ସମ୍ବଲପୁର ଗଣଦୁଷ୍କର୍ମ ମାମଲାରେ ୪ ଗିରଫ । ୨୦ ଦିନରେ ହେବ ଚାର୍ଜସିଟ୍, ମାମଲାକୁ କରାଯିବ ରେଡ ଫ୍ଲାଗ ଶ୍ରେଣୀ ଭୁକ୍ତ

ପୀଡିତାଙ୍କର ଅବସ୍ଥା ଗୁରୁତର

1,850

କନକ ବ୍ୟୁରୋ: ସମ୍ବଲପୁର ଗଣଦୁଷ୍ମର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଗିରଫ ସମସ୍ତ ଅଭିଯୁକ୍ତ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି । ତେବେ ଆଜି ସେମାନଙ୍କର ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ କରି  ସୂଚନା ଦେଇଛନ୍ତି ଏସପି କନୱର ବିଶାଲ ସିଂ ।  ସେହିଭଳି ମାମଲାର ସମ୍ବେଦନଶୀଳତାକୁ ଆଖି ଆଗରେ ରଖି ସମ୍ବଲପୁର ପୋଲିସ ପକ୍ଷରୁ ମାମଲାକୁ ରେଡ ଫ୍ଲାଗ ଶ୍ରେଣୀଭୁକ୍ତ କରାଯିବା  ସହ ୨୦ ଦିନ ଭିତରେ ମାମଲାର ତଦନ୍ତ କରି ଚାରସିଟ୍ ଦାଖଲ କରିବାକୁ ନିଷ୍ପତି କରାଯାଇଛି । ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଏବଂ ବୁର୍ଲା ଡାକ୍ତରଖାନାରେ ତାଙ୍କ ଚିକିତ୍ସା କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ମିଳିଥିବା ତଥ୍ୟ ପ୍ରମାଣ ଆଧାରରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏହି ଘଟଣାରେ ଯଦି ଆଉ କିଏ ସଂପୃକ୍ତ ଥାନ୍ତି ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସପି କହିଛନ୍ତି ।

ଏହା ସହ ଅଭିଯୁକ୍ତମାନଙ୍କୁ କିଭଳି ଅଧିକରୁ ଅଧିକ ଦଣ୍ଡ ମିଳିବ ସେଥିପାଇଁ ଆବଶ୍ୟକ ତଥ୍ୟ ପ୍ରମାଣ ଯୋଗାଡରେ ପୋଲିସ ଲାଗିଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସପି କନୱର ବିଶାଲ ସିଂହ । ତେବେ ତଦନ୍ତରେ ଗୋପନୀୟତା ରକ୍ଷା କରିବା ପାଇଁ ତଦନ୍ତ ସମ୍ପର୍କରେ ଅଧିକ ସୂଚନା ଦେବାକୁ ମନା କରିଛନ୍ତି ଏସପି । ଏବଂ ପୀଡିତାଙ୍କୁ ନ୍ୟାୟ ମିଳିବା ସହ ଅଭିଯୁକ୍ତଙ୍କୁ କଡା ଦଣ୍ଡବିଧାନ ପାଇଁ କୋର୍ଟରେ ପୋଲିସ ସମସ୍ତ ତଥ୍ୟ ପ୍ରମାଣ ଉପସ୍ଥାପନ କରିବ ବୋଲି କହିଛନ୍ତି କନୱର ବିଶାଲ ସିଂହ ।

ଦୁଷ୍କର୍ମ ଓ ଗଣଦୁଷ୍କର୍ମକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ସମ୍ବଲପୁରରେ ଘଟିଛି ଏକ ସଂଘାତିକ ଘଟଣା । ସମ୍ବଲପୁର ସହର ଭିତରେ ଜଣେ ଆଦିବାସୀ ମହିଳାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଦୁଷ୍କର୍ମ କରିବା ପରେ ପୀଡିତାଙ୍କୁ ମୁମୂର୍ଷ ଅବସ୍ଥାରେ ରାସ୍ତା କଡରେ ଫିଙ୍ଗି ଦେଇ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ବରେଇପାଲି ଅଂଚଳରୁ ଗୁରୁତର ଅବସ୍ଥାରେ ପୀଡ଼ିତା ମହିଳାଙ୍କୁ ଉଦ୍ଧାର କରାଯାଇଛି । ବୁର୍ଲା ମେଡିକାଲରେ ପୀଡ଼ିତାଙ୍କୁ ଚିକିତ୍ସା କରାଯାଇଛି ।