ନୂଆବର୍ଷରେ ପୁରୀରେ ଜମିଲା ରଥଯାତ୍ରା ପରି ଭିଡ଼ ! ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ରେକର୍ଡ ଗହଳି, ମହାପ୍ରଭୁଙ୍କ ଦର୍ଶନ ପାଇଁ ପହଞ୍ଚିଲେ ୬ରୁ ୭ ଲକ୍ଷ ଶ୍ରଦ୍ଧାଳୁ ।

218

କନକ ବ୍ୟୁରୋ : ଆଜି ନୂଆବର୍ଷରେ ଶ୍ରୀମନ୍ଦିରକୁ ଛୁଟିଛି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ । ବର୍ଷର ପ୍ରଥମ ଦିନରେ ପ୍ରାୟ ୬ରୁ ୭ ଲକ୍ଷ ଭକ୍ତ ଆଜି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଠାକୁର ଦର୍ଶନରୁ ନୂଆବର୍ଷ ଆରମ୍ଭ କରିବା ଲକ୍ଷ୍ୟରେ ଆଜି ପୁରୀ ପହଂଚିଥିଲେ ରାଜ୍ୟ ଓ ରାଜ୍ୟ ବାହାରର ଲକ୍ଷ ଲକ୍ଷ ଭକ୍ତ । କେବଳ ଭକ୍ତ କାହିଁକି ନେତା ଓ ମନ୍ତ୍ରୀ ମଧ୍ୟ ଆଜି ଜଗନ୍ନାଥ ଦର୍ଶନ କରିଛନ୍ତି । ଏପଟେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ନୂଆବର୍ଷରେ ରଥଯାତ୍ରା ଭିଡ଼ ! ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ରେକର୍ଡ ଗହଳି । ୬ରୁ ୭ ଲକ୍ଷ ଭକ୍ତଙ୍କ ଜଗନ୍ନାଥ ଦର୍ଶନ ! ଠାକୁର ଦର୍ଶନରୁ ନୂଆବର୍ଷ ଆରମ୍ଭ କରିବା ଅଭିଳାଷା ନେଇ ଦେଶର କୋଣ ଅନୁକୋଣରୁ ଆଜି ଶ୍ରୀକ୍ଷେତ୍ରକୁ ଧାଇଁ ଆସିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ବ୍ୟାରିକେଟ୍ ଜରିଆରେ ଶ୍ରୀମନ୍ଦିରକୁ ଛୁଟୁଥିବା ଭକ୍ତଙ୍କ ଲମ୍ବା ଧାଡ଼ି ହିଁ ପ୍ରମାଣ କରୁଥିଲା, ନୂଆବର୍ଷରେ ପୁରୀରେ କେଉଁ ଭଳି ଗହଳି ହୋଇଛି । ଆଉ ଭକ୍ତଙ୍କ ଏହି ଗହଳିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବି ହୋଇଥିଲା ବ୍ୟବସ୍ଥିତ ବ୍ୟବସ୍ଥା ।

ମଙ୍ଗଳବାର ସଅଳ ପହଡ଼ ପଡ଼ିଥିବା ବେଳେ ନୂଆବର୍ଷରେ ବେଶ ଆଗୁଆ ହୋଇଛି ନୀତିକାନ୍ତି । ମଙ୍ଗଳଆଳତୀ, ରୋଷହେମ, ମଇଲମ ଓ ତଡ଼ପ ଲାଗି, ଅବକାଶ, ସୂର୍ଯ୍ୟପୂଜା ଏବଂ ଦ୍ୱାରପାଳ ପୂଜା ଆଦି ନୀତି ବେଶ ତତ୍ପରତା ସହ ଶେଷ ହୋଇଥିଲା । ଆଉ ଏହା ପରେ ପରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ ।
ସବୁଠାରୁ ବଡ଼ କଥା ହେଉଛି, ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ନୂଆବର୍ଷରେ ରେକର୍ଡ ଛୁଇଁଛି ଶ୍ରଦ୍ଧାଳୁଙ୍କ ସଂଖ୍ୟା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବର୍ଷର ପ୍ରଥମ ଦିନରେ ପ୍ରାୟ ୬ରୁ ୭ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଯେଉଁଥି ପାଇଁ କୁହାଯାଉଛି ଏଥର ନୂଆବର୍ଷରେ ହୋଇଥିଲା ରଥଯାତ୍ରା ଗହଳି ।

ସାଧାରଣତଃ ରଥଯାତ୍ରାରେ ୧୦ରୁ ୧୨ ଲକ୍ଷ ଶ୍ରଦ୍ଧାଳୁ ପୁରୀ ଆସୁଥିବା ବେଳେ ବାହୁଡ଼ାଯାତ୍ରା ସମୟରେ ଏହି ସଂଖ୍ୟା ୬ରୁ ୭ ଲକ୍ଷ ଯାଏଁ ରହିଥାଏ । ହେଲେ ଏଥର ନୂଆବର୍ଷରେ ସେଭଳି ଏକ ଭିଡ ଦେଖିବାକୁ ମିଳିଛି । ନୂଆବର୍ଷରେ କେବଳ ଯେ, ସାଧାରଣ ଜନତା କାହିଁକି, ଠାକୁର ଦର୍ଶନ ପାଇଁ ପୁରୀରେ ପହଂଚିଥିଲେ ନେତା ଓ ମନ୍ତ୍ରୀ । ଏପଟେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିଲା । ପୁରୀରେ ୬୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଶାନ୍ତିଶୃଙ୍ଖଳା ପାଇଁ ପହରା ଦେଇଛନ୍ତି ପୁଲିସ୍ କର୍ମଚାରୀ ।