ଲାଲ କିଲ୍ଲା ହିଂସା : ଜମ୍ମୁରୁ ଗିରଫ୍ ହେଲେ ଆଉ ୨ ଅଭିଯୁକ୍ତ । ହିଂସା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗ

79

କନକ ବ୍ୟୁରୋ : ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ରାଲି ଆଳରେ କୃଷକ ମାନଙ୍କ ଦ୍ୱାରା ଲାଲ କିଲ୍ଲାରେ ହୋଇଥିବା ହିଂସାର ତଦନ୍ତ ଜାରି ରଖିଛି ପୋଲିସ । ଏହି ହିଂସାରେ ସାମିଲ ଥିବା ଅଭିଯୁକ୍ତ ମାନଙ୍କୁ ଧରିବାକୁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଖୋଳତାଡ ଜାରି ରଖିଛି । ଖୋଳତାଡ ବେଳେ କିଛି ଅଭିଯୁକ୍ତ ଧରାପଡିଥିବା ବେଳେ ଆହୁରି କିଛି ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ପ୍ରୟାସ କରୁଛି ।

ଏହି କ୍ରମରେ ଦିଲ୍ଲୀ ପୋଲିସ ଜମ୍ମୁରୁ ଆଉ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିବାରେ ସଫଳ ହୋଇଛି । ଗିରଫ୍ ହୋଇଥିବା ଅଭିଯୁକ୍ତ ମାନେ ହେଲେ ମହିନ୍ଦରସିଂ ଖଲସା ଓ ମନଦୀପ୍ ସିଂ । ପୋଲିସର ସୂଚନା ମୁତାବକ ଏମାନେ ଜାନୁଆରୀ ୨୬ ଲାଲକିଲ୍ଲା ହିଂସା ପାଇଁ ଷଡଯନ୍ତ୍ର ରଚନା କରିଥିଲେ ।

ପୋଲିସ କହିଛି କି ଗିରଫ୍ ହୋଇଥିବା ୨ ଜଣ ଯାକ ଜମ୍ମୁରେ ରୁହନ୍ତି । ମହିନ୍ଦରସିଂ ୟୁନାଇଟେଡ୍ କାଶ୍ମୀର ଫ୍ରଣ୍ଟର ଅଧ୍ୟକ୍ଷ ବୋଲି କୁହାଯାଭଉଥିବା ବେଳେ ଜମ୍ମୁ-କାଶ୍ମୀର ପୋଲସ ସହାୟତାରେ ସେମାନଙ୍କୁ ଗିରଫ୍ କରାଯାଇଛି । ଗିରଫ୍ ପରେ ସେମାନଙ୍କୁ ଦିଲ୍ଲୀ ଅଣାଯାଇଛି । ଏବେ ସେମାନଙ୍କୁ କୋର୍ଟରେ ହାଜର କରି ପୋଲିସ ରିମାଣ୍ଡରେ ନେବ ବୋଲି ଜଣାପଡିଛି ।

ଏହାପୂର୍ବରୁ ଜାନୁଆରୀ ୨୬ ତାରିଖରେ ଲାଲକିଲ୍ଲାରେ ଖଣ୍ଡା ବୁଲାଇଥିବା ଅଭିଯୁକ୍ତ ଜସପ୍ରୀତ୍ ସିଂକୁ ବି ପୋଲିସ ଗିରଫ୍ କରିଥିଲା । ଏହି ମାମଲାରେ ଦିଲ୍ଲୀ ପୋଲିସ କିଛି ଅଭିଯୁକ୍ତଙ୍କୁ ଗିରଫ୍ କରିବା ସହ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ।

ସୂଚନା ଥାଉକି କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନ ମାନେ ଜାନୁଆରୀ ୨୬ ତାରିଖରେ ଦିଲ୍ଲୀରେ ଟ୍ରାକ୍ଟର ରାଲି ବାହାର କରିଥିଲେ । ହେଲେ ଏହି ଟ୍ରାକ୍ଟର ରାଲି ସମୟରେ କିଛି କୃଷକ ଲାଲ କିଲ୍ଲା ଭିତରେ ପଶି ହିଂସା କରୁଥିବାର ଚିତ୍ର ସାମ୍ନାକୁ ଆସିଥିଲା । ଏହାକୁ ନେଇ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ଏବେ ତଦନ୍ତ ଚଳାଇଛି ।