ଏପ୍ରିଲ ମାସରେ ଭାଙ୍ଗିଲା ଗ୍ରୀଷ୍ମ ପ୍ରବାହ ରେକର୍ଡ । ୨୧ ତାରିଖରୁ ବଦଳିପାରେ ପାଗ । ୨୫ ପରେ ପୁଣି ଫେରିବ ତାତି । ଏପଟେ ଅଂଶୁଘାତରେ ଗଲା ଜଣଙ୍କ ଜୀବନ

341

କନକ ବ୍ୟୁରୋ: ସାରା ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୪ ଡିଗ୍ରୀ ଡେଇଁଛି ତାତି । ଆଜି ବୌଦ୍ଧରେ ୪୪.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବାରିପଦାରେ ୪୪.୨ ଡିଗ୍ରୀ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ୧୦ ସହରରେ ୪୩ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ୩୨ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା ।

  • ଏପ୍ରିଲ୍ ମାସରେ ଅସହ୍ୟ ତାତି
  • ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ ପ୍ରବାହ
  • ୨୬ ତାରିଖରୁ ତୃତୀୟ ପର୍ଯ୍ୟାୟ ଗ୍ରୀଷ୍ମ ପ୍ରବାହ ଆଶଙ୍କା
  • ଅଂଶୁଘାତରେ ଗଲା ଜଣଙ୍କ ଜୀବନ

ରାତି ପାହିଲା ବେଳକୁ ଆରମ୍ଭ ହୋଇଯାଉଛି ଗରମ । ସକାଳ ସାଢ଼େ ୮ଟା ବେଳକୁ ଅଧିକାଂଶ ଜିଲ୍ଲାରେ ୩୦ ଡିଗ୍ରୀ ଟପିଯାଉଛି ପାରଦ । ଏହି ସମୟରେ ଆଜି ତାଳଚେରରେ ୩୫ ଡିଗ୍ରୀ ଛୁଇଁ ଯାଇଥିଲା ତାପମାତ୍ରା । ଦିନ ବଢିବା ସାଙ୍ଗକୁ ଖରାର ପ୍ରକୋପ ବଢ଼ିବା ସହ ଝାଞ୍ଜି ପବନ ଅସ୍ତବ୍ୟସ୍ତ କରିପକାଉଛି । ଗୋଟିଏ ପଟେ ତାତି, ଅନ୍ୟପଟେ ଅଧିକ ଆର୍ଦ୍ରତା ଥିବାରୁ ଅସହ୍ୟ ଗୁଳୁଗୁଳି, ସାଂଘାତିକ ସ୍ଥିତି ସୃଷ୍ଟି କରୁଛି । ଆଗାମୀ ଦୁଇ ଦିନ ପାଇଁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୦ ତାରିଖରେ ୧୭ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଓ ୨୧ ତାରିଖରେ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ୪୬ ଡିଗ୍ରୀ ପର୍ଯ୍ୟନ୍ତ ଉପରକୁ ଉଠିପାରେ ପାରଦ ।

କାହିଁକି ବଢୁଛି ତାତି?

  • ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଓ ଗରମ ବାୟୁ ପ୍ରବାହ
  • ତୀର୍ଯ୍ୟକ ସୂର୍ଯ୍ୟକିରଣ
  • ବାୟୁରେ ଅଧିକ ଆର୍ଦ୍ରତା
  • କାଳବୈଶାଖୀ ବର୍ଷାର ଅଭାବ

ଏହି କାରଣ ଯୋଗୁଁ ସନ୍ତୁଳି ହେଉଛି ଓଡ଼ିଶା । କେବଳ ସେତିକି ନୁହେଁ, ଏପ୍ରିଲ ମାସରେ ଚଳିତ ବର୍ଷ ରେକର୍ଡ ଭାଙ୍ଗିଛି ଗ୍ରୀଷ୍ମ ପ୍ରବାହ ।

  • ଏପ୍ରିଲ ମାସରେ ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ ପ୍ରବାହ
  • ଏପ୍ରିଲ ମାସରେ ଦୁଇ ପର୍ଯ୍ୟାୟରେ ୩ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ହୋଇଥାଏ
  • ଗତ ବର୍ଷ ୫ ଦିନ ଧରି ଗ୍ରୀଷ୍ମ ପ୍ରବାହ ହୋଇଥିଲା
  • ଚଳିତ ବର୍ଷ ଏପର୍ଯ୍ୟନ୍ତ ଦୁଇ ପର୍ଯ୍ୟାୟରେ ୬ ଦିନ ଗ୍ରାଷ୍ମ ପ୍ରବାହ ଅନୁଭୂତ ହୋଇଛି
  • ଆହୁରି ୨ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ
  • ୨-୩ ଦିନର ବିରତି ପରେ ପୁଣି ବଢ଼ିବ ତାତି
  • ଏଥର ଏପ୍ରିଲ ମାସରେ ୩ ପର୍ଯ୍ୟାୟରେ ହେବ ଗ୍ରୀଷ୍ମ ପ୍ରବାହ
  • ୨୬ ଏପ୍ରିଲରୁ ମେ’ ୨ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଆଶଙ୍କା

ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ହୋଇଛି । ବାଲେଶ୍ୱରର ଜଣେ ବ୍ୟକ୍ତିଙ୍କର ଅଂଶୁଘାତରେ ଜୀବନ ଯାଇଛି । ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଓ ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତାରେ ପୀଡ଼ିତ ହୋଇ ୭୧ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୟୂରଭଞ୍ଜ ଓ ଅନୁଗୁଳରୁ ୭ଜଣ ଲେଖାଏଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତ ଆଶଙ୍କା ବଢ଼ିବାରେ ଲାଗିଛି । ୨୧ ତାରିଖ ପରେ ପାଗରେ ପରିବର୍ତ୍ତନ ହୋଇପାରେ । କାଳବୈଶାଖୀ ବର୍ଷା ଯୋଗୁଁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । କିନ୍ତୁ ୨୫ ତାରିଖ ପରେ ତାତି ପୁଣି ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।