ହାଥରସରେ କାହିଁକି ହେଲା ଭୟଙ୍କର ଦଳାଚକଟା ? ସାମ୍ନାକୁ ଆସିଲା ଅଘଟଣ ପଛର ଅବହେଳା । ଆୟୋଜକଙ୍କ ଭୁଲ ପାଇଁ ଚାଲିଗଲା ୧୨୧ ଜୀବନ ?

888

କନକ ବ୍ୟୁରୋ: ଉତ୍ତରପ୍ରଦେଶ ହାଥରସର ହୃଦୟଥରା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ସତସଙ୍ଗ ଦଳାଚକଟା ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇ ହାଥରସ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ତେବେ ଦଳାଚକଟା ପରେ କାହିଁକି ଏଭଳି ଅଭାବନୀୟ ଘଟଣା ଘଟିଲା ? ଦଳାଚକଟା ପାଇଁ ଦାୟୀ କିଏ ? କେଉଁ ପରିସ୍ଥିତିରେ ଏସବୁ ହେଲା? ଏମିତି କିଛି ପ୍ରଶ୍ନ ଉଠୁଥିବା ବେଳେ ଅଘଟଣର କାରଣ ଖୋଜା ଚାଲିଛି । ତାସହ ତଦନ୍ତ ମଧ୍ୟ ଚାଲିଛି ।

ଆଉ ଏତିକି ବେଳେ ସାମ୍ନାକୁ ଆସିଛି ଅଘଟଣ ପଛର ଅବହେଳା କଥା । କେମିତି ସତସଙ୍ଗ ଆୟୋଜକଙ୍କ ଖାମଖିଆଲି ପାଇଁ ୧୨୧ ଜଣ ନୀରିହ ଲୋକଙ୍କ ଜୀବନ ଗଲା ତାହା ଏବେ ଆଲୋଚନାର ବିଷୟ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏତେବଡ କାର୍ଯ୍ୟକ୍ରମ ହେଉଥିଲା ମାତ୍ର ସୁରକ୍ଷା ବ୍ୟବସ୍ଥା ପ୍ରତି ପୂରା ଅଣଦେଖା କରାଯାଇଥିଲା । ଅବ୍ୟବସ୍ଥା ପାଇଁ ହିଁ ଏମିତି ଆଉ ଏତେବଡ କାଣ୍ଡ ହେଲା । ତେବେ ନଜର ପକାନ୍ତୁ ସତସଙ୍ଗରେ କେଉଁ କେଉଁ ବ୍ୟବସ୍ଥା କରାଯାଇନଥିଲା, ବୋଧହୁଏ ଏସବୁ ଦିଗ ପ୍ରତି ଆୟୋଜକମାନେ ଧ୍ୟାନ ଦେଇଥିଲେ ଏତେବଡ ଘଟଣା ଘଟିନଥାନ୍ତା ।

-ପ୍ରଥମ ତ ୮୦ ହଜାର ଲୋକଙ୍କ ପାଇଁ ଅନୁମତି ନିଆଯାଇଥିବା ବେଳେ ୨ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା
-ସତସଙ୍ଗ ସ୍ଥଳରେ ପ୍ରବେଶ, ପ୍ରସ୍ଥାନର ଦ୍ୱାର ନଥିଲା
-କାର୍ଯ୍ୟକ୍ରମ ସ୍ଥଳୀରୁ ଜରୁରୀକାଳୀନ ରାସ୍ତା କରାଯାଇ ନଥିଲା
-ଲକ୍ଷ ଲକ୍ଷ ଲୋକ ଥିଲେ ବି କୌଣସି ମେଡିକାଲ ଟିମ୍ ନଥିଲା
-ଏତେ ଲୋକ ଯେତେବେଳେ ଏକାଠି ହେଉଛନ୍ତି, ଅନ୍ତତଃ ୫ଟି ଆମ୍ବୁଲାନ୍ସ ରହିବା କଥା, ତାହା ବି ନଥିଲା
-ଲୋକଙ୍କ ଭିଡ ଓ ଗହଳି ଅନୁସାରେ କୋଣସି କୁଲର କିମ୍ବା ଫ୍ୟାନ ଲାଗିନଥିଲା
-ଲୋକଙ୍କ ସମାଗମ ଅନୁସାରେ ଏତେ ଅଧିକ ଭଲ୍ୟୁଣ୍ଟର ନଥିଲେ
-ଖାଇବା ପିଇବାର ବ୍ୟବସ୍ଥା ଠିକ୍ ନଥିଲା
-ସତସଙ୍ଗ ସ୍ଥଳକୁ ପୂରା ସମତଳ କରାଯାଇ ନଥିଲା

ଯଦି ଉପରୋକ୍ତ କଥା ଉପରେ ଧ୍ୟାନ ଦିଆଯାଇଥାନ୍ତା କିମ୍ବା ଗାଇଡଲାଇନ୍ ଅନୁଯାୟୀ ସବୁ କରାଯାଇଥାନ୍ତା ତେବେ ବୋଧହୁଏ ଏଭଳି ସ୍ଥିତି ହାଥରସକୁ ଦେଖିବାକୁ ପଡିନଥାନ୍ତା ।

ସେପଟେ ଦଳା ଚକଟା ଘଟଣାରେ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଛି। ମୁଖ୍ୟ ସେବାଦାର ଦେବପ୍ରକାଶ ମଧୁକର ଓ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ୟୁପି ସିକନ୍ଦରାବାଦ ନିକଟ ଫୁଲେର ଗାଁରେ ସତସଙ୍ଗ ଚାଲିଥିଲା ବେଳେ ଗତକାଲି ଦଳାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ ହୋଇଛି। ୟୁପିର ସକର ବିଶ୍ବହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ୟ୍ୟକ୍ରମରେ ଏଭଳି ଘଟଣା ଘଟିଛି। ମୃତକ ମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ଜଣାପଡିଛି।

ସୂଚନା ଅନୁସାରେ ଫୁଲେର ଗାଁରେ ଭୋଲେ ବାବାଙ୍କ ସତସଙ୍ଗ ଚାଲିଥିଲା। ପ୍ରବଚନ ଶୁଣିବାକୁ ଅସମ୍ଭାଳ ଭିଡ଼ ହୋଇଥିଲା । ଭୋଲେ ବାବା ପ୍ରବଚନ ଦେଇ କାର୍ୟ୍ୟକ୍ରମସ୍ଥଳ ଛାଡିବା ପରେ ଶ୍ରଦ୍ଧାଳୁଙ୍କୁ ଛାଡିଥିଲେ ଆୟୋଜକ କମିଟି। ଫଳରେ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅତିଷ୍ଠ ହୋଇପଡିଥିବା ଶ୍ରଦ୍ଧାଳୁ ଶୀଘ୍ର ଟେଣ୍ଟରୁ ବାହାରିବାକୁ ଉଦ୍ୟମ କରିବାରୁ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି ।