ଚର୍ଚ୍ଚା ହେଲା, ମାସ ମାସ ଧରି ନ୍ୟୁଜ୍ ପ୍ରସାରଣ ହେଲା । କିନ୍ତୁ ବଦଳିଲାନି ନଗଡାର ଚିତ୍ର, ଏବେ ବି ନଗଡ଼ା ଶିଶୁ ଦେହରେ ବାରି ହେଉଛି ଅପପୃଷ୍ଟିର ଅଲିଭା ଦାଗ ।

240

କନକ ବ୍ୟୁରୋ : ୩ ବର୍ଷ ତଳେ ଓଡିଶା ଗଣମାଧ୍ୟମରେ ନଗଡାକୁ ନେଇ ଚର୍ଚ୍ଚା ହେବା ପରେ ସରକାର ତତ୍ପର ହୋଇ ଉଠିଲେ । ନଗଡାର ବିକାଶ ପାଇଁ ସରକାର ସ୍ୱତନ୍ତ୍ର ପାଣ୍ଠି ବି ଘୋଷଣା ହେଲା । ଉଦ୍ଦେଶ୍ୟ ଥିଲା ରାଜ୍ୟର ଏହି ପଛୁଆ ଇଲାକାର ବିକାଶ । କିନ୍ତୁ ଇତି ମଧ୍ୟରେ ପୁଣି ଗଣମାଧ୍ୟମରେ ରିପୋର୍ଟ ପ୍ରସାରଣ ହେଲା ଯେ, ନଗଡାର ପାଣ୍ଠି ଖର୍ଚରେ ଅନିୟମିତତା ହୋଇଛି । ଏନେଇ ୬ ଜଣ ପ୍ରଶାସନିକ ଅଧିକାରୀଙ୍କ୍ୁ ନୋଟିସ୍ ବି କରାଗଲା । ପ୍ରଶ୍ନ ଉଠୁଛି, ନଗଡାର ବିକାଶ ପାଇଁ ଉଦ୍ଦିଷ୍ଟ ପାଣ୍ଠି ଠିକ୍ ଭାବେ ଖର୍ଚ ହେଉଛି ତ । କେମିତି ଅଛି ନଗଡାର ସ୍ଥିତି? କେମିତି ଚାଲିଛି ବିକାଶ? ଏହାର ଅନୁଧ୍ୟାନ ପାଇଁ ନଗଡାରେ ପହଂଚିଥିଲେ ଆମ ପ୍ରତିନିଧି ଭବାନୀ ଶଙ୍କର ଦାସ ।

ଗୀତ ବାଜୁଛି, ନାଚ ବି ହେଉଛି । ଆଉ ଏହାରି ଭିତରେ ଯେମିତି ଗାଁ ହୋଇପଡ଼ିଛି ଉତ୍ସବ ମୁଖର । ଭୋକର ଭୂଗୋଳକୁ ନେଇ ଅପଖ୍ୟାତି ଅର୍ଜନ କରିଥିବ ନଗଡ଼ାର ନକ୍ସା ସତେ ଯେମିତିି କେଇ ବର୍ଷ ଭିତରେ ବଦଳି ଯାଇଛି । ଯେଉଁ ଗାଁରେ ଦିନେ ଲୋକେ ଖାଇବାକୁ ନପାଇ ଜଣେ ପରେ ଜଣେ ଶିଶୁଙ୍କ ଜୀବନ ଦୀପ ଲିଭିଯାଉଥିଲା, ସେହି ଗାଁରେ ଧୁମଧାମରେ ପାଳିତ ହେଉଛି ଜଣେ ନବଜତ ଶିଶୁର ଏକୋଇଶା ଉତ୍ସବ । ଦୁଃଖର ସେହି ଦିନଗୁଡ଼ିକୁ ଭୁଲି ଏବେ ଏକ ନୂଆ ଦୁନିଆକୁ ଆଗଉଛନ୍ତି ନଗଡ଼ାବାସୀ । କିନ୍ତୁ ପ୍ରକୃତରେ କ’ଣ ଗ୍ରାମବାସୀ ପାଇଛନ୍ତି ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ?

ଯେଉଁ ଅପପୃଷ୍ଟି ପାଇଁ ଅପବାଦ ମୁଣ୍ଡାଇଥିଲା ନଗଡ଼ା, ସେହି ଅପପୃଷ୍ଟିର ଚିତ୍ର ଏବେ ବି ନଗଡ଼ା ଶିଶୁର ଶରୀରରେ ସ୍ପଷ୍ଟ ବାରି ହୋଇପଡୁଛି । ବିଜୁଳି ଖୁଂଟ ଅଛି, ତାର  ଲାଗିଛି ହେଲେ ବିଜୁଳି ଆଲୁଅ ନାହିଁ । ଟ୍ୟାପ୍ ଅଛି, ପାଇପ୍ ବସିଛି ହେଲେ ପିଇବାକୁ ପାଣି ମୁନ୍ଦାଏ ପାଇଁ ଲୋକ ସଂଘର୍ଷ କରୁଛନ୍ତି । ୨୦୧୬ରେ ନଗଡ଼ାର କାହାଣୀ ଲୋକ ଲୋଚନକୁ ଆସିବା ପରେ ମାତ୍ର କେଇ ମାସ ଭିତରେ ଗାଁକୁ ଚକାଚକ ସଡ଼କ ସହ ଯୋଡ଼ି ଦେଲା ପ୍ରଶାସନ । ହେଲେ ସେଇ ରାସ୍ତା ଏବେ ପାଲଟିଛି ମରଣଯନ୍ତା ।

ଆଉ ଏତେ ସବୁ ଭିତରେ ସରକାର ନଗଡ଼ା ପାଇଁ ଦେଇଥିବା ଅନୁଦାନ ବାଟମାରଣା ହୋଇଥିବା ନେଇ ଲୋକାୟୁକ୍ତ ସ୍ଥାନୀୟ କିଛି ପ୍ରଶାସକଙ୍କୁ ନୋଟିସ୍ କରିଛନ୍ତି । ଏମିତି କି ମାନବାଧିକାର କମିଶନ ରାଜ୍ୟ ସରକାରଙ୍କୁ କୈଫିୟତ ତଲବ୍ କରିଛନ୍ତି । ଯାହା ଫଳରେ କିଛି ସରକାରୀ ଅଧିକାରୀଙ୍କୁ ନଗଡ଼ା ଗାଁରେ ପହଂଚିଛି ଲୋକଙ୍କ ଜୀବନଶୈଳୀରେ ସୁଧାର ଆଣିବାକୁ ଉଦ୍ୟମ କରୁଛନ୍ତି ।

ନଗଡ଼ା କାହାଣୀ ଯେତେବେଳେ ସାରା ଦେଶରେ ଚର୍ଚ୍ଚା ହେଲା, ତୁରନ୍ତ ସରକାରୀ କଳ ପହଂଚିଲେ, ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କାର ପ୍ରକଳ୍ପ ବି ହେଲା । କିନ୍ତୁ କିଛି ବର୍ଷ ବିତିଗଲା ପରେ ଯେମିତି ପୂର୍ବ ଭଳି  ଅଲୋଡ଼ା ହୋଇଯାଇଛି ଯାଜପୁର ଜିଲ୍ଲାର ଏହି ନଗଡ଼ା ଗାଁ ।