କନକ ବ୍ୟୁରୋ: ରକ୍ତଚନ୍ଦନ କାଠ ଲୁଟ ହେଉଥିବର ଅଭିଯୋଗ । ଗଜପତି ରା.ଉଦୟଗିରି ଓ ନୂଆଗଡ ବ୍ଲକର ବିଭିନ୍ନ ପାହାଡରେ ଲାଗିଥିବା ରକ୍ତଚନ୍ଦନ ବଣ ଏବେ ଆଉ ନାହିଁ । ଏହି ବଣ ସବୁ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଦ୍ୱାରା ଲଗାଯାଇଥିଲା । ମୋଟ ୧୨ହଜାର ଗଛ ମଧ୍ୟରୁ ବାତ୍ୟା ଓ ଲୁଟ ହୋଇ ଏବେ ଆଉ ମାତ୍ର ୧ ହଜାର ୩୮୪ଟି ଗଛ ଅଛି । ତିତିଲି ବାତ୍ୟାରେ ୧୨ ଶହ ୩୭ଟି ଗଛ ଭାଙ୍ଗି ଯାଇଥିଲା । ସେହି କାଠ ଗୁଡିକୁ ଦୁଇଟି ଦଫାରେ ବନ ନିଗମକୁ ଦିଆଯାଇଥିବା ଗଜପତି ଡିଏଫଓ କହିଛନ୍ତି । ତେବେ କୋଟି କୋଟି ଟଙ୍କାର ଏହି ଦୁର୍ଲଭ ଗଛର ସୁରକ୍ଷା ପାଇଁ ସରକାରୀ ସ୍ତରରେ କୌଣସି ସ୍ୱତନ୍ତ୍ର ଯୋଜନା ନାହିଁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ରକ୍ତ ଚନ୍ଦନର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନଥିବାରୁ ଏହାର ଯାହାର ସୁଯୋଗ ନେଇ ଲୁଟେରାମାନେ ମୁଲ୍ୟବାନ କାଠକୁ ଲୁଟି ନେଉଛନ୍ତି ।

Advertisment

ଏହି ଓøଷଧିୟ ଗଛକୁ ବିଦେଶରେ ଚାଲଣ କରି କୋଟି କୋଟି ଟଙ୍କା ଆୟ କରୁଛନ୍ତି ମାଫିଆ । ତେବେ ବର୍ତମାନ ପାରଳାଖେମୁଣ୍ଡ ରକ୍ତ ଚନ୍ଦନ ବଣରେ ଥିବା ବଳକା ଗଛକୁ ସୁରକ୍ଷା ଦେବା ପାଇଁ ସରକାର କେବେ ତତ୍ପର ହେବେ ସେ ନେଇ ପ୍ରଶ୍ନ ଉଠିଛି । ସେପଟେ ୧୯୯୧ ମସିହାରୁ ୨୦୨୧ ଜୁନ୍ ଶେଷ ଯାଏଁ ରକ୍ତ ଚନ୍ଦନ ଲୁଟ୍ ସଂପର୍କୀୟ ୨୧୭ଟି ମାମଲା ହୋଇଛି । ଏଥି ମଧ୍ୟରୁ ମହେନ୍ଦ୍ର ବନଂଚଳ ଅଧିନରେ ୨୦୯ଟି ମାମଲା ରହିଛି । ତେବେ ଜବତ କାଠକୁ ବିକ୍ରି କରାନଯାଇ ପକାଇ ରଖାଯାଇଛି । ଫଳରେ କାଠ ଗୁଡିକ ନଷ୍ଟ ହେଉଛି । ଅନ୍ୟପଟେ ରକ୍ତ ଚନ୍ଦନ ବଣର ସୁରକ୍ଷା ପ୍ରସଙ୍ଗରେ ଗଜପତି ଡିଏଫଓ କହିଛନ୍ତି, ବନ ସୁରକ୍ଷା ପାଇଁ ଚେଷ୍ଟା କରାଯାଉଛି । ହେଲେ ମାଫିଆମାନେ ଅସ୍ତ୍ରଶସ୍ତ୍ର ଧରି କାଠ ଲୁଟ୍ କରୁଥିବା ବେଳେ ବନ କର୍ମଚାରୀ କେବଳ ବାଡି ଖଣ୍ଡିଏ ଧରି ସୁରକ୍ଷା ଦେଉଛନ୍ତି । ତେଣୁ ମାଫିଆଙ୍କ କବଳରୁ ଚନ୍ଦନ ବନକୁ ସୁରକ୍ଷା ଦେବା ସମ୍ଭବ ହେଉନାହିଁ ।