ମିଠା ଖାଅ, ମତେ ଭୋଟ ଖଣ୍ଡେ ଦିଅ… ଘର ଘର ବୁଲି ମିଠା ଦେଇ ପ୍ରଚାର କରୁଛନ୍ତି ମାଉସୀ ।

181

କନକ ବ୍ୟୁରୋ: ମିଠା ଖାଅ, ମତେ ଭୋଟ ଖଣ୍ଡେ ଦିଅ । ମିଠା ଖାଇ ମନେ ରଖିଥିବ, ଭୋଟ ଦେଲା ବେଳେ ମୋ ଚିହ୍ନ ମନେପକେଇବ । ଘରଘର ବୁଲି ଏମିତି ଲୋକଙ୍କ ପାଟିରେ ମିଠାଟିଏ ଦେଇ ନିଜ ପାଇଁ ଭୋଟ ମାଗୁଛନ୍ତି ଜଣେ ବୃଦ୍ଧା । ପ୍ରତିଦିନ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତିର ରୋଚକ ଚିତ୍ର ଆସୁଥିବା ବେଳେ କେନ୍ଦ୍ରାପଡାରୁ ଆସିଛି ମାଉସୀଙ୍କ ମିଠା ଦିଆ ନିଆରା ପ୍ରଚାର ।

କରୋନା ପାଇଁ ପ୍ରଚାର ଉପରେ କଟକଣା ଲାଗିଥିବା ବେଳେ ଘର ଘର ବୁଲି, ଗାଁର ଗଳି ଗଳି ଯାଇ ଲୋକଙ୍କୁ ମିଠା ଖୁଆଇ ଖଣ୍ଡେ ଭୋଟ ମାଗୁଛନ୍ତି ବୃଦ୍ଧା । କେନ୍ଦ୍ରାପଡା ଜିଲ୍ଲା ଅଙ୍ଗୁଲାଇ ପଞ୍ଚାୟତର ୧୪ ନମ୍ବର ୱାର୍ଡର ୱାର୍ଡମେମ୍ବର ପ୍ରାର୍ଥୀ ଭାବେ ଲଢେଇ କରୁଛନ୍ତି ରେବତୀ ମନ୍ତ୍ରୀ । ତାଙ୍କୁ ବୟସ କେତେ ସେ ଜାଣି ନାହାନ୍ତି କିନ୍ତୁ ଭୋଟର ତାଲିକାରେ ୭୨ ବୋଲି ଲେଖା ହୋଇଛି । ବୟସର ଶେଷ ସୋପାନରେ ସେ ରାଜନୀତିରେ ପାଦ ରଖି ନିଜ ଗାଁର ପରିବର୍ତ୍ତନ, ଗାଁର ବିକାଶ କରିବାକୁ ଅଣ୍ଟା ଭିଡିଛନ୍ତି ।

ବୟସର ଅପରାହ୍ନରେ ବି ସେ ହାରି ଯାଇ ନାହାନ୍ତି । ସ୍ୱାମୀ ୱାର୍ଡ ମେମ୍ବର ଥିଲେ ତେଣୁ ତାଙ୍କର ବି ଶେଷ ଇଚ୍ଛା ସେ ବି ନିର୍ବାଚନରେ ଲଢେଇ କରି ଲୋକଙ୍କ ସେବା କରିବେ । ତେଣୁ ମନରେ ପ୍ରବଳ ଇଚ୍ଛାଶକ୍ତି, ଜୋରଦାର ଜୋସ ନେଇ ସବୁଦିନ ସେ ଗାଁକୁ ବାହାରି ଯାଉଛନ୍ତି ଆଉ ଲୋକଙ୍କୁ ଭୋଟ ଖଣ୍ଡେ ଦେବାକୁ କହୁଛନ୍ତି । ଆଉ ମୁହଁରେ ମିଠା ଦେଇ କହୁଛନ୍ତି, ମନେ ରଖିବ । ମତେ ଭୋଟ ଦେବ ।

ବିଜୟ ପରେ କିଏ ମିଠା ବାଣ୍ଟେ । ହେଲେ ରେବତୀ ମାଉସୀ କିନ୍ତୁ ବିଜୟ ପୂର୍ବରୁ ମିଠା ଦେଇ ଲୋକଙ୍କୁ ଭୋଟ ମାଗୁଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।