କେମିତି ହେଲା ବଳଙ୍ଗା ଥାନାରେ ବିସ୍ଫୋରଣ ? ପୋଲିସର ଦାୟିତ୍ୱହୀନତାକୁ ନେଇ ଉଠିଲା ଅନେକ ପ୍ରଶ୍ନ ।

230

କନକ ବ୍ୟୁରୋ : ଯେଉଁ ପିପିଲି ଉପନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି, ସବୁଠାରୁ ଅଧିକ ସମ୍ବେଦନଶୀଳ ବୁଥ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଉଛି । ସେହି ନିର୍ବାଚନ ମଣ୍ଡଳୀରେ ଆସୁଥିବା ଗୋଟିଏ ଥାନା ବିସ୍ଫୋରଣରେ ଉଡିଯିବା, ଅନେକ ବିବାଦୀୟ ଦିଗକୁ ସାମ୍ନାକୁ ଆଣିଛି । ଥାନାରେ ବିସ୍ଫୋରଣ କେମିତି ହେଲା, ଏହା ପଛର କାରଣ କଣ, ତାକୁ ନେଇ ତର୍ଜମା ଚାଲିଥିବା ବେଳେ କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି ମାଲଖାନା ଭିତରେ ଥିବା କିଛି ବିସ୍ଫୋରକ ପଦାର୍ଥ ପାଇଁ ଏହି ଅଘଟଣ ଘଟିଲା । ତେବେ ପ୍ରଶ୍ନ ଉଠୁଛି, ମାଲଖାନା ଭିତରେ ଏତେ ପରିମାଣର ବିସ୍ଫୋରକ କାହିଁକି ନିଷ୍କ୍ରିୟ ନକରି ରଖାଯାଇଥିଲା । ସେହିଭଳି ଏହି ଅଘଟଣ ବେଳେ କେହି ସାଧାରଣ ଲୋକେ ଥିଲେ, କିଏ ଉତ୍ତରଦାୟୀ ହୋଇଥାନ୍ତା ବୋଲି ପ୍ରଶ୍ନ ଉଠିଛି ।

ବିସ୍ଫୋରଣ ପରେ ମାଟିରେ ମିଶିଯାଇଛି ପୁରୀ ଜିଲ୍ଳାର ବଳଙ୍ଗା ଥାନା । ଥାନାର ଛାତ ଉଡିବା ସହ କାନ୍ଥ ଭୁଷୁଡି ପଡିଛି । ଆଇଆଇସିଙ୍କ ଦପ୍ତର, ମାଲଖାନା ଓ ହାଜତ ସହ ପ୍ରାୟ ସମସ୍ତ ପ୍ରକୋଷ୍ଠ ଏକପ୍ରକାର ନଷ୍ଟ ହୋଇଯାଇଛି ।

ରାତି ପ୍ରାୟ ୧୨ଟା ୧୫ । ସ୍ଥାନ- ବଳଙ୍ଗା ଥାନା, ପୁରୀ । ରାତି ଅଧରେ ବଳଙ୍ଗା ଥାନା ଭିତରେ ଅଚାନକ ଏମିତି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ସମଗ୍ର ଅଂଚଳ ଥରି ଉଠିଥିଲା । ଧୂଆଁମୟ ହୋଇଯାଇଥିଲା ଥାନା ପରିସର ଓ ଏହାର ଆଖପାଖ ଅଂଚଳ । ବିସ୍ଫୋରଣର ଭୟଙ୍କର ଶବ୍ଦରେ ଆଖପାଖ ଲୋକ ଭୟଭୀତ ହୋଇପଡିଥିଲେ । ବିଳମ୍ବିତ ରାତିରେ ଲୋକେ ଘର ବାହାରକୁ ଚାଲି ଆସିଥିଲେ ।

ତେବେ ପ୍ରଶ୍ନ ଉଠୁଛି, ବିସ୍ଫୋରଣର କାରଣ କଣ ? କେମିତି ହେଲା ବିସ୍ଫୋରଣ ? ବିସ୍ଫୋରଣର କାରଣ ଖୋଜିବା ପାଇଁ ଘଟଣାସ୍ଥଳରେ ଅନୁସନ୍ଧାନ କରିଥିଲେ ବରିଷ୍ଠ ପୁଲିସ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ । ଆଉ ଅନୁଧାନ ପରେ କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇ କହିଛନ୍ତି, କୌଣସି କେସ୍ ସଂକ୍ରାନ୍ତରେ କିଛି ବିସ୍ଫୋରକ ଥାନାର ମାଲଖାନାରେ ରଖାଯାଇଥିଲା । ସେହି ବିସ୍ଫୋରକ ଗୁଡିକ ଯୋଗୁଁ ବିସ୍ପୋରଣ ଘଟିଛି ।

ଦିନକ ପରେ ପିପିଲି ନିର୍ବାଚନ । ନିର୍ବାଚନ ପାଇଁ ଏହି ଅଞ୍ଚଳ କଡା ସୁରକ୍ଷା ବଳୟ ଭିତରେ ରହିଛି । କିନ୍ତୁ ଏମିତି ସମୟରେ ଥାନା ଭିତରେ ବିସ୍ଫୋରଣ ଘଟିବା, ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପ୍ରଶ୍ନ ନଂ -୧
– କେବେଠାରୁ ମାଲଖାନାରେ ବିସ୍ଫୋରକ ଥିଲା ଓ କାହିଁକି ଏହାକୁ ନଷ୍ଟ କରାଯାଇନଥିଲା ?
ପ୍ରଶ୍ନ ନଂ -୨
– ରାତିରେ ଥାନା ଭିତରେ କୌଣସି ପୁଲିସ କର୍ମଚାରୀ କେମିତି ନଥିଲେ ?
ପ୍ରଶ୍ନ ନଂ -୩
– ଯଦି ଥାନା ଭିତରେ କର୍ମଚାରୀ ଥାନ୍ତେ ଓ କିଛି ଅଘଟଣ ଘଟିଥିଲେ, ସେଥିପାଇଁ କିଏ ଦାୟୀ ହୋଇଥାନ୍ତେ ?
ପ୍ରଶ୍ନ ନଂ -୪
– ନିର୍ବାଚନ ସମୟରେ ଏଭଳି ଅଘଟଣ ଘଟିବା ପୋଲିସର ଦାୟିତ୍ୱହୀନତାକୁ ସୂଚାଉ ନାହିଁ କି ?