କନକ ବ୍ୟୁରୋ: ହନୁମାନ ଚାଳିଶା ପଢନ୍ତୁ , ଗାଏବ ହୋଇଯିବ କରୋନା । ବିଜେପିର ବିବାଦୀୟ ନେତ୍ରୀ ତଥା ଭୋପାଳ ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କ ଏଭଳି ମତ ନୂଆ ଚର୍ଚା ସୃଷ୍ଟି କରିଛି । ଅଗଷ୍ଟ ୫ ତାରିଖ ଯାଏ ଦିନକୁ ୫ଥର ହନୁମାନ ଚାଳିଶା ପାଠ କରିବାକୁ ଅହ୍ୱାନ ଦେଇଛନ୍ତି ପ୍ରଜ୍ଞା । କୋରନା ମହାମାରୀକୁ ଦୂର କରିବାକୁ ହେଲେ ଏବଂ ସୁସ୍ଥ ରହିବାକୁ ହେଲେ ହନୁମାନ ଚାଳିଶା ପାଠ ଅତ୍ୟନ୍ତ ଜରୁରୀ ବୋଲି ସେ ନିଜ ନିର୍ବାଚନମଣ୍ଡଳୀ ବାସିନ୍ଦାଙ୍କୁ କହିଛନ୍ତି ।

Advertisment

ନିର୍ବାଚନ କ୍ଷେତ୍ରର ସମସ୍ତଙ୍କୁ ଆହ୍ୱାନ ଦେଇ ସାଂସଦ କହିଛନ୍ତି ଯେ, ଆଜିଠାରୁ ଅଗଷ୍ଟ ୫ ତାରିଖ ଯାଏ ପ୍ରତ୍ୟକ ଦିନ ସନ୍ଧ୍ୟା ୭ଟାରେ ନିଜ ନିଜ ଘରେ ୫ଥର ହନୁମାନ ଚାଳିଶା ପାଠ କରିବା ସହ ଅଗଷ୍ଟ ୫ ତାରିଖରେ ରାମଲାଲାଙ୍କ ଆଳତୀ କରି ଘରେ ଦୀପ ଜଳାଇ ସମାପନ କରନ୍ତୁ । ଗୋଟିଏ ପଟେ ଦେଶରେ ସଂକ୍ରମଣ ସଂଖ୍ୟା ୧୪ ଲକ୍ଷ ଏବଂ ୩୨ ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ବିଜେପି ସାଂସଦ ରଖିଛନ୍ତି ଏଭଳି ଅଜବ ମନ୍ତବ୍ୟ । ସାରା ବିଶ୍ୱ କରୋନା ମହାମାରୀର ଲଢେଇ ପାଇଁ ଟିକା ଓ ଔଷଧ ତିଆରିରେ ଲାଗିଥିବା ବେଳେ ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କ ହନୁମାନ ଚାଳିଶା ପାଠ ଆହ୍ୱାନକୁ ନେଇ ବିତର୍କ ଆରମ୍ଭ ହୋଇଛି ।