ସ୍କାମ୍ ଧରିଲେ, ଗୁଳି ଖାଇଲେ । ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟାକାଣ୍ଡକୁ ବିତିଗଲାଣି ୩ ଦିନ, ହେଲେ ଅପରାଧୀଙ୍କ ପତା ପାଉନାହିଁ ପୋଲିସ । ହତ୍ୟାକାଣ୍ଡ ପଛରେ ରହିଛି ସାଂଘାତିକ ଷଡଯନ୍ତ୍ର?

456

କନକ ବ୍ୟୁରୋ : କନ୍ଧମାଳ ବାଲିଗୁଡାରେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟାକାଣ୍ଡକୁ ତିନି ଦିନ ବିତିଗଲାଣି, ହେଲେ ଅପରାଧୀଙ୍କ ଟେର୍ ପାଉନାହିଁ ପୋଲିସ । ୧୦ ତାରିଖ ଦିନ ସକାଳେ, ତାଙ୍କୁ ଘରୁ ଡାକି ନେଇ ଗୁଳି କରି ମାରିଥିଲେ ଦୁର୍ବୃତ । ପୋଲିସ ସୂତ୍ରରୁ ଜାଣିବାକୁ ମିଳିଛି, ସୁପାରୀ ଦେଇ ତାଙ୍କୁ ହତ୍ୟା କରାଯାଇଛି । ତେବେ କାହିଁକି ତାଙ୍କୁ ହତ୍ୟା କରାଗଲା, ଏହା ପଛରେ ମାଷ୍ଟର ମାଇଣ୍ଡ କିଏ, ଏ ନେଇ ପୋଲିସ କିଛି ସ୍ପଷ୍ଟ କରିପାରୁନାହିଁ । ତେବେ ଯେଉଁ ସବୁ କାରଣ ସାମନାକୁ ଆସୁଛି, ତାହା ଯଦି ସତ ହୋଇଥାଏ, ତେବେ ଏହି ହତ୍ୟାକାଣ୍ଡ ପଛରେ ସାଂଘାତିକ ଷଡ଼ଯନ୍ତ୍ର ଥିବା ସନ୍ଦେହ କରାଯାଉଛି ।

ସାରଙ୍ଗଗଡ଼ ସ୍ଥିତ କନ୍ଧମାଳ କଲେଜ ହଷ୍ଟେଲ ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ, ରାସ୍ତା ଦୁର୍ନୀତି, ମଦ ଦୋକାନ ଲାଇସେନସରେ ଅନିୟମିତତା ଭଳି ଅନେକ ପ୍ରସଙ୍ଗକୁ ସାମ୍ନାକୁ ଆଣିଥିଲେ ଅଭିମନ୍ୟୁ ପଣ୍ଡା । ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଜବରଦଖଲକାରୀଙ୍କୁ ହଟାଇବାରେ ଥିଲା ତାଙ୍କର ପ୍ରମୁଖ ଭୂମିକା । ଏ ନେଇ ଅନେକ ଯନ୍ତ୍ରୀ, ଠିକାଦାର, ଟ୍ରଷ୍ଟର ସଦସ୍ୟ ତାଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ । ତେବେ ସୂଚନା ଆଇନ ଅଧିକାର ଆଇନ ବଳରେ କନ୍ଧମାଳ ଜିଲ୍ଲାରେ ବଡ଼ ଧରଣର ‘ପିଡିଏସ୍ ସ୍କାମ୍’ ଧରିଥିଲେ ଅଭିମନ୍ୟୁ । ଏହି ମାମଲା ପହଁଞ୍ଚିଥିଲା ହାଇକୋର୍ଟରେ । ଅଭିଯୋଗ ହୋଇଛି, ଅସାଧୁ ଯନ୍ତ୍ରୀ, ଠିକାଦାର, ଜମି ମାଫିଆ, ପିଡିଏସ୍ ଏଜେଣ୍ଟଙ୍କ ଟାର୍ଗେଟରେ ରହିଥିଲେ ଅଭିମନ୍ୟୁ ।

ଏବେ ଯେଉଁ ସନ୍ଦେହ ପ୍ରକାଶ ପାଇଛି, ତାହା ଅତି ସାଂଘାତିକ । ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ରାସ୍ତାରୁ ହଟାଇବା ପାଇଁ ରଚାଯାଇଥିଲା ବଡ଼ ଧରଣର ଷଡ଼ଯନ୍ତ୍ର । ସୁପାରୀ କିଲରଙ୍କୁ ଡକାଇ ଅଭିମନ୍ୟୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସରକାର ତୁରନ୍ତ ତାଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ସୂଚନା ଅଧିକାର କର୍ମୀଙ୍କ ସୁରକ୍ଷା ପାଇଁ ଆଇନ ଆଣନ୍ତୁ ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଦାବି କରାଯାଇଛି ।

ଗତ ମଙ୍ଗଳବାର ସକାଳୁ ଦୁଇଜଣ ଦୁର୍ବୃତ ବାଇକରେ ଆସି ଅଭିମୁନ୍ୟୁ ପଣ୍ଡାଙ୍କୁ ଘରୁ ଡାକିଥିଲେ । ଅଭିମନ୍ୟୁ ଘରୁ ବାହାରକୁ ଆସିବା ପରେ ତାଙ୍କୁ କିଛି କାଗଜ ଦେଖାଇବା ସହ ଗୁଳି କରି ଦୁର୍ବୃତ ଫେରାର ହୋଇଯାଇଥିଲେ । ବାଲିଗୁଡା ମେଡିକାଲରେ ଅଭିମନ୍ୟୁଙ୍କର ମୃତ୍ୟୁ ହୋଇଥିଲା ।