ପିପିଲିରେ କିଏ ମାରିବ ବାଜି? ସାଧାରଣ ନିର୍ବାଚନ ଅପେକ୍ଷା ଉପ ନିର୍ବାଚନରେ ବଢିଲା ଭୋଟ ଦାନ ହାର । 

203

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏଥର ପିପିଲି ଉପନିର୍ବାଚନରେ ମହିଳାଙ୍କ ଭୋଟ ଦାନ ହାର ୧.୬୯ ପ୍ରତିଶତ ବଢ଼ିଛି  । ଖାଲି ସେତିକି ନୁହେଁ, ମୋଟ ଭୋଟ ଦାନ ହାର ମଧ୍ୟ ୨% ପ୍ରତିଶତ ବଢ଼ି ୭୮.୨୫%ରେ ପହଁଚିଛି । ତେବେ ଅଧିକ ସଂଖ୍ୟାରେ ମହିଳାଙ୍କ ଭୋଟ ଦାନ ହାର କାହା ସପକ୍ଷରେ ଯିବ? ମତଦାନ ହାର ଅଧିକ ହେଲେ ଏହା କ୍ଷମତାରେ ଥିବା ଦଳ ବିପକ୍ଷରେ ଯିବ କି? ଏଭଳି କିଛି କଥା ଏବେ ରାଜନୀତି କରିଡରରେ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ବିଜେପି ଏଥର କଡ଼ା ଟକ୍କର ଦେବ ବୋଲି ଆଶାବାଦୀ ଥିବାବେଳେ ବିଜେଡି ତାର ମାର୍ଜିନ ବଢ଼ାଇବ ବୋଲି କହିଛି । ଅନ୍ୟପଟରେ କଂଗ୍ରେସ ତୃତୀୟ ସ୍ଥାନରେ ରହିବ ବୋଲି ଏକପ୍ରକାର ସ୍ୱୀକାର କରିିନେଇଛି ।

ପିପିଲି ଉପନିର୍ବାଚନ ଭୋଟିଂ ପରେ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ ହୋଇରହିଛି । ପିପିଲିବାସୀ କାହାକୁ ନିଜର ନେତା ବାଛିଛନ୍ତି, ତାହା ଆଉ ଦୁଇଦିନ ପରେ ଅର୍ଥାତ ୩ ତାରିଖରେ ଜଣାପଡିଯିବ । ତେବେ ୨୦୧୯ ସାଧାରଣ ନିର୍ବାଚନ ଓ ୨୦୨୧ର ଏହି ଉପନିର୍ବାଚନକୁ ତୁଳନା କଲେ ଦେଖାଯାଉଛି ଏଥର ୨ ପ୍ରତିଶତ ଅଧିକ ଭୋଟର ଭୋଟ ଦେବାକୁ ଆସିଛନ୍ତି । ଏହା ଭିତରେ ମହିଳା ଭୋଟର ସଂଖ୍ୟା ୧.୭% ବଢିଥିବାବେଳେ ପୁରୁଷ ଭୋଟ ବଢିଛନ୍ତି ୨.୩% । ତେବେ ପିପିଲି ଉପନିର୍ବାଚନରେ ଏଥର ଅଧିକ ଭୋଟିଂ ହେବା କିଛି ଇସାରା କରୁଛି କି? ଏ ସମ୍ପର୍କରେ ଉଭୟ ବିଜେଡି ଓ ବିଜେପି ଏବେ ମାପିଚୁପି ବୟାନ ରଖିଛନ୍ତି । କେହି କହିନାହାନ୍ତି ସେମାନେ ବଡ ବ୍ୟବଧାନରେ ବିଜୟ ହାସଲ କରିବେ । କିନ୍ତୁ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ସେମାନେ ତୃତୀୟ ସ୍ଥାନରେ ରହିବେ ।

ସୂଚନାଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ୫୦.୬୬% ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୪୧.୬୨% ଭୋଟ ପାଇଥିଲେ । ଶେଷକୁ ପ୍ରଦୀପ ମହାରଥୀ ୧୫, ୭୮୭ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ସେହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମାତ୍ର ୫.୬୩ ପ୍ରତିଶତ ଭୋଟ ପାଇଥିଲେ । ଅନ୍ୟପଟେ ଚଳିତ ପିପିଲି ଉପନିର୍ବାଚନର ଫଳାଫଳ କୌଣସି ପରିବର୍ତ୍ତନର କାରଣ ହେବ ନାହିଁ । କିନ୍ତୁ ଏହି ଉପନିର୍ବାଚନର ଫଳାଫଳ ଲୋକଙ୍କ ମୁଡ ଆଡକୁ ଇଙ୍ଗିତ କରିବ । ଯାହା ଏକ ସାଧାରଣ କଥା ନୁହେଁ । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଛି । ତେଣୁ ରାଜନୈତିକ ପର୍ଯ୍ୟବେକ୍ଷକମାନେ ଏହାର ଫଳାଫଳ ଉପରେ ନଜର ରଖିଛନ୍ତି ।