ସମୟରେ ସାଗର ଦ୍ୱୀପପୁଞ୍ଜ ଏବଂ ବାଂଲାଦେଶର ଖେପୁପୁରା ଠାରେ ଉପକୂଳକୁ ଅତିକ୍ରମ କରିବା ସଂଭାବନା ରହିଛି । ଲଘୁଚାପ ପ୍ରଭାବରୁ ଏବେ ଉପକୂଳ ଓଡିଶାରେ ବର୍ଷା ଲାଗିଛି । ଆସନ୍ତାକାଲି ଦକ୍ଷିଣ ଓଡିଶାରେ ଅଧିକ ବର୍ଷାର ପ୍ରଭାବ ରହିବ । ସଂଭାବ୍ୟ ଅବପାତ ଏବଂ ପବନର ବେଗକୁ ଦେଖି ଓଡିଶାର ଗୋପାଳପୁର ଏବଂ ପୁରୀ ବନ୍ଦରକୁ ୩ନଂ ବିପଦ ସଂକେତ ଜାରି କରାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।