ବିଧାନସଭା ଆଗୁଆ ବନ୍ଦ ନେଇ ପୁଣି ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । କହିଲା, କରୋନା ଆଳରେ ଜଗନ୍ନାଥଙ୍କ ଟଙ୍କା କେଳେଙ୍କାରୀ ଲୁଚାଇବାକୁ ଚାହୁଁଛନ୍ତି ସରକାର

319

କନକ ବ୍ୟୁରୋ: ଆଗୁଆ ବିଧାନସଭା ସ୍ଥଗିତ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । କରୋନା ଆଳରେ ଗୃହ ବନ୍ଦ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ମୁଖ୍ୟମନ୍ତ୍ରୀ ଯେଭଳି ଗୃହ ବନ୍ଦ କଲେ, ତା ପଛରେ ୟେସ ବ୍ୟାଙ୍କରେ ଜଗନ୍ନାଥ ଟଙ୍କା ଜମା କେଳେଙ୍କାରୀ ରହିଛି । କାଳେ ସରକାରଙ୍କ ଚରିତ୍ର ପଦାରେ ପଡିଯିବ, ସେ ନେଇ ଭୟରେ ଗୃହ ବନ୍ଦ କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି ।

ତେବେ କରୋନା ରୋକିବା ଦିଗରେ ବଳିଷ୍ଠ ପଦକ୍ଷେପ ବଦଳରେ ଲୋକଙ୍କୁ ସ୍ୱଚ୍ଚତା ଓ ସଚେତନାର ଭେଳିକି କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି । ପ୍ରଶାସନିକ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ହାତ ଧୁଆ ଶିଖାଇବା ସବୁଠୁ ଲଜ୍ୟାକର କଥା । ଧାର୍ଯ୍ୟ ସମୟ ଭିତରେ ୟେସ ବ୍ୟାଙ୍କରୁ ଟଙ୍କା ନଆସିଲେ, ଅପବାଦ ଓ ଅପଦସ୍ଥକୁ ଏଡାଇବାକୁ କରୋନା ଆଳରେ ବନ୍ଦ କରିବା ପ୍ରୟାସକୁ ଲୋକେ ବରଦାସ୍ତ କରିବେନି ବୋଲି ବିଜେପି କହିଛି ।

କରୋନାକୁ ଦୃଷ୍ଟିରେ ରଖି ଗତକାଲି ବିଧାନସଭାକୁ ଆସନ୍ତା ୨୯ ତାରିଖ ଯାଏଁ ମୁଲତବୀ ଘୋଷଣା କରାଦିଆଯାଇଥିଲା । ବିଜେପି ସଦସ୍ୟଙ୍କ ହୋହଲ୍ଲା ଓ ନାରାବାଜି ମଧ୍ୟରେ ଗୃହ ମୁଲତବୀ ହୋଇଥିଲା । ଆଉ ସମସ୍ତ ବିଭାଗର ଖର୍ଚ ଦାବି ଗିଲୋଟିନରେ ପାରିତ ହେବ । ବିଧାନସଭାକୁ ମୁଲତବୀ ରଖିବାକୁ ଗୃହରେ ପ୍ରସ୍ତାବ ଆଣିଥିଲେ ଶାସକଦଳ ମୁଖ୍ୟ ସଚେତକ । ଏହାକୁ ବିଜେପି ପ୍ରବଳ ବିରୋଧ କରିଥିଲା । ବିଜେପି ସଦସ୍ୟମାନେ କହିଥିଲେ, ସଂସଦ ଚାଲିଛି ଏବଂ ଅନ୍ୟ ରାଜ୍ୟରେ ବିଧାନସଭା ଚାଲିଥିବାବେଳେ ଓଡିଶାର କାହିଁକି ବିଧାନସଭା ବନ୍ଦ କରାଯିବ । ଜଗା ଟଙ୍କା ପ୍ରସଙ୍ଗ ଭୟରେ ଏଭଳି ପଦକ୍ଷେପ ନିଆଯାଉଛି ବୋଲି କିଛି ସଦସ୍ୟ ଅଭିଯୋଗ କରିଥିଲେ । କିନ୍ତୁ କଂଗ୍ରେସ ସଦସ୍ୟମାନେ ପ୍ରସ୍ତାବକୁ ସମର୍ଥନ କରିଥିଲେ । ସେମାନେ କହିଥିଲେ, କରୋନା ଏକ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିବା ପୂର୍ବରୁ ଏଭଳି ପଦକ୍ଷେପ ନିଆଯିବା ଦରକାର ।