୨୪ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ । ପ୍ରଭାବରେ ୧୦ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରି ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ୯ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ, ଟ୍ୱିନସିଟିରେ ବି ପ୍ରବଳ ଛେଚିବ… 

911

କନକ ବ୍ୟୁରୋ: ୨୪ ଘଂଟାରେ ଅବପାତର ରୂପ ନେବ ଲଘୁଚାପ । ଆସନ୍ତା ୨୪ ଘଂଟାରେ ଅବପାତର ରୂପ ନେବ ଉତର ଉତର ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ । ଏବେ ଏହା ପଶ୍ଚିମଦିଗରେ ଗତି କରିଛି । ଏହା ପ୍ରଭାବରେ  ଆଜି ଓ ଆସନ୍ତାକାଲି ୨ ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସଂଭାବନା ରହିଛି । ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷିବ ତେଣୁ ଏହି ସବୁ ଜିଲ୍ଲାଗୁଡ଼ିକୁ ରେଡ୍ ୱାର୍ଣ୍ଣିଂ ଜାରି କରଯାଇଛି । ବିଶେଷକରି ରାଜ୍ୟର ୧୦ଟି ଜିଲ୍ଲା ଜଗତସିଂହପୁର, ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବୌଦ୍ଧ, କଟକ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ, ଦେବଗଡ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ଭୂସ୍ଖଳ ହେବାର ସମ୍ଭାବନା ରହିଛି । ତେଣୁ ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ନିର୍ଦେଶ । ଏହାସହ  ୯ ଜିଲ୍ଲାକୁ ଅରେଂଜ ୱାର୍ଣିଂ ଜାରି କରିଛନ୍ତି ରାଜ୍ୟ ସରକାର । ଆଜି ଓ କାଲି ପ୍ରବଳ ବର୍ଷା ପରେ ୨୧ରୁ ବର୍ଷା କମିବ । ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିପାରେ । ଏନେଇ ତଳିଆ ଅଂଚଳର ଲୋକଙ୍କୁ ସତର୍କ କରାଯିବା ସହ ଜିଲ୍ଳାପାଳ ମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ଓ ଆସନ୍ତାକାଲି ପାଇଁ କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଟୁଇନସିଟିରେ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ପୂର୍ବାନୁମାନରେ ଘଂଟା ପ୍ରତି ୨ରୁ ୩ ସେଂଟିମିଟର ବର୍ଷା ହେବ ବୋଲି ଆକଳନ କରାଯାଇଛି । ଏହାସହ କଟକ-ଭୁବନେଶ୍ୱରରେ ଏହି ସମୟ ମଧ୍ୟରେ ୭ରୁ ୨୦ ସେଂଟିମେଟର ବର୍ଷା ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗ ଆହୁରି କହିଛି, ଯେ ଟୁଇନସିଟି କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା କାରଣରୁ ଟ୍ରାଫିକ ଜାମ ହେବାର ସମ୍ଭାବନା ରହିଛି । ରାସ୍ତାରେ ପାଣି ଜମିବା ସହ ଅଧିକ ବର୍ଷା ସମୟରେ ଭଲ ଭାବରେ ବେଶି ଦୂର ଯାଏ ଦେଖାନଯିବା ସମ୍ଭାବନା ରହିଛି । ତଳିଆ ଅଂଚଳରେ ପାଣି ଜମିପାରେ । ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଏହାଛଡା ଆବଶ୍ୟକ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ରାସ୍ତା କଡରେ ଚାଲୁଥିଲେ ମ୍ୟାନହୋଲ ଓ ଖୋଲା ପଡିଥିବା ବିଦ୍ୟୁତ ତାରଠୁ ଦୂରେଇ ରହିବାକୁ କୁହାଯାଇଛି  ।