କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ୩୦ ତାରିଖ ଯାଏଁ ହୋଇପାରିବନି ନିଯୁକ୍ତି

839

କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର । କୋର୍ଟ ଏହି ନିଯୁକ୍ତି ପ୍ରକ୍ରିୟାରେ ଅଂକୁଶ ଲଗାଇଛନ୍ତି । ଆସନ୍ତା ୩୦ ତାରିଖରେ ଏହି ମାମଲାରେ ପରବର୍ତୀ ଶୁଣାଣି କରିବେ ହାଇକୋର୍ଟ । ସେ ପର୍ଯ୍ୟନ୍ତ କାହାରିକୁ ନିଯୁକ୍ତି ଦିଆଯିବ ନାହିଁ । କିନ୍ତୁ ନିଯୁକ୍ତି ପ୍ରକ୍ରିୟାରେ ଡକ୍ୟୁମେଂଟ ଯାଂଚ ପ୍ରକ୍ରିୟା ଜାରି ରହିବ । ସେପଟେ ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଦୋଷ ଠେଲାଠେଲି ହୋଇଛନ୍ତି ଇଡିସିଆଇଏଲ୍ ଓ ଓସେପା ।

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହାଇକୋର୍ଟରେ ପହଁଚିବା ପରେ ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର । ଜିଲ୍ଲା ଅନୁଯାୟୀ ତାଲିକା ପ୍ରକାଶ କରାଯାଇଥିବା ନେଇ ସତ୍ୟପାଠ ଦାଖଲ କରାଯାଇଛି । ଆଜି ମାମଲାର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅନ୍ତରୀଣ ନିର୍ଦ୍ଦେଶକୁ ବଳବତର ରଖିଛନ୍ତି ହାଇକୋର୍ଟ । ଆସନ୍ତା ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଦିନଧାର୍ଯ୍ୟ କରାଯାଇଛି । ଅର୍ଥାତ
୩୦ ତାରିଖ ପର୍ଯ୍ୟନ୍ତ ନିଯୁକ୍ତି ହୋଇପାରିବ ନାହିଁ
ତେବେ ଡକ୍ୟୁମେଂଟ ଯାଂଚ ପ୍ରକ୍ରିୟା ଜାରି ରହିବ
ଚୂଡ଼ାନ୍ତ ତାଲିକା ପ୍ରକାଶ ହେବନାହିଁ କିମ୍ବା କାହାରିକୁ ନିଯୁକ୍ତି ଦିଆଯିବ ନାହିଁ

ଏପଟେ ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଦୋଷ ଠେଲାଠେଲି ହୋଇଛନ୍ତି ଇଡିସିଆଇଏଲ୍ ଓ ଓସେପା । ଗତକାଲି ଶିକ୍ଷକ ନିଯୁକ୍ତିରେ ଯାହା କିଛି ସମସ୍ୟା ହୋଇଛି, ତାହା ଓସେପା ପକ୍ଷରୁ ହୋଇଥିବା ନେଇ ପ୍ରେସ ରିଲିଜ ଜାରି କରିଥିଲା ଇଡିସିଆଇଏଲ୍ । ସୋସିଆଲ୍ ମିଡିଆ ‘ଏକ୍ସ’ରେ ଏହାର ଜବାବ ରଖିଛି ଓସେପା । ଓସେପା ତା’ର ଅଫିସିଆଲ୍ ଆକାଉଂଟରେ ପୋଷ୍ଟ କରିଛି ଯେ, ପରୀକ୍ଷା ଓ ଫଳାଫଳ ସଂପୂର୍ଣର୍ ଭାବେ ଇଡିସିଆଇଏଲ୍ ସଂପନ୍ନ କରିଛି । ଜାନୁଆରୀ ୧୫ରେ ଇଡିସିଆଇଏଲ୍ ଦେଇଥିବା ତାଲିକାକୁ ସେହିଦିନ ହିଁ ଅପଲୋଡ୍ କରାଯାଇଛି ।

ଗୋଟିଏ ପଟେ ଏହି ଦୁଇ ସଂସ୍ଥା ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ କରୁଛନ୍ତି, ଅନ୍ୟପଟେ ଏହାକୁ ନେଇ ବିଜେଡି-ବିଜେପି ତୁତୁ ମେମେ ଜାରି ରହିଛି । ସାଂସଦ ସସ୍ମିତ ପାତ୍ର ‘ଏକ୍ସ’ରେ ପୋଷ୍ଟ କରି ଇଡିସିଆଇଏଲ୍ ପ୍ରେସ ରିଲିଜ ଉପରେ ପ୍ରଶ୍ନ ଉଠାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି, ମିଛ ଖବର ପ୍ରସାରଣ କରି ରାଜନୈତିକ ଫାଇଦା ପାଇଁ ଉଦ୍ୟମ କରାଯାଉଛି । କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ଆଶାୟୀଙ୍କ ଧାରଣା, ମାହାଲ ମାଣ୍ଡା ଭଳି ନକଲି ନାଁରେ ଆଡମିଟ୍ କାର୍ଡକୁ ନେଇ ରାଜ୍ୟ ରାଜନୀତି ରୋଚକ ହେବାରେ ଲାଗିଛି ।