ବଜେଟ୍ ଭାଷଣ ପଢ଼ିବାରେ ଅର୍ଥମନ୍ତ୍ରୀଙ୍କ ସର୍ବକାଳୀନ ରେକର୍ଡ । ୨ ଘଣ୍ଟା ୩୯ ମିନିଟର ବଜେଟ୍ ଭାଷଣ ରଖିଲେ ନିର୍ମଳା ସୀତାରମଣ ।

199

କନକ ବ୍ୟୁରୋ : ଇତିହାସରେ ସବୁଠୁ ଲମ୍ବା ଭାଷଣ ରଖିଛନ୍ତି ନିର୍ମଳା ସୀତାରମଣ । ୨୦୧୯-୨୦ ବଜେଟ୍ ଭାଷଣରେ ୨ଘଂଟା ୧୫ ମିନିଟର ଭାଷଣ ଦେଇ ଦୀର୍ଘ ୧୬ ବର୍ଷର ରେକର୍ଡ ଭାଙ୍ଗିଥିଲେ ନିର୍ମଳା । ଆଜି ୨ ଘଂଟା ୪୦ ମିନିଟର ବଜେଟ୍ ଭାଷଣ ରଖି ନିଜ ରେକର୍ଡ ଭାଂଗିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ନିର୍ମଳା ସୀତାରମଣଙ୍କ ସର୍ବକାଳୀନ ରେକର୍ଡ । ଅର୍ଥମନ୍ତ୍ରୀଙ୍କ ୨ ଘଂଟା ୩୯ ମିନିଟର ବଜେଟ୍ ଭାଷଣ । ନୂଆ ଦଶକର ପ୍ରଥମ ବଜେଟ୍ ଭାଷଣରେ ଏକ ନୂଆ କିର୍ତ୍ତିମାନ ଅର୍ଜନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନିରବଚ୍ଛିନ୍ନ ଭାବରେ ପ୍ରାୟ ୨ ଘଂଟା ୩୯ ମିନିଟ୍ ଅର୍ଥାତ୍ ୧୫୯ ମିନଟ୍ ଯାଏଁ ବଜେଟ୍ ଭାଷଣ ରଖି ଭାରତ ଇତିହାସରେ ସବୁଠୁ ଲମ୍ବା ଭାଷଣ ରଖିଛନ୍ତି ନିର୍ମଳା ସୀତାରମଣ । କ୍ରମାଗତ ଭାବରେ ୨ ଘଂଟା ୩୯ ମିନିଟ୍ ଭାଷଣ ଦେବା ପରେ ଅର୍ଥମନ୍ତ୍ରୀ ସାମାନ୍ୟ ଅସ୍ୱାଭାବିକ ଅନୁଭବ କରିଥିଲେ । ଆଉ ଏହାକୁ ଦେଖି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ତାଙ୍କୁ ଭାଷଣ ଶେଷ କରିବାକୁ ଅନୁରୋଧ କରିବା ପରେ ବଜେଟ୍ ଭାଷଣ ସାରିଥିଲେ ନିର୍ମଳା ସୀତାରମଣ ।

ଭାଷଣ ସାରିବାକୁ ଆଉ ମାତ୍ର ୨ ପୃଷ୍ଠା ବାକି ଥିବା ବେଳେ ଅର୍ଥମନ୍ତ୍ରୀଙ୍କୁ ଭାଷଣ ଶେଷ କରିବାକୁ ଅନୁରୋଧ କରିଥିଲେ ରାଜନାଥ ସିଂ । ଦେଶର ପ୍ରଥମ ମହିଳା ପୂର୍ଣ୍ଣାଙ୍ଗ ଅର୍ଥମନ୍ତ୍ରୀ ତଥା ଇନ୍ଦିରା ଗାନ୍ଧୀ ପରେ ଦ୍ୱିତୀୟ ମହିଳା ଅର୍ଥମନ୍ତ୍ରୀ, ନିର୍ମଳା ସୀତାରମଣ ତାଙ୍କ ପ୍ରଥମ ବଜେଟ୍ ଭାଷଣରେ ବି ରେକର୍ଡ କରିଥିଲେ । ଗତ ବଜେଟରେ ୨ ଘଂଟା ୧୫ ମିନିଟର ଲମ୍ବା ଭାଷଣ ରଖିଥିଲେ ନିର୍ମଳା ସୀତାରମଣ ।

ମାତ୍ର ୭ ମାସରେ ନୂଆ ରେକର୍ଡ । ନିଜ ରେକର୍ଡ ଭାଙ୍ଗିଲେ ନିର୍ମଳା । ୨୦୧୯-୨୦ ବଜେଟ୍ ଭାଷଣରେ ଦୀର୍ଘ ୧୬ ବର୍ଷର ରେକର୍ଡ ଭାଙ୍ଗିଥିଲେ ନିର୍ମଳା ସୀତାରମଣ । ୨୦୦୩ ମସିହାରେ ଏନଡିଏ ସରକାରର ତତ୍କାଳୀନ ଅର୍ଥମନ୍ତ୍ରୀ ଯଶବନ୍ତ ସିଂଙ୍କ ୨ ଘଂଟା ୧୩ ମିନିଟର ରେକର୍ଡ ଭାଙ୍ଗିଥିଲେ ବର୍ତମାନର ଅର୍ଥମନ୍ତ୍ରୀ । ଆଉ ୨୦୨୦-୨୧ ବଜେଟ୍ ଭାଷଣରେ ନିଜର ରେକର୍ଡ ଭାଙ୍ଗିଛନ୍ତି ଅର୍ଥମନ୍ତ୍ରୀ । ନିର୍ମଳାଙ୍କ ପୂର୍ବରୁ ଦିବଙ୍ଗତ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ୨୦୧୮ ମସିହାରେ ନିଜର ପଂଚମ ବଜେଟ୍ ଭାଷଣରେ ଗୋଟିଏ ଘଂଟା ୪୯ ମିନିଟର ଅଭିଭାଷଣ ରଖିଥିଲେ । ହେଲେ ଏହି ସମସ୍ତ ରେକେର୍ଡକୁ ଅତିକ୍ରମ କରିଯାଇଛନ୍ତି ନିର୍ମଳା ସୀତରମଣ ।