ମମିତା ମେହେର ମୃତ୍ୟୁ ମାମଲାରେ ନୂଆ ତଥ୍ୟ । ମନ୍ତ୍ରୀଙ୍କ ରାୟପୁର ସ୍ଥିତ ଘରେ ହୋଇଥିଲା କି ଗୋବିନ୍ଦ ସାହୁ ଓ ମମିତାଙ୍କ ମଧ୍ୟରେ ବୁଝାମଣା ।

219

କନକ ବ୍ୟୁରୋ : ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ପାଇଁ ବିରୋଧୀଙ୍କ ପ୍ରତିବାଦ ବଢୁଥିବା ବେଳେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଗୋବିନ୍ଦ ସାହୁ ଓ ମମିତା ମେହେରଙ୍କ ମଧ୍ୟରେ ବୁଝାମଣା ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ତାଙ୍କ ରାୟପୁର ସ୍ଥିତ ଘରକୁ ଉଭୟଙ୍କୁ ଡାକିଥିବା ଅଭିଯୋଗ ଆଣିଥିଲେ ବିଜୟ ମହାପାତ୍ର । ଏବେ ସେହି ଘରର ଠିକଣା ସାମ୍ନାକୁ ଆସିଛି । ଛତିଶଗଡର ରାୟପୁରର ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଏକ ଘର ଥିବା କଥା ସେ ତାଙ୍କ ଆଫିଡେଭିଟରେ ଦର୍ଶାଇଥିଲେ ।

ସ୍ଥାନ – ରାୟପୁର, ଛତିଶଗଡ । ୱାର୍ଡ ନଂ -୦୯, ମୋୱା । କୁଲ୍ ହୋମ, ଇବ୍ଲକ – ୨୦୩ । ଛତିଶଗଡର ରାୟପୁରରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ଏକ ଘର ଥିବା କଥା ସେ ତାଙ୍କ ଆଫିଡେଭିଟରେ ଦର୍ଶାଇଥିଲେ । ମନ୍ତ୍ରୀଙ୍କ ଆଫିଡେଭିଟ୍ ଅନୁସାରେ ରାୟପୁରରେ ରହିିଛି ସେହି ଘର । ଆଉ ଯେଉଁ ଘରକୁ ନେଇ ରବିବାର ସୂଚନା ଦେଇଥିଲେ ବିଜେପି ନେତା ବିଜୟ ମହାପାତ୍ର । ଏହି ଘରକୁ କୁଆଡେ ଶିକ୍ଷୟତ୍ରୀ ମମିତା ମେହେର, ଗୋବିନ୍ଦ ସାହୁଙ୍କ ମଧ୍ୟରେ ବୁଝାମଣା ପାଇଁ ଦିବ୍ୟଶଙ୍କର ମିଶ୍ର ଡକାଇଥିଲେ । ଏବଂ ତିନି ଜଣ ବସି ଏହି ଘରେ ଆଲୋଚନା କରିଥିଲେ । କିନ୍ତୁ ବୁଝାମଣା ହୋଇପାରିନଥିଲା । ତେଣୁ ଏହି ଘରକୁ ମଧ୍ୟ ପୋଲିସ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଛନ୍ତି ବିଜୟ ।

ପ୍ରତିବାଦ, ଧାରଣା, ବିକ୍ଷୋଭ । ମମିତା ମେହେର ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ସନ୍ଦେହପୂର୍ଣ୍ଣ ଥିବାରୁ ତାଙ୍କୁ ବହିଷ୍କାର କରିବାକୁ ଜୋର ହେଉଛି ଦାବି । ବିଜେପି ମହିଳା ମୋର୍ଚ୍ଚା ମାଷ୍ଟରକ୍ୟାଣ୍ଟିନ ଛକରେ ମୁହଁରେ କଳା କପଡା ବାନ୍ଧି ନୀରବ ପ୍ରତିବାଦ କରିଛି ।

ମନ୍ତ୍ରୀଙ୍କ ବହିଷ୍କାର ଦାବିକୁ ଆହୁରି ଜୋରଦାର କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ୨୬ ଓ ୨୭ ତାରିଖରେ ସମସ୍ତ ଏସପି ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଛି । ସେହିପରି ଛାତ୍ର କଂଗ୍ରେସ ୨୬ରେ ନବୀନ ନିବାସ ଘେରାଉ କରିବାକୁ ଯାଉଛି ।

ବିରୋଧୀ ଓ ଶାସକ ଦଳର ବୟାନ ବାଜି ଭିତରେ, ପ୍ରକୃତ ପ୍ରସଙ୍ଗ ଲୁଚି ଯାଉଛି । ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କର ଗୋବିନ୍ଦ ସାହୁଙ୍କ ସହ କଣ ସମ୍ପର୍କ ଥିଲା ? ଆଉ ମମିତା ମୃତ୍ୟୁ ସମ୍ପର୍କରେ ତାଙ୍କର ପ୍ରତିକ୍ରିୟା କ’ଣ ? ତାହା ସାମ୍ନାକୁ ଆସି ପାରୁ ନାହିଁ ।