ନକଲି ସାର୍ଟିଫିକେଟ ଦେଇ ଅସଲି ଚାକିରି । ଧରାପଡ଼ିଲା ଜାଲିଆତି, ନକଲି ସାର୍ଟିଫିକେଟ ରାକେଟ୍ ଉପରେ ଚଡ଼କ

3,526

କନକ ବ୍ୟୁରୋ: ନକଲି ସାର୍ଟିଫିକେଟ୍ ଦେଇ ଅସଲି ଚାକିରି କରିଛନ୍ତି ଯୁବକ । ବଲାଙ୍ଗୀର ଡାକମଣ୍ଡଳ ଅଧୀନରେ ଚାକିରି କରିଥିବା ଏଭଳି ୫ ଜଣଙ୍କ ମୁଣ୍ଡରେ ଏବେ ଝୁଲୁଛି ଖଣ୍ଡା । ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ କିଛି ପୋଷ୍ଟ ଅଫିସ ଆସୁନଥିବା ବେଳେ ଆଉ କିଛି ଫେରାର୍ ହୋଇଯାଇଛନ୍ତି । ବଲାଙ୍ଗୀର ସହରରେ ଥିବା ଏକ କୋଚିଂ ସେଣ୍ଟରରୁ ବ୍ୟାପକ ଜାଲ ସାର୍ଟିଫିକେଟ ଓ ନକଲି ମାର୍କସିଟ୍ ଜବତ କରିଛି ପୁଲିସ୍ ।

  • ନକଲି ସାର୍ଟିଫିକେଟରେ ଅସଲି ଚାକିରି
  • ଧରାପଡ଼ିଗଲା ଜାଲିଆତି, ଚାକିରିଆ ଛୁ
  • ନକଲି ସାର୍ଟିଫିକେଟ ରାକେଟ୍ ଉପରେ ଚଡ଼କ

ବଲାଙ୍ଗୀର ସହରରେ ଥିବା ରିଲାଏନ୍ସ ଏଜୁକେସନ୍ କଂପ୍ଲେକ୍ସରେ ବୁଣା ହେଉଥିଲା ନକଲି ସାର୍ଟିଫିକେଟର ଜାଲ । ଆଉ ଜାଲ୍ ପ୍ରମାଣପତ୍ର ଦେଖାଇ ୫ଜଣ ବ୍ରାଞ୍ଚ ପୋଷ୍ଟମାଷ୍ଟର ଏବଂ ଆସିଷ୍ଟାଣ୍ଡ ପୋଷ୍ଟମାଷ୍ଟର ଚାକିରି ପାଇଁ ଯୋଗ୍ୟ ବିଚେଚିତ ହୋଇଥିଲେ । ହେଲେ ପୁରା କାହାଣୀ ସେତେବେଳେ ଧରାପଡ଼ିଥିଲା, ଯେତେବେଳେ ମାର୍କ ଲିଷ୍ଟରେ ୯୯% ନମ୍ବର ରହିଥିବା ଯୁବକ, ନିଜ କଲେଜର ନାଁ ବି କହିପାରିନଥିଲେ । ଆଉ ଏବେ ଯେତେବେଳେ ଜାଲ୍ ସାର୍ଟିଫିକେଟ ରାକେଟ୍ ପର୍ଦ୍ଦାଫାଶ ହୋଇଛି, ଚାକିରି ପାଇଥିବା ଯୁବକମାନେ କାର୍ଯ୍ୟନୁଷ୍ଠାନ ଭୟରେ ଫେରାର୍ ହୋଇଯାଇଛନ୍ତି । ଏପଟେ ଜାଲିଆତିର ପେଣ୍ଠସ୍ଥଳି ଥିବା ରିଲାଏନ୍ସ ଏଜୁକେସନ୍ କଂପ୍ଲେକ୍ସରେ ଚଢ଼ାଉ କରିଛି ପ୍ରଶାସନ ।

ବଲାଙ୍ଗୀର ଡାକମଣ୍ଡଳରେ ଚଳିତବର୍ଷ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଆଶାୟୀଙ୍କ ମଧ୍ୟରୁ ୩୭ ଜଣ ନକଲି ସାର୍ଟିଫିକେଟ୍ ଦେଇଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ସମସ୍ତେ ପ୍ରାୟ ୯୯% ନମ୍ବର ରଖିଛନ୍ତି । ଉତରପ୍ରଦେଶ, ବିହାର ଭଳି ଉତ୍ତର ଭାରତର ଶିକ୍ଷାନୁଷ୍ଠାନ ଜାରିଆରେ ଏମାନେ ଏହି ସାର୍ଟିଫିକେଟ୍ ହାସଲ କରିଛନ୍ତି । ଏନେଇ ପୋଷ୍ଟାଲ କର୍ତୃପକ୍ଷ ଥାନାରେ ଅଭିଯୋଗ କରିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି । ପୁଲିସର ଛାନଭିନରୁ ବଲାଙ୍ଗୀରର ଏହି କୋଚିଂ ସେଣ୍ଟରରୁ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ ଜାଲ ସାର୍ଟିଫିକେଟ୍ ଏବଂ ମାର୍କସିଟ୍ ଠାବ କରିଛି । ସେହିପରି ନକଲି ସାର୍ଟିଫକେଟ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଛି ।