କ୍ରିକେଟ ପଡିଆରେ ଖେଳାଳିଙ୍କୁ ରେଡ୍ କାର୍ଡ। ପଡିଆରୁ ବାହାରକୁ ଗଲେ ସୁନିଲ ନାରିନ୍

761

କନକ ବ୍ୟୁରୋ: କ୍ରିକେଟ ପଡିଆରେ କୌଣସି ଫ୍ୟାନ୍ସ ଏହା କଳ୍ପନା କରିନଥିବେ ଯେ ଫୁଟବଲ ଖେଳ ଭଳି ଏଠାରେ ବି ଏହି ଭଳି ନିୟମ ଲାଗୁ ହେବ । ଏଭଳି ଦୃଶ୍ୟ ବି କ୍ରିକେଟ ପଡିଆରେ ଦେଖିବାକୁ ମିଳିବ । ଫୁଟବଲ ମଇଦାନରେ ଖେଳାଳି ତାଙ୍କର ଖରାପ ବ୍ୟବହାର ପାଇଁ ୨ଟି ପ୍ରକାରର କାର୍ଡ ପାଇ ଦଣ୍ଡିତ ହୋଇଥାନ୍ତି । ଗୋଟିଏ ହେଉଛି ରେଡ୍ କାର୍ଡ ଆଉ ଅନ୍ୟଟି ହଳଦିଆ କାର୍ଡ । ଏବେ କ୍ରିକେଟରେ ବି ପ୍ରଥମ ରେଡ କାର୍ଡର ବ୍ୟବହାର ହୋଇଛି । ଯେଉଁଥିରେ ଖେଳାଳିଙ୍କୁ ପଡିଆରୁ ବାହାରର ରାସ୍ତା ଦେଖିବାକୁ ପଡିଛି । ପ୍ରଥମ ରେଡ କାର୍ଡ ପାଇଁ ସୁନିଲ ନାରିନଙ୍କୁ ପଡିଆରୁ ବାହାରକୁ ଯିବାକୁ ପଡିଛି ।

କ୍ୟାରିବିୟାନ ପ୍ରିମିୟର ଲିଗର ଚଳିତ ସିଜିନରେ ରେଡ କାର୍ଡର ନିୟମ ଲାଗୁ ହୋଇଥିଲା । ଏଥିରେ କିରନ ପୋଲାର୍ଡଙ୍କ ନେତୃତ୍ୱାଧୀନ ଟ୍ରିନବାଗୋ ନାଇଟ ରାଇଡର୍ସ ସେଣ୍ଟ କିଟସ୍ ଆଣ୍ଡ ନେବିସ ପ୍ରିଟୋରିୟର୍ସ ବିରୋଧରେ ନିର୍ଦ୍ଧାରିତ ସମୟରେ ୨୦ ଓଭର ବୋଲିଂ କରିପାରିନଥିଲେ । ମ୍ୟାଚର ୧୯ ଓଭର ଖେଳ ଶେଷ ହେବା ପରେ ଦଳକୁ ରେଡ କାର୍ଡ ମିଳିଥିଲା । ଅଧିନାୟକ କିରନ ପୋଲାର୍ଡ ସୁନିଲ ନାରାୟଣଙ୍କୁ ପଡିଆରୁ ବାହାରକୁ ଯିବା ପାଇଁ ଇସାରା ଦେଇଥିଲେ ।

ଟ୍ରିନବାଗୋ ଦଳ ମ୍ୟାଚର ଶେଷ ଓଭରରେ ୧୦ ଖେଳାଳିଙ୍କ ସହ ଖେଳିଥିଲା । ସିଏପିଏଲର ଏହି ସିଜିନରେ ଯଦି କୌଣସି ଦଳ ନିର୍ଦ୍ଧାରିତ ସମୟର ୨୦ ଓଭର ଶେଷ କରିପାରିବ ନାହିଁ ତେବେ ତାକୁ ରେଡ କାର୍ଡ ମିଳିବ । ବର୍ତ୍ତମାନ ସମୟରେ ଅନ୍ତରାଷ୍ଟ୍ରୀୟ କ୍ରିକେଟର ଅନ୍ୟଲିଗରେ ନିର୍ଦ୍ଧାରିତ ସମୟରେ ଓଭର ଶେଷ ନକରିପାରିଲେ ଦଳକୁ ଜଣେ ଅତିରିକ୍ତ ଖେଳାଳିକୁ ୩୦ ଗଜର ସୀମାର ଭିତରେ ରଖିବାକୁ ପଡିଥାଏ ।

ଏହି ମୁକାବିଲାରେ ଟ୍ରିନବାଗୋ ନାଇଟ ରାଇଡର୍ସ ସେଣ୍ଟ କିଟସ ଟିମକୁ ୬ ୱିକେଟରେ ପରାସ୍ତ କରିଦେଇଛି । ୧୭୯ ରନର ପିଛା କରୁଥିବା ଟ୍ରେନବାଗୋ ଟିମ୍ ୧୭. ୧ ଓଭରରେ ବିଜୟ ଲକ୍ଷ ହାସଲ କରିନେଇଥିଲା । ଟିମ ପକ୍ଷରୁ ନିକୋଲାସ ପୁରନ ମାତ୍ର ୩୨ ବଲରେ ୬୧ ରନ ସଂଗ୍ରହ କରିଥିଲେ । ସେହିଭଳି ଆନ୍ଦ୍ରେ ରସେଲ ୨୩ ଏବଂ ଅଧିନାୟକ ପୋଲାର୍ଡ ୩୭ ରନର ଇନିଂସ ଖେଳିଥିଲେ ।