ବିଜେପୁରରେ କାହିଁକି ବାଜିମାତ୍ କଲା ବିଜେଡି ? ରୀତା ସାହୁଙ୍କ ରେକର୍ଡ ବଡ଼ ବିଜୟ ପଛର କ’ଣ ରହିଛି ବଡ଼ କାରଣ ?

1,433

କନକ ବ୍ୟୁରୋ : ପାଖାପାଖି ୯୮ ହଜାର ଭୋଟ୍ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ବାଜିମାତ, ବିଜେପିି ଗଣିତକୁ ଓଲଟପାଲଟ କରିଦେଇଛି । କାରଣ ମାତ୍ର ୪-୫ ମାସ ପୂର୍ବରୁ ଏହି ଆସନରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ । ବିଜେପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ନବୀନ ଯେତିକି ଭୋଟ ପାଇଥିଲେ, ତାଙ୍କୁ ଟପି ଯାଇଛନ୍ତି ରୀତା ସାହୁ । ଦୁଇଟି ଯାକ ନିର୍ବାଚନରେ ସନତ ଗଡ଼ତିଆକୁ ମଇଦାନକୁ ଓହ୍ଲାଇଥିଲା ବିଜେପି । ତେବେ ଉପ-ନିର୍ବାଚନରେ ତୁଳନାତ୍ମକ ଭାବେ ଫିକା ପଡି ଯାଇଛି ଦଳର ପ୍ରଦର୍ଶନ ।

ରେକର୍ଡ ଭାଙ୍ଗିଲେ ରୀତା ସାହୁ । ବଡ଼ ବିଜୟ ପଛର ବଡ଼ କାରଣ । ରୀତା ସାହୁଙ୍କ ବିପୁଳ ସଫଳତା ପଛର କାରଣ ନେଇ ଚାଲିଛି ରାଜନୈତିକ ଅଙ୍କକଷା । ନଜର ପକାନ୍ତୁ, କିଛି ସମ୍ଭାବ୍ୟ କାରଣ ଉପରେ ।

– ନବୀନଙ୍କ ପ୍ରଭାବ । ବିଜେପୁର ବିକାଶର ଦାୟିତ୍ୱ ନିଜେ ନେବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ବିଜେପୁରବାସୀଙ୍କ ଉପରେ ବିଶେଷ ପ୍ରଭାବ ପକାଇଥିଲା ।

– ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର । ଦୁଇ ଦିନିଆ ଗସ୍ତ କରି ବିଜେପୁରର ୩ଟି ବ୍ଳକରେ ଜୋରଦାର ପ୍ରଚାର କରିଥିଲେ ନବୀନ ।
– ବିଜେପୁରରେ ରୀତା ସାହୁଙ୍କ ସ୍ୱାମୀ ତଥା ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ପକେଟ୍ ଭୋଟ ରହିଛି ।
– ଉପନିର୍ବାଚନରେ ବିଜେଡି ତୁଳନାରେ ବିଜେପିର ପ୍ରଚାର ଆଶାନୁରୂପ ହୋଇନଥିଲା । ବିଜେଡିର ମାଳ ମାଳ ନେତା ଓ ମନ୍ତ୍ରୀ, ବିଜେପୁରରେ ଡେରା ପକାଇ ନିର୍ବାଚନ ପ୍ରଚାରକୁ ଆଗେଇ ନେଇଥିଲେ । ସାଧାରଣ ନିର୍ବାଚନରେ ବିଜେପିର ଯେଉଁ ଜୋସ୍ ଥିଲା, ସେପରି ଦେଖିବାକୁ ମିଳିନଥିଲା ଉପ-ନିର୍ବାଚନରେ ।
– ଶେଷ ମୁହୂର୍ତରେ ଅଶୋକ ପାଣିଗ୍ରାହୀ ବିଜେପି ଛାଡିବା ଏବଂ ବିଜେଡି ସପକ୍ଷରେ ପ୍ରଚାର କରିବା, ରୀତା ସାହୁଙ୍କ ଶକ୍ତିକୁ ଆହୁରି ବୃଦ୍ଧି କରିଥିଲା ।
– ରୀତା ସାହୁ ସ୍ଥାନୀୟ ନେତା ହୋଇଥିବା ବେଳେ ଏକମାତ୍ର ମହିଳା ଚେହେରା ଭାବେ ନିର୍ବାଚନ ଲଢ଼ିଥିଲେ
– ଏହି ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଆହୁରି ଦୁର୍ବଳ ହେବା