ମହାପଞ୍ଚାୟତକୁ ସମ୍ବୋଧିତ କରି କେଜ୍ରିୱାଲ କହିଲେ ବିଜେପି କରିଥିଲା ଲାଲକିଲ୍ଲା ହିଂସା । କୃଷକ ମାନେ ନୁହନ୍ତି ଦେଶଦ୍ରୋହୀ

159

କନକ ବ୍ୟୁରୋ : ପୁଣି ବିଜେପିକୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଉତ୍ତରପ୍ରଦେଶର ମିରଟ ଠାରେ ଆୟୋଜିତ ଚାଷୀ ମହାପଞ୍ଚାୟତକୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି ‘ଲାଲକିଲ୍ଲା ହିଂସା ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମ’ । ଲାଲକିଲ୍ଲା ଉପରେ ଚଢି ଯେଉଁ ବ୍ୟକ୍ତି ଶିଖ୍ ପତାକା ଉଡାଇଥିଲା ସେ ବି ବିଜେପିର କାର୍ଯ୍ୟକର୍ତ୍ତା ବୋଲି ସେ କହିଛନ୍ତି । ବିଜେପି ସରକାର ଯୋଜନାବଦ୍ଧ ଭାବେ ଚାଷୀ ମାନଙ୍କୁ ଦିଲ୍ଲୀ ଆସିବାକୁ ବାଧ୍ୟ କରିଥିଲା ଓ ସେମାନଙ୍କ ନାମରେ ହିଂସା କରି କୃଷକ ମାନଙ୍କୁ ଜେଲରେ ପୁରାଇବାର ଯୋଜନା ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମ ଥିଲା ବୋଲି ସେ କହିଛନ୍ତି ।

କେବଳ ଏତିକି ନୁହେଁ ବିଜେପିକୁ ଟାର୍ଗେଟ୍ କରି କେଜ୍ରିୱାଲ କହିଥିଲେ କି ଦିଲ୍ଲୀର ବଡ ବଡ ୯ ଟି ଷ୍ଟାଡିୟମକୁ ଜେଲରେ ପରିଣତ କରିବାକୁ କେନ୍ଦ୍ର ସରକାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ଫାଇଲ ପଠାଇଥିଲେ । ଏହି ଫାଇଲକୁ ପାସ୍ କରାଇବାକୁ ବିଜେପି ପକ୍ଷରୁ ତାଙ୍କୁ ଧମକ ଦିଆଯାଇଥିବା ଭଳି ବିଜେପି ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ।

ଚାଷୀମାନେ ଯେବେଠାରୁ ଦିଲ୍ଲୀରେ ଧାରଣାରେ ବସିଛନ୍ତି ଗୋଟିଏ ରାଜ୍ୟ ସରକାର ହିସାବରେ ସେମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରାଯାଉଥିବା କଥା କେଜ୍ରିୱାଲ କହିଛନ୍ତି । କେବଳ ବିଜେପି ନୁହେଁ କଂଗ୍ରେସ କୁ ଟାର୍ଗେଟ କରି କେଜ୍ରିୱାଲ କହିଥିଲେ କି କୃଷକ ମାନେ ଆଜି ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଥିପାଇଁ କେବଳ ବିଜେପି ନୁହେଁ ସମାନ ମାତ୍ରାରେ କଂଗ୍ରେସ ବି ଦାୟି । ୭୦ ବର୍ଷ ଧରି ସରକାର ମାନେ କୃଷକ ମାନଙ୍କୁ କେବଳ ଧୋକା ଦେଇ ଚାଲିଛନ୍ତି ।

ସରକାର କୃଷକ ମାନଙ୍କୁ ଦେଶଦ୍ରୋହୀ କହି ନିଜର ଅପାରଗତାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଧାରଣାରେ ବସିବାକୁ କାହାକୁ ଭଲ ଲାଗେନି । କିନ୍ତୁ ସେମାନଙ୍କ ହକ୍ ଯେତେବେଳେ ସରକାର ଛଡାଇନେବାକୁ ବସିଛନ୍ତି ସେତେବେଳେ ସେମାନଙ୍କ ପାଖରେ ଅନ୍ୟକିଛି ଉପାୟ ନାହିଁ । ଆନ୍ଦୋଳନରେ ୨୫୦ ରୁ ଅଧିକ ଚାଷୀ ମୃତ୍ୟୁବରଣ କରିଛନ୍ତି । ଏହାସହ ଗତ ୨୫ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ୩ ଲକ୍ଷ ଚାଷୀ ଆତ୍ମହତ୍ୟା କରିଛନ୍ତି । ଏହାପାଇଁ କେବଳ ବିଜେପି ନୁହେଁ ବରଂ କ୍ଷମତା ଲୋଭରେ ପୁଞ୍ଜିପତିଙ୍କ ସ୍ୱାର୍ଥରେ କାମ କରୁଥିବା ରାଜନୈତିକ ଦଳମାନେ ଦାୟୀ ।

Comments are closed.