କନକ ବ୍ୟୁରୋ : ଝାଡଖଣ୍ଡରେ କାହିଁକି ହାରିଲା ବିଜେପି ? କାରଣ ଜଳଜଳ ହୋଇ ଦେଖାଯାଉଛି । ଜାତୀୟ ପ୍ରସଙ୍ଗକୁ ନେଇ ବିଜେପିର ନିର୍ବାଚନୀ ପ୍ରଚାର ରଣନୀତି ଫେଲ ମାରିଛି । ରଘୁବର ଦାସଙ୍କ ଭଳି ଅଣଆଦିବାସୀ ଚେହେରାକୁ ଭରସା କରିବା ମହଙ୍ଗା ସାବ୍ୟସ୍ତ ହୋଇଛି । ନିଯୁକ୍ତି, ଦରବୃଦ୍ଧି ଓ ଚାଷୀ ସମସ୍ୟା ଭଳି ସ୍ଥାନୀୟ ପ୍ରସଙ୍ଗକୁ ଅବହେଳା ବି ଦଳ ଉପରେ ଭାରି ପଡିଛି । ସବୁଠାରୁ ବଡକଥା ହେଲା ଝାଡଖଣ୍ଡ ଭଳି ଆଦିବାସୀ ଅଧୁଷିତ ରାଜ୍ୟରେ ଆଦିବାସୀଙ୍କ ଜମିକୁ ସୁରକ୍ଷା ଦେଉଥିବା ଆଇନକୁ ବଦଳାଇ ଦେବା ଦଳପାଇଁ ହୋଇଛି ଆତ୍ମଘାତୀ ।

Advertisment

ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ୪୭ଟି ଆସନ ଦଖଲ କରିବା ସହ ଜେଏମଏମ-କଂଗ୍ରେସ-ଆରଜେଡି ମେଂଟର ମନୋବଳ ଦୃଢ ହୋଇଛି । ଅନ୍ୟପକ୍ଷରେ ଲୋକସଭା ନିର୍ବାଚନରେ ବିପୁଳ ବିଜୟର ମାତ୍ର ୬ମାସ ପରେ ପ୍ରଥମେ ମହାରାଷ୍ଟ୍ର ଓ ପରେ ଝାଡଖଣ୍ଡ ହାତରୁ ଖସିଯିବା, ବିଜେପିକୁ ହତାଶ କରିଦେଇଛି ।

publive-imageପଦ୍ମ ଝଡିଗଲା ଝାଡଖଣ୍ଡରେ
- ଲୋକସଭା ନିର୍ବାଚନରେ ୧୧ଟି ଆସନ ଜିତିଥିଲା ବିଜେପି
- ୧୪ଟି ଆସନରୁ ବିଜେପି-ଏଜେଏସୟୁକୁ ମିଳିଥିଲା ୧୨ଟି
- ଲୋକସଭା ନିର୍ବାଚନରେ ବିଜେପିକୁ ମିଳିଥିଲା ୫୧% ଭୋଟ୍
- ବିଧାନସଭା ନିର୍ବାଚନରେ ବିଜେପିକୁ ମିଳିଛି ୨୫ଟି ଆସନ
- ଝାଡଖଣ୍ଡର ୮୧ ଆସନରୁ ୨୫ଟି ପାଇ ଦ୍ୱିତୀୟରେ ବିଜେପି
- ମାତ୍ର ୬ ମାସରେ ୧୭% ଭୋଟ୍ ହରାଇଛି ଭାରତୀୟ ଜନତା ପାର୍ଟି
- ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିକୁ ୩୩.୪% ଭୋଟ୍

ଗୁରୁବାର ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଜେଏମଏମ କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ୍ । ତାଙ୍କରି ନେତୃତ୍ୱରେ ମହାଗଠବନ୍ଧନକୁ ମିଳିଛି ୪୭ଟି ସିଟ୍ । ୭୦ ପ୍ରତିଶତ ଭୋଟ୍ ସହ ଜେଏମଏମ ସର୍ବାଧିକ ୩୦ଟି ଆସନରେ ଜିତିଥିବାବେଳେ ୫୨ ପ୍ରତିଶତ ଭୋଟ ସହ କଂଗ୍ରେସକୁ ମିଳିଛି ୧୬ ଆସନ । ଏବଂ ଆରଜେଡି ଗୋଟିଏ ଆସନରେ ବିଜୟୀ ହୋଇଛି ।

ପରାଜୟର ପୋଷ୍ଟମର୍ଟମ :

ମେଂଟ ରାଜନୀତି
- ସିଟ ଭାଗବଂଟା ହୋଇନପାରିବାରୁ ଅଲଗା ଅଲଗା ନିର୍ବାଚନ ଲଢିଲେ ବିଜେପି ଓ ଏହାର ଅତୀତର ମେଂଟ ସହଯୋଗୀ ଏଜେଏସୟୁ
- ଅନ୍ୟପକ୍ଷରେ କ୍ଷମତାକୁ ଫେରିବା ପାଇଁ ଜେଏମଏମ ଓ ଆରଜେଡି ସହ ମେଂଟ କରି ମୈଦାନକୁ ଓହ୍ଲାଇଲା କଂଗ୍ରେସ
- ଅଣଆଦିବାସୀ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଗ୍ରହଣୀୟ ହୋଇନପାରିବା ଓ ସରକାର ବିରୋଧୀ ହାୱା ମଧ୍ୟ ବିଜେପି ବିରୋଧରେ ଗଲା
- ଯେତେବେଳେ କି ଆଦିବାସୀ ନେତା ଭାବେ ହେମନ୍ତ ସୋରେନଙ୍କ ଲୋକପ୍ରିୟତାର ଫାଇଦା ଜେଏମଏମ-କଂଗ୍ରେସ-ଆରଜେଡି ମହାମେଂଟକୁ ସୁହାଇଲା

ସରକାର ବିରୋଧୀ ହାୱା
- ୫ ବର୍ଷର ସ୍ଥିର ସରକାର ସତ୍ୱେ ବିଜେପି ପାଇଁ ଅସୁବିଧା ସୃଷ୍ଟି କଲା ରଘୁବର ଦାସଙ୍କ ଏକପାଖିଆ ସରକାରୀ ନିଷ୍ପତ୍ତି
- ଦଳୀୟ ମତେଭଦ ଏବଂ ନେତୃତ୍ୱ ଓ କ୍ୟାଡରଙ୍କ ଭିତରେ ଫାଟ କାରଣରୁ ସୁଶାସନର ତମାମ ସ୍ଲୋଗାନ ଭୋଟରଙ୍କୁ ପ୍ରଭାବିତ କରିପାରିଲାନି

ଜାତୀୟ ପ୍ରସଙ୍ଗ
- ହରିଆଣା ଓ ମହାରାଷ୍ଟ୍ର ଭଳି ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଜାତୀୟ ପ୍ରସଙ୍ଗରେ ଭୋଟ ମାଗିଥିଲେ
- ସିଏଏ, ଏନଆରସି, ଧାରା ୩୭୦ ଉଚ୍ଛେଦ ଓ ଅଯୋଧ୍ୟାରେ ରାମ ମନ୍ଦିର ଭଳି ପ୍ରସଙ୍ଗର ପ୍ରଭାବ ଝାଡଖଣ୍ଡରେ ରହିଲା ନାହିଁ

ଅର୍ଥନୀତି ଓ ଦରବୃଦ୍ଧି
- ମୋଦି ସରକାରଙ୍କ ଦ୍ୱିତୀୟ ପାଳରେ ଅର୍ଥନୀତିର ଗତି ତଳମୁହାଁ ଓ ବେରୋଜଗାରୀ ଉପରମୁହାଁ ହୋଇ ରହିଛି
- ବିଜେପିକୁ ଟାର୍ଗେଟ କରିବା ପାଇଁ ନିର୍ବାଚନୀ ସଭାରେ ବିରୋଧୀ ଦଳ ଏହାକୁ ଜୋରଦାର ବ୍ୟବହାର କରିଥିଲେ
- ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ସହିତ ଡବଲ ଇଂଜିନ ଥିଓରୀକୁ ଜୋର ଦେଉଥିଲେ ବିଜେପି ନେତା
- ହେଲେ ବିଧାନସଭା ନିର୍ବାଚନ ସମୟରେ ବଢିଚାଲିଥିବା ମୁଦ୍ରାସ୍ଫୀତିକୁ ବିଜେପି ବିରୋଧୀ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ ପ୍ରତିପକ୍ଷ

କୁହାଯାଉଛି ବିବାଦୀୟ ହୋଇପଡିଥିବା ରଘୁବର ଦାସଙ୍କ ଚେହେରାକୁ ଭରସା କରି ବିଜେପିର ଅଧିକ କ୍ଷତିହେଲା । କିନ୍ତୁ ଦଳ ପାଖରେ ଅନ୍ୟ ବିକଳ୍ପ ବି ନଥିଲା । ସେଥିପାଇଁ ଦଳ ଜାତୀୟ ପ୍ରସଙ୍ଗରେ ଭୋଟରଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହେଲା ।