କନକ ବ୍ୟୁରୋ: ରାଜ୍ୟରେ ରେଳଲାଇନ୍ ଶତ ପ୍ରତିଶତ ବିଦ୍ୟୁତିକରଣ ହୋଇଛି। ଓଡିଶାରେ ରେଳବାଇର ଉନ୍ନତି ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ । ଆଜି ଓଡିଶାକୁ ରେଲଓ୍ୱେରେ ମିଳିଥିବା ଅନୁଦାନ ବାବଦରେ ଘୋଷଣା କରି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହା କହିଛନ୍ତି ।

ଓଡ଼ିଶାରେ ରେଳବାଇର ଉନ୍ନତୀକରଣ ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ । ୟୁପିଏ ଭଳି ଆଉ ସ୍ଥିତି ନାହିଁ କି ମାଗିବାକୁ ପଡୁନାହିଁ । ମୋଦୀ ସରକାର ସ୍ବେଛାକୃତ ଭାବରେ ଅନୁଦାନ ଦେଉଛନ୍ତି ବୋଲି ପ୍ରେସମିଟ୍ କରି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ନବ କହିଛନ୍ତି । ନଜର ପକାନ୍ତୁ ବିଗତ ବଜେଟରେ ମିଳିଥିବା ଅନୁଦାନ ଉପରେ।

୨୦୨୪-୨୫ ବଜେଟରେ ୧୦ ହଜାର ୫୮୬ କୋଟି
ଅନ୍ତରୀଣ ବଜେଟରେ ୧୦,୫୩୬ କୋଟି
୨୦୨୩-୨୪ ବଜେଟରେ ୧୦,୦୧୨ କୋଟି
୨୦୨୨-୨୩ ବଜେଟରେ ୯୭୩୪ କୋଟି

ଓଡିଶାରେ ରେଲବାଇର ବିକାଶ ଦିଗରେ ମୋଦୀ ସରକାରଙ୍କ ଅନୁଦାନ । ରେଳମନ୍ତ୍ରୀ କହିଛନ୍ତି, ପୂର୍ବ ୟୁପିଏ ସରକାର ସମୟରେ ଓଡ଼ିଶାକୁ ୮୩୮ କୋଟି ଟଙ୍କା ମିଳୁଥିଲା। ଅଧିକ ଅନୁଦାନ ପାଇଁ ଦାବି ହେଉଥିଲା। କିନ୍ତୁ ମୋଦୀ ସରକାର ୟୁପିଏ ତୁଳନାରେ ୧୨ ଗୁଣ ଅଧିକ ଟଙ୍କା ଦେଉଛନ୍ତି ବୋଲି କହି ନିଜ ସରକାରର ପିଠି ଥାପୁଡାଇଛନ୍ତି ରେଳମନ୍ତ୍ରୀ ।

ଓଡ଼ିଶାରେ ପ୍ରାୟ ୪୦ରୁ ଅଧିକ ପ୍ରକଳ୍ପ କାମ ଚାଲିଛି। ଯେଉଁଥିରେ ୫୪,୪୩୪ କୋଟି ଟଙ୍କା ବିନିଯୋଗ ହୋଇଛି। ସେହିପରି ରାଜ୍ୟରେ ୧୦୦% ବିଦ୍ୟୁତି କରଣ ହୋଇଛି। ସେହିପରି ୫୯ଟି ଷ୍ଟେସନରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ କରାଯାଇଛି । ଯେଉଁଥିରେ ମୟୂରଭଞ୍ଜର ବାଦାମପାହଡ ଭଳି ଷ୍ଟେସନ ରହିଛି । ୨୦୧୪ରୁ ଏପର୍ୟ୍ୟନ୍ତ ୪୨୭ଟି ଫ୍ଲାଏଓଭର ଓ ଅଣ୍ଡରପାସ୍‌ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।