କନକ ବ୍ୟୁରୋ : ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ବଡ ଝଟକା ଲାଗିଛି । ପ୍ରଥମ ୨ ଦିନର ଗଣତିରେ ଯଥେଷ୍ଟ ପଛରେ ଥିବା ବିଜେପି ତୃତୀୟ ଦିନର ଗଣତିରେ ବି ସମଦଶା ଭୋଗିଛି । ୨୦୧୭ ତୁଳନାରେ ବିଜେପିର ଏଭଳି ସ୍ଥିତି ପଛର କାରଣ ଖୋଜା ଚାଲିଥିବା ବେଳେ ବଡ ବୟାନ ଦେଇଛନ୍ତି ଦଳର ବରିଷ୍ଠ ନେତା ଖାରବେଳ ସ୍ୱାଇଁ । ପଞ୍ଚାୟତରେ ଏଭଳି ଶୋଚନୀୟ ପ୍ରଦର୍ଶନ ପଛର କାରଣ କହିବା ପରେ ରାଜନୈତିକ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା ।

Advertisment

ନେତୃତ୍ୱ ସଙ୍କଟ ପାଇଁ ହିଁ ବିଜେପିର ଏଭଳି ଶୋଚନୀୟ ପ୍ରଦର୍ଶନ ହୋଇଛି କହି ରାଜନୈତିକ ମାହୋଲକୁ ସରଗରମ କରିଛନ୍ତି ଖାରବେଳ । ବିଜେପିରେ ନେତୃତ୍ୱ ସଙ୍କଟ ରହିଛି, ସେଥିପାଇଁ ଦଳ ଏତେ ଖରାପ ପ୍ରଦର୍ଶନ କରିଛି । ବିଜେଡିକୁ ଚ୍ୟାଲେଞ୍ଜ ଦେବାକୁ ହେଲେ ଜଣେ ନିର୍ଦ୍ଦିଷ୍ଟ ଚେହେରାଙ୍କୁ ଓଡ଼ିଶାରେ ବିଜେପିର ଶୀର୍ଷ ନେତୃତ୍ୱ ସାମ୍ନାକୁ ଆଣିବା ଦରକାର । ସ୍ଥାନୀୟ ନେତୃତ୍ୱଙ୍କୁ ତିଆରି ନକଲେ ଦଳ ଉଠି ପାରିବନି । ଏଭଳି କହି ବିଜେପିର ରାଜ୍ୟ ନେତୃତ୍ୱଙ୍କ ଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଛିଡା କରିଛନ୍ତି ଖାରବେଳ ।

ଏହାସହ ଖାରବେଳ କହିଛନ୍ତି, ନବୀନଙ୍କ ଭାବମୂର୍ତ୍ତି ହିଁ ବିଜେଡି ବିଜୟ ପଛର ବଡ କାରଣ  । କିନ୍ତୁ ଓଡ଼ିଶାରେ ବିଜେଡିକୁ ହରାଇବା ଆଦୌ କଷ୍ଟକର ନୁହେଁ, କିନ୍ତୁ ଏଥିପାଇଁ ନେତୃତ୍ୱର ଆବଶ୍ୟକ । ଯାହାଙ୍କ ଭାବମୂର୍ତ୍ତି ନବୀନ ପଟ୍ଟନାୟକଙ୍କ ଠାରୁ ଭଲ ହୋଇଥିବା ଆବଶ୍ୟକ । ଆଉ ସେହିଭଳି ଲୋକ ବିଜେପିରେ ଅଛନ୍ତି ।  ଖୁବଶୀଘ୍ର ଏବାବଦରେ ଦିଲ୍ଲୀ ନେତୃତ୍ୱଙ୍କ ସହ ଆଲୋଚନା କରିବୁ । କେନ୍ଦ୍ରୀୟ ନେତୃତ୍ୱ ସେ ବାବଦରେ ନିଶ୍ଚୟ ନିଷ୍ପତ୍ତି ନେବେ । ଖାରବେଳଙ୍କ ଏଭଳି ବୟାନ କେବଳ ରାଜନୈତିକ ପାରା ବଢାଇନାହିଁ ବରଂ ବିଜେପିର ସେହି ଚେହେରା ଜଣକ କିଏ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବିଜେଡି ଓ ନବୀନଙ୍କ ବିପକ୍ଷରେ ଲଢିବାକୁ କେନ୍ଦ୍ର ନେତୃତ୍ୱ କେଉଁ ଚେହେରାଙ୍କୁ ବାଛିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । କାରଣ ଚଳିତ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ବିଜେପିର ହେଭିୱେଟ କୁହାଯାଉଥିବା ଅନେକ ନେତାଙ୍କ ନିର୍ବାଚନମଣ୍ଡଳୀରେ ମଧ୍ୟ ଦଳ ସେଭଳି ଆଖି ଦୃଶିଆ ପ୍ରଦର୍ଶନ କରିପାରିନାହିଁ । ତେଣୁ ଖାରବେଳ କେଉଁ ବଡ ଚେହେରାଙ୍କ ବାବଦରେ ସଂକେତ ଦେଇଛନ୍ତି ତାହା ଏବେ ବି ସସପେନ୍ସ ଘେରରେ ରହିଛି ।