ଗଲୱାନ ଘାଟିରେ ଡ୍ରାଗନ ସେନା ସହ ଲଢି ଦେଶ ପାଇଁ ବଳିଦାନ ଦେଇଥିବା ଓଡିଆ ବୀର ପୁଅଙ୍କୁ ଆଜି ବି ଝୁରୁଛି ମାଟି । ବର୍ଷେ ପରେ କେମିତି ଅଛି ସହିଦଙ୍କ ପରିବାର… ?

212

କନକ ବ୍ୟୁରୋ: ଦିନ ଯାଇଛି ଚିହ୍ନ ରହିଛି । ବର୍ଷେ ପରେ ବି ବୀର ପୁଅକୁ ଝୁରୁଛି ମାଆ, ଝୁରୁଛି ମାଟି । ଗାଁ ପାଇଁ ଗୌରବ ପାଲଟିଥିବା ପୁଅକୁ ଖୋଜି ହେଉଛନ୍ତି ଗାଁ ଲୋକେ । ଠିକ୍ ବର୍ଷେ ତଳେ ଅର୍ଥାତ ଜୁନ ୧୫ ୨୦୨୦ରେ ଗଲୱାନ ଘାଟିରେ ଡ୍ରାଗନ ସେନା ସହ ମୁହାଁମୁହିଁ ହୋଇଥିଲେ ଭାରତୀୟ ସେନା । ଜୋରଦାର ସଙ୍ଘର୍ଷରେ ୨୦ ଯବାନ ସହିଦ ହୋଇଥିବା ବେଳେ ଓଡିଶା ହରାଇଥିଲା ୨ ବୀର ଓଡିଆ ପୁଅଙ୍କୁ । କନ୍ଧମାଳର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଞ୍ଜର ନନ୍ଦୁରାମ ସୋରେନ ଦେଶ ପାଇଁ ବଳୀଦାନ ଦେଇଥିଲେ । ଆଉ ସେହି ବୀର ଯବାନଙ୍କ ସହିଦକୁ ୟାରି ଭିତରେ ପୂରିଛି ବର୍ଷେ । ବଳିଦାନକୁ ଏକ ବର୍ଷ ପୂରିଥିଲେ ବି ଏବେବି ଝୁରି ହେଉଛି ମାଟି ମାଆ…

କାନ୍ଥରେ ଟଙ୍ଗା ହୋଇଛି ବୀର ପୁଅର ସ୍ମୃତି, କାନ୍ଥରେ ଝୁଲୁଥି ଗୌରବର ଗାଥା । ପୁଅର ବୀର ବେଶ ଓ ପୁଳା ପୁଳା ପଦକକୁ ଦେଖି ଝୁରିହେଉଛନ୍ତି ପରିବାର ଲୋକେ । ଆଉ ଲୁହ, କୋହର ମଝାମଝିରେ ପୁଅ ପାଇଁ ଗର୍ବ କରୁଛନ୍ତି କନ୍ଧମାଳ ରାଇକିଆ ବିୟରପାଙ୍ଗା ଗାଁର ବୀର ସହିଦ ଚନ୍ଦ୍ରକାନ୍ତଙ୍କ ବାପା । ଭାଇ କଥା ଭାରି ମନେପଡୁଛି । ବର୍ଷେ ହେଲା ଭାଇ ବିନା ବଞ୍ଚିବା କଷ୍ଟ ହେଉଛି । ବୀର ଭାଇର କଥା କହିବା ବେଳେ କାନ୍ଦି ପକାଉଛି ଗେହ୍ଲି ଭଉଣୀ । ସେପଟେ ଚନ୍ଦ୍ରକାନ୍ତ ପରିବାରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ସେ ସହିଦ ହେବା ପରେ ଏ ଦୁଃଖରେ ବି ଦିନ ବିତୁଛି ।

୨୦୧୪ରେ ସେନାରେ ସାମିଲ ହୋଇଥିଲେ ବୀର ଯବାନ ଚନ୍ଦ୍ରକାନ୍ତ । ମାତ୍ର ଗତବର୍ଷ ଭାରତ- ଚୀନ ସୀମାରେ ମୁତୟନ ହୋଇଥିବା ବେଳେ ସଙ୍ଘର୍ଷରେ ପ୍ରାଣ ହରାଇଥିଲେ । ଆଉ ଦେଶ ପାଇଁ ସହିଦ ହୋଇଥିଲେ । ବୀର ପୁଅ ଦେଶ ପାଇଁ ବଳିଦାନ ଦେବା ପରେ ତାଙ୍କ ନାଁରେ ରାଇକିଆ ବସଷ୍ଟାଣ୍ଡ ଏବଂ ଏକ ପ୍ରତିମୂର୍ତ୍ତି ତୋଳିବାକୁ ନେତାଏ ପ୍ରତିଶ୍ରୁତି ଦେଇଥିଲେ ବି ବର୍ଷେ ପରେ ସବୁ ପାଶୋରି ଯାଇଛନ୍ତି ।

ସେପଟେ ଗଲୱାନ ସଙ୍ଘର୍ଷ ଆଉ ଜଣେ ବୀର ଓଡିଆ ପୁଅଙ୍କୁ ଛଡାଇ ନେଇଥିଲା । ମୟୂରଭଞ୍ଜ ଜିଲ୍ଲା ରାଇରାଙ୍ଗପୁର ବଡ ଚମ୍ପାଉଦା ଗାଁର ନନ୍ଦୁରାମ ସୋରେନ ସହିଦ ହୋଇଥିଲେ । ଇତି ମଧ୍ୟରେ ତାଙ୍କ ସହିଦକୁ ବର୍ଷେ ବିତିଥିବା ବେଳେ ବୀର ପୁଅଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳୀ ଦେଇଛି ମାଟି । ସହିଦ ସ୍ମୃତି ସ୍ଥଳରେ ଶ୍ରଦ୍ଧାଞ୍ଜଳୀ ଦେଇଛି ପୋଲିସ, ପ୍ରଶାସନ ଓ ତାଙ୍କୁ ଭଲପାଉଥିବା ଲୋକେ । ସ୍ୱାମୀଙ୍କ ଶେଷ କଲ ଆଉ ତାଙ୍କ କଥା କହି ଆଖିରେ ଲୁହ ଜକେଇ ଆଣିଛନ୍ତି ସହିଦଙ୍କ ସ୍ତ୍ରୀ ।

ଶତ୍ରୁଙ୍କ ସହ ଲଢି ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବାପାଙ୍କ ପାଇଁ ଗର୍ବ କରିଛନ୍ତି ୩ ଝିଅ । ଆଉ ବାପାଙ୍କ ପରି ଯବାନ ହେବାକୁ ଶପଥ ନେଇଛନ୍ତି । ସତରେ ଦେଶ ପାଇଁ ବଳୀଦାନ ଦେଇଥିବା ପ୍ରତିଟି ବୀରଙ୍କ ତ୍ୟାଗକୁ କେବେ ଭୁଲିଛି ନା କେବେ ଭୁଲି ପାରିବ ଦେଶ…