କନକ ବ୍ୟୁରୋ : ମହାମାରୀ କରୋନା ପରିସ୍ଥିତିରେ ନଷ୍ଟ ତଳେ ଯାଉଥିବା ଡାକ୍ତରୀ ବର୍ଜ୍ୟବସ୍ତୁର ପୁନର୍ବ୍ୟବହାର କରି ଚର୍ଚ୍ଚାରେ ‘ରିସାଇକେଲ୍ ମ୍ୟାନ୍ ଅଫ୍ ଇଣ୍ଡିଆ’ ଭାବେ ପରିଚିତ ବିନିଶ ଦେଶାଇ। ସେ ପିପିଇ କିଟ୍ ଏବଂ ଫେସ ମାସ୍କରୁ ଇକୋ-ଫ୍ରେଣ୍ଡଲି ଇଟା ତିଆରି କରି ଏବେ ବେଶ ପ୍ରଂଶସା ସାଉଁଟିଛନ୍ତି ।
କରୋନା ପାଇଁ ଯେତେବେଳେ ବହୁ ପରିମାଣର ଫେସ୍ ମାସ୍କ ଓ ପିପିଇ କିଟ୍ ବ୍ୟବହାର କରାଗଲା ସେତେବେଳେ ଲୋକ ପରିବେଶ ପ୍ରଦୂଷଣର ଆଶଙ୍କା କରୁଥିବା ବେଳେ କିପରି ପ୍ରଦୂଷଣ ନ ହୋଇ ବ୍ୟବହୃତ୍ ସାମଗ୍ରୀ କାର୍ଯ୍ୟରେ ଲାଗି ପାରିବ ସେ ବିଷୟରେ ଚିନ୍ତା କରୁଥିଲେ ବିନିଶ।
ଏ ପ୍ରସଙ୍ଗରେ ଗୁଜୁରାଟର ଇକୋ-ଇକ୍ଲେକ୍ଟିକ୍ ଟେକ୍ନୋଲୋଜିର ପ୍ରତିଷ୍ଠାତା ୨୭ ବର୍ଷିୟ ବିନିଶ ଦେଶାଇ କହନ୍ତି, ‘ମୋତେ ଅନୁଭବ ହେଲା ଯେ ପରିବେଶ ପ୍ରଦୂଷଣ ରୋକିବା ପାଇଁ ପିପିଇରେ ବ୍ୟବହୃତ ହେଉଥିବା ସାଧାରଣ ସାମଗ୍ରୀକୁ ନେଇ କାମ ଆରମ୍ଭ କରିବା ଉଚିତ। ତା’ପରେ ଆମ୍ ଟିମ୍ ଡାକ୍ତରଖାନା, ପୁଲିସ୍ ଷ୍ଟେସନ୍ ଏବଂ ବସ ଷ୍ଟାଣ୍ଡ୍ ଭଳି ବିଭିନ୍ନ ସ୍ଥାନରେ ପିପିଇ ଏବଂ ଫେସ୍ ମାସ୍କ ସଂଗ୍ରହ କରିବାରେ ଲାଗିପଡ଼ିଲେ। କରୋନା ନିୟମ ମୁତାବକ ଏହି ସାମଗ୍ରୀକୁ ସଂଗ୍ରହ କରିବାର ୭୨ ଘଣ୍ଟା ପର୍ଯ୍ୟନ୍ତ ଆମେ ତାହାକୁ ପୃଥକ ଭାବେ ରଖିଥାଉ।’
ଏହି ସବୁ ସାମଗ୍ରୀକୁ ସଂଗ୍ରହ କରି ଘରକୁ ଆଣିବା ପରେ ବିନିଶଙ୍କ ଟିମ୍ ତାକୁ ଏକ ବିଶୋଧାନଗାରରେ ରଖି ବିଶୁଦ୍ଧିକରଣ କରାଇ ଥାଆନ୍ତି। ତା’ପରେ ଏହାକୁ ଛୋଟ ଛୋଟ କରି କାଟି ଦିଆଯାଏ। ଏହା ପରେ ବାଇଣ୍ଡର୍ ଏବଂ କାଗଜ ଆବର୍ଜନା ସହିତ ତାହାକୁ ମିଶ୍ରଣ କରି ମଣ୍ଡ ପ୍ରସ୍ତୁତ କରାଯାଏ । ସେହି ମିଶ୍ରଣକୁ ଛାଞ୍ଚରେ ପୂରାଯାଇ ଇଟା କରାଯାଏ। ସେହି ଇଟା ଶୁଖିଗଲେ ବିକ୍ରି ଉପଯୋଗୀ ହୋଇଯାଏ ବୋଲି ବିନିଶ କହିଛନ୍ତି। ଯେହେତୁ ସେମାନେ ଡାକ୍ତରୀ ବର୍ଜ୍ୟବସ୍ତୁକୁ ନେଇ କାମ କରୁଛନ୍ତି ତେଣୁ ପ୍ରସ୍ତୁତି ବେଳେ ସୁରକ୍ଷା ଓ ସାବଧାନତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଏ ବୋଲି ଦେଶାଇ ସ୍ପଷ୍ଟ କରିଛନ୍ତି।