ମୁଣ୍ଡ ଉପରେ ମୃତ୍ୟୁର ଜାଲ ! ରାସ୍ତା ଉପରେ ଝୁଲିଛି ବିଜୁଳି ତାର । ବାଙ୍କୀରୁ ବଲାଙ୍ଗୀର, କଟକରୁ କେନ୍ଦ୍ରାପଡ଼ା ସବୁଠି ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର, ଚାରି ଆଡେ ଓହଳିଛି ୧୧ କେଭି ତାର ।

267

କନକ ବ୍ୟୁରୋ : ଗତକାଲି ବ୍ରହ୍ମପୁର ନିକଟ ମେନ୍ଦ୍ରାଜପୁରରେ ଚଳନ୍ତା ବସରେ ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣା ପରେ କନକ ନ୍ୟୁଜ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏକ ରିୟଲିଟି ଚେକ କରାଯାଇଥିଲା । ଆଉ ଏଥିରେ ଯାହା ସାମନାକୁ ଆସିଲା ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଅନେକ ସ୍ଥାନରେ ୧୧ କେଭି ତାର ସେମିତି ଝୁଲୁଛି । ଦେଖିବାକୁ କେହିନାହାନ୍ତି । ଆଉ ଏହି ଝୁଲନ୍ତା ବିଦ୍ୟୁତ ତାର କେତେବେଳେ ମୃତ୍ୟୁର ଫାଶ ହୋଇ ଆଉ କାହାର ଜୀବନ ନେବ ତାହା କହି ହେବନାହିଁ ।

ମୁଣ୍ଡ ଉପରେ ମୃତ୍ୟୁର ଜାଲ ! ରାସ୍ତା ଉପରେ ଝୁଲିଛି ତାର । ୩ଟି ଚିତ୍ର ଗୋଟିଏ କାହାଣୀ । ସୁନ୍ଦରଗଡ଼ ସହରର ମୁଖ୍ୟ ରାସ୍ତା ଉପରେ ଝୁଲୁଛି ତା’ର । ଆଉ ରାସ୍ତା ଉପରେ ଯାତାୟତ କରୁଛି ଗାଡି ମଟର । ସ୍ଥାନେ ସ୍ଥାନେ ବିପଦସଙ୍କୁଳ ଅବସ୍ଥାରେ ରହିଛିି ଟ୍ରାନ୍ସଫରମର । ବଣେଇ ଓ ରାଇରଙ୍ଗପୁରରେ ସମାନ ଚିତ୍ର । ରାଜପଥ ଉପରେ ଝୁଲୁଛି ୧୧ କେଭି ବିଦ୍ୟୁତ ତାର ।

କେବଳ ଯେ ରାସ୍ତା ଉପରେ, ତାର ଝୁଲୁଛି ତାହା ନୁହେଁ । କେନ୍ଦ୍ରାପଡ଼ା ରାଜନଗରରେ ସ୍କୁଲ ପରିସର ଦେଇ ଯାଇଛି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର । କେତେବେଳେ କୌଣସି ଅଘଟଣ ଘଟିବାର ଆଶଙ୍କା ରହୁଛି । ହେଲେ ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ ।

ଯାଜପୁର ପାଟପୁର ପଂଚାୟତ ପରିସରରୁ ମଧ୍ୟ ଏମିତି ଏକ ଚିତ୍ର ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇଦେବ । ପଂଚାୟତ ଅଫିସ୍ ଭିତର ଦେଇ ଯାଇଛି ୧୧ କେଭି ବିଦ୍ୟୁତ୍ ତାର । ସତେ ଯେମିତି ଗଛ ସହ ଛନ୍ଦାଛନ୍ଦି ହୋଇ ରହିଛି ଏହି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର । ଆଉ ଏହାରି ଭିତରେ ପଂଚାୟତ ଅଫିସକୁ ଆସୁଛନ୍ତି ଲୋକ ।

ପାଟଣାଗଡରେ ରାସ୍ତାଠାରୁ ମାତ୍ର ୭ରୁ ୮ ଫୁଟ ଉଚ୍ଚରେ ଯାଇଛି ବିଦ୍ୟୁତ୍ ତାର । ହେଲେ ଏହାକୁ ଅଧିକ ଉଚ୍ଚ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ ଖୋର୍ଦ୍ଧା ବୋଲଗଡରେ ବି ସମାନ ଚିତ୍ର । ସେହିପରି ବାଙ୍କୀରେ ରାସ୍ତା ଉପରେ ଯାଉଛି ବିଜୁଳି ତାର ଏବଂ ବିପଦସଂକୁଳ ଅବସ୍ଥାରେ ପଡ଼ିଛି ଟ୍ରାନ୍ସଫର୍ମର ।

ସବୁଠାରୁ ବଡ଼ କଥା ହେଉଛି, ଯେତେବେଳେ କନକ ନ୍ୟୁଜର ଡିଜିଟାଲ୍ ଟିମ୍ ଏ ସଂପର୍କରେ ଲୋକଙ୍କ ମତାମତ ନେବା ପାଇଁ ଉଦ୍ୟମ କରିଥିଲା ସାମ୍ନାକୁ ଆସିଥିଲା ହଜାର ହଜାର ପ୍ରତିକ୍ରିୟା । ଦୁର୍ଘଟଣା ରୋକିବାକୁ ଏବଂ ଲୋକଙ୍କ ଭିତରେ ଜାଗରଣ ସୃଷ୍ଟି କରିବା ପାଇଁ ଆମେ ଫେସବୁକରେ ଏକ ବାର୍ତ୍ତା ରଖିଥିଲୁ । ଆପଣଙ୍କ ଅଂଚଳରେ ବିପଦପୂର୍ଣ୍ଣ ଭାବରେ ରହିଛି କି’ ୧୧ କେଭି ତା’ର । ଏ ସଂପର୍କରେ ସୂଚନା ଦେବାକୁ ଏକ ୱାଟ୍ସ ଆପ୍ ନମ୍ବର ଜାରି କରିଥିଲୁ । ଆଉ ଏନେଇ ଆମ ପାଖକୁ ଆସିଛି ହଜାର ହଜାର ପ୍ରତିକ୍ରିୟା । କିଏ ଭିଡିଓ ପଠାଇଛି, ତ ଆଉ କିଏ ଏ ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ପାଇଁ ନିବେଦନ କରିଛି । ବଡ଼ କଥା ହେଉଛି, ସେସୁ, ସାଉଥକୋ, ନେସ୍କୋ ଏବଂ ୱେସ୍କୋ । ଓଡ଼ିଶାର ଚାରିଆଡୁ ଆସୁଛି ପ୍ରତିକ୍ରିୟା ।