ଜିଏସଟି ଆଦାୟରେ ନୂଆ ସର୍ବକାଳୀନ ରେକର୍ଡ । ଏପ୍ରିଲ୍‌ରେ ୧.୪୧ ଲକ୍ଷ କୋଟିର ରାଜସ୍ବ ଆଦାୟ ।

120

କନକ ବ୍ୟୁରୋ : ଏପ୍ରିଲ ମାସରେ ଦେଶର ଜିଏସଟି ରାଜସ୍ୱ ଏକ ନୂଆ ସର୍ବକାଳୀନ ରେକର୍ଡ ୧ ଲକ୍ଷ ୪୧ ହଜାର କୋଟି ଛୁଇଁଛି  । ଗତ ମାର୍ଚ୍ଚ ମାସରେ ଆଦାୟ ହୋଇଥିବା ରେକର୍ଡ ୧ ଲକ୍ଷ ୨୩ ହଜାର ୯୦୨ କୋଟିର ଜିଏସଟି ରାଜସ୍ବକୁ ଏହା ଟପିଯ଼ାଇଛି । ଗତ ୨୦୧୭ ଜୁଲାଇରେ ଦେଶରେ ଜିଏସଟି ଲାଗୁ ହେବା ପରଠାରୁ ଏହା ହେଉଛି ସର୍ବାଧିକ ମାସିକ ଜିଏସଟି ସଂଗ୍ରହ । ଫେବ୍ରୁଆରି ୨୦୨୧ରେ ଜିଏସଟି ଆଦାୟ ୧,୧୩,୧୪୩ କୋଟି ଟଙ୍କା ଥିଲା ।

ଏପ୍ରିଲ ମାସରେ ସଂଗ୍ରହ ହୋଇଥିବା ୧,୪୧,୩୮୪ କୋଟିରୁ କେନ୍ଦ୍ରୀୟ ଜିଏସଟି  ୨୭୮୩୭ କୋଟି, ରାଜ୍ୟ ଜିଏସଟି ୩୫୬୨୧୯ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୬୮,୪୮୧ କୋଟି ଟଙ୍କା ଓ ସେସ ୯୪୪୫ କୋଟି ଟଙ୍କା ଅନ୍ତର୍ଭୁକ୍ତ । ଏପ୍ରିଲ ୨୦୨୦ରେ ଦେଶରେ ଲକଡାଉନ ଚାଲିଥିବାରୁ ସରକାରଙ୍କ ଜିଏସଟି ରାଜସ୍ୱ ହ୍ରାସ ପାଇ ୩୨୧୭୨ କୋଟିକୁ ହ୍ରାସ ପାଇଥିଲା । ସେହିପରି ମେ ୨୦୨୦ରେ ଏହା ୬୨,୧୫୧ କୋଟିକୁ ବୃଦ୍ଧି ପାଇଥିଲା । ଜୁନ ମାସରେ ସରକାର ୯୦,୯୧୭ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ କରିଥିଲେ । ମାତ୍ର ଗତ ଅକ୍ଟୋବର ପରଠାରୁ ଜିଏସଟି ଆଦାୟ କ୍ରମାଗତ ଭାବେ ୧ ଲକ୍ଷ କୋଟି ଉପରେ ରହୁଛି । ଏହା ଅର୍ଥନୀତିରେ କ୍ରମାଗତ ସୁଧାରର ଲକ୍ଷଣ ବୋଲି କୁହାଯାଉଛି ।