ବ୍ରହ୍ମପୁରରେ ଆଇପିଏଲ ବେଟିଂ ବେଳେ ରେଡ୍ : ନଗଦ ୩୩ଲକ୍ଷ ୬୧ ହଜାର ଟଙ୍କା ଜବତ; ବିଭିନ୍ନ ୱେବ୍ ଓ ଆପ୍ ମାଧ୍ୟମରେ ଚାଲିଥିଲା ବେଟିଂ

184

କନକ ବ୍ୟୁରୋ : ଆଇପିଏଲର ଏକ ବଡ ବେଟିଂ ରାକେଟ୍ ଠାବ । ବ୍ରହ୍ମପୁରରୁ ଧରାପଡିଲା ବେଟିଂର କିଙ୍ଗ୍ ପିନ୍ ଓ ତାର ସହ ଯୋଗୀ । ନଗଦ ୩୩ ଲକ୍ଷ ୬୧ ହଜାର ଟଙ୍କା ଜବତ ହୋଇଛି । ଏହା ସହିତ ୪ଟି ମୋବାଇଲ୍ ଓ ୩ଟି ଏଟିଏମ୍ କାର୍ଡ ଜବତ କରିଛି ପୋଲିସ । ବିଭିନ୍ନ ମୋବାଇଲ୍ ଆପ୍ ଓ ୱେବ୍ ସାଇଟ୍ ଜରିଆରେ ଚାଲିଥିଲା ଆଇପିଏଲ୍ ଅନଲାଇନ୍ ବେଟିଂ । କୋଲକାତା , ଦୁବାଇ, ଦିଲ୍ଲୀ ଓ ମୁମ୍ୱାଇରେ ଏଜେଂଟ ରଖି ବେଟିଂ ଚାଲିଥିଲା ବୋଲି ସୂଚନା ଦେଇଛନ୍ତି ଦକ୍ଷିଣାଂଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ବ୍ରହ୍ମପୁର ଏସପି ପିନାକ ମିଶ୍ର ।

ଆଇପିଏଲ୍‌ ଆରମ୍ଭ ହେବା ଦିନରୁ ପୁଲିସ ଏହି ଦୁଇ ପୁରୁଣା ବୁକିଙ୍କ ଉପରେ ନଜର ରଖିଥିଲା । ଗତକାଲି ପୁଲିସ ବୁକିଙ୍କ ଜରିଆରେ କାମ କରୁଥିବା କିଛି ଏଜେଣ୍ଟ୍‌ଙ୍କୁ ଉଠାଇଥିଲା । ଏମାନଙ୍କୁ ଜେରା କରିବା ପରେ ବ୍ରହ୍ମପୁରରେ ଚାଲିଥିବା ଏହି ଆଇପିଏଲ୍‌ ବେଟିଂ କାରବାର ଠାବ ହୋଇଥିବା ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ସୂଚନା ମିଳିଛି । ଆଜି ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ରଙ୍କ ନେତୃତ୍ବରେ ଏହି ଟିମ୍‌ ଗୋସାଇଁ ନୂଆଗାଁ ଅଞ୍ଚଳର ଜଣେ ନିର୍ଦ୍ଦିଷ୍ଟ ବୁକିଙ୍କ ଘରେ ଚଢ଼ାଉ କରିଥିଲା । ବର୍ତ୍ତମାନ ଉଭୟ ବୁକି ପୁଲିସ କବ୍‌ଜାରେ । ଏମାନେ ବ୍ରହ୍ମପୁରରେ ରହି ଗଞ୍ଜାମ ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳରେ ତାଙ୍କର ରାକେଟ୍‌ ଚଳାଉଥିଲେ ବୋଲି ଜଣାପଡ଼ିଛି । ଏ ଦିଗରେ ଅଧିକ ତଦନ୍ତ ଚାଲିଥିବାରୁ ପୁଲିସ ବିଶେଷ କିଛି ତଥ୍ୟ ଦେବା ପାଇଁ ମନା କରିଛି । ଆସନ୍ତାକାଲି ପୁଲିସ ଏହି ରାକେଟ୍‌ ସଂପର୍କରେ ଅଧିକ ତଥ୍ୟ ଦେବ ବୋଲି ଅନୁମାନ କରାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ କିଛିଦିନ ତଳେ ଆସିକା ପୁଲିସ ବେଟିଂ କାରବାରରେ ସାମିଲ ଥିବା ୩ଜଣ ଏଜେଣ୍ଟ୍‌ଙ୍କୁ ଧରିଥିଲା । ସେମାନଙ୍କୁ ଜେରା ପରେ ରାକେଟ୍‌ର ଚେର ବ୍ରହ୍ମପୁର ଓ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିବା ନେଇ ଜଣା ପଡ଼ିଥିଲା । ଏହାପରେ ବ୍ରହ୍ମପୁର ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍‌ ଏ ଦିଗରେ ଖୋଳତାଡ଼ ଆରମ୍ଭ କରି ଏକ ବଡ଼ ଧରଣର ବେଟିଂ ରାକେଟ୍‌ ଠାବ କରିଥିବା ସୂଚନା ମିଳିଛି ।