ଅକ୍ସିଜେନ୍ ପାଇଁ ଝିଅ ବାହାଘର ସଞ୍ଚିତ ଟଙ୍କା ଦାନ କରିଦେଲେ ଚାଷୀ, କିଏ ଗାଡ଼ି ବିକିଦେଲା ଆଉ କିଏ ମୃତ୍ୟୁ ପୂର୍ବରୁ ଅନ୍ୟ ଜଣଙ୍କ ପାଇଁ ଛାଡ଼ିଦେଲା ଆଇସିୟୁ ବେଡ୍

55

କନକ ବ୍ୟୁରୋ: କୋଭିଡ୍ ଭୂତାଣୁ ଭିତରେ ‘ଅକ୍ସିଜେନ୍’ର ହାହାକାର ଦେଶକୁ ଦୁଃଖ ପରେ ଦୁଃଖ ଦେଇଚାଲିଛି । ଆଉ କରୋନାର ଏହି ଦ୍ୱିତୀୟ ଲହରରେ ଝରୁଥିବା ଲୁହ ପୋଛିବାକୁ ଦେବଦୂତ ସାଜି ଅନେକ ସାହାଯ୍ୟର ହାତ ବଢ଼ାଉଛନ୍ତି । ଆଜି ଆମେ ଆପଣଙ୍କୁ ମହାମାରୀ ବେଳେ ମହାନତାର ମନ୍ଦିର ଭିତରେ ଥିବା କିଛି ଦେବଦୂତଙ୍କ ଦର୍ଶନ କରାଇବୁ, ଯାହାଙ୍କ ବିଷୟରେ ଜାଣିଲେ ଆପଣଙ୍କ ମୁଣ୍ଡ ବି ଆପେ ଆପେ ନଇଁଯିବ ।

ଚମ୍ପାଲାଲ୍ ଗର୍ଜର, ପେଶାରେ ଜଣେ ଚାଷୀ । ଝିଅର ହାତଗଣ୍ଠି ପାଇଁ ହଳ କରି କରି ସଞ୍ଚୟ କରିଥିଲେ ୨ ଲକ୍ଷ ଟଙ୍କା । ହେଲେ ଅକ୍ସିଜେନର ହାହାକାର ଶୁଣି ସହିପାରିଲେନି ମଧ୍ୟପ୍ରଦେଶର ଚାଷୀ ଚମ୍ପାଲାଲ୍ ଗର୍ଜର । ତୁରନ୍ତ ଜିଲ୍ଲାପ୍ରଶାସନଙ୍କୁ ଭେଟି ସଞ୍ଚିତ ଥିବା ଦୁଇ ଲକ୍ଷ ଟଙ୍କା ଦାନ କରିଦେଇଛନ୍ତି ଏହି ହୃଦୟବାନ୍ ଚାଷୀ । ଏନେଇ ଚମ୍ପାଲାଲଙ୍କୁ ଭୂରୀ ଭୂରୀ ପ୍ରଂଶସା କରାଯାଉଥିବାବେଳେ ଖୋଦ୍ ଚମ୍ପାଲାଲ୍ କୁହନ୍ତି, କରୋନା କଟକଣା ପାଇଁ ମୋ ଝିଅର ବାହାଘର ଧୁମଧାମରେ ସମ୍ଭବ ହୋଇ ପାରିଲା ନାହିଁ। ତେଣୁ ଝିଅ ବିବାହକୁ ମନେ ରଖିବା ପାଇଁ ମୁଁ ଏଭଳି ନିଷ୍ପତ୍ତି ନେଲି । ଝିଅର ବିବାହ ପାଇଁ ଯାହା ଖର୍ଚ୍ଚ ହୋଇଥାଆନ୍ତା, ସେହି ଟଙ୍କା ଦ୍ୱାରା ଜଣେ ରୋଗୀଙ୍କ ଜୀବନ ବଞ୍ଚି ପାରିବ। ତାହା ମୋ ପାଇଁ ଯଥେଷ୍ଟ ।

ମହାମାରୀ ବେଳେ ଉଦାରତାର ଅନ୍ୟ ଏକ ଉଦାହଣ ହେଉଛନ୍ତି ମହାରାଷ୍ଟ୍ରରର ୮୫ ବର୍ଷୀୟ ବୃଦ୍ଧ ନାରାୟଣ ଭାଓରାଓ ଦାଭାଡେକର । ନିଜ ଜୀବନକୁ ଲୋଭ ନକରି ମୃତ୍ୟୁର କେଇ ଘଣ୍ଟା ପୂର୍ବରୁ ଅନ୍ୟ ଜଣକୁ ଆଇସିୟୁ ବେଡ୍ ଦାନ କରିଦେଲେ । ଜଣେ ଅସହାୟ ମହିଳାଙ୍କ ଆଖିରୁ ଲୁହ ଦେଖିପାରିଲେନି ବୋଲି ନିଜ ଆଇସିୟୁ ବେଡ୍ କୁ ଦାନ କରି ସବୁଦିନ ପାଇଁ ଦୁନିଆରୁ ଚାଲିଗଲେ ନାରାୟଣ । ଆଉ ନାରାୟଣଙ୍କ ମହାନତାର ମିଶାଲକୁ ଏ ମଣିଷ ଜାତି କେବେ ବି ଭୁଲିବନି ।

ସେହିଭଳି, ଅକ୍ସିଜେନର ଅଭାବ ଆଉ ବିପଦବେଳେ ପ୍ରକୃତ ସାଙ୍ଗର ସଜ୍ଞା ମଧ୍ୟ ସାରା ଦୁନିଆ ଦେଖିଛି । ନିଜ ପିଲାଦିନର ସାଙ୍ଗ କରୋନା ସଂକ୍ରମିତ ହେବା ଜାଣି ସାଙ୍ଗକୁ ବଞ୍ଚାଇବା ପାଇଁ ଅସମ୍ଭକୁ ସମ୍ଭବ କରିଦେଲେ ଝାଡ଼ଖଣ୍ଡର ଦେବେନ୍ଦ୍ର ଶର୍ମା । ହାତରେ ମାତ୍ର ୨୪ ଘଣ୍ଟା ଥିବା ଜାଣି ଦିନକରେ ୧୩୦୦ କିଲୋମିଟର କାର୍ ଚଲାଇ ସାଙ୍ଗ ପାଖରେ ପହଁଚାଇଦେଲେ ସଞ୍ଜୀବନୀ । ଆଉ ସଙ୍କଟ ସମୟରେ ସାହାଯ୍ୟର ସାକ୍ଷାତ ଦେବାତା ସାଜି ସାଙ୍ଗର ଜୀବନ ବଞ୍ଚାଇଥିବା ଦେବେନ୍ଦ୍ରଙ୍କ ବନ୍ଧୁତ୍ୱକୁ ଦେଶଭରି ବାଃ ବାଃ ମିଳୁଛି ।

ଠିକ୍ ସେହିପରି ଦ୍ୱିତୀୟ ଲହରରେ ଦୁଃଖ ଦୁର୍ଦ୍ଦଶା ଦୂର କରିବାକୁ ସାହାଯ୍ୟ ଶବ୍ଦକୋଷରେ ଆଉ ଜଣେ ବଦାନ୍ୟ ବ୍ୟକ୍ତିଙ୍କ ନାଁ ବି ଯୋଡ଼ି ହୋଇରହିଛି । ସେ ହେଉଛନ୍ତି ମୁମ୍ବାଇର ଅକ୍ସିଜେନ୍ ମ୍ୟାନ୍ ଭାବେ ପରିଚିତ ଥିବା ଶାହନବାଜ ଶେଖ। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନିଜ ବିଳାଶପୂର୍ଣ୍ଣ ୨୨ ଲକ୍ଷ ଟଙ୍କାର କାର ବିକି ମାଗଣା ଅକ୍ସିଜେନ୍‌ ଯୋଗାଉଛନ୍ତି ଏହି ବ୍ୟକ୍ତି। ଗୋଟିଏ ଫୋନ୍‌ କଲ୍‌ରେ ପୀଡିତଙ୍କ ପାଖରେ ପହଞ୍ଚାଉଛନ୍ତି ଅକ୍ସିଜେନ୍‌ । ୨୨ ଲକ୍ଷର ଏସ୍‌ୟୁଭି କାର୍‌। ଏହି କାର୍‌ ବିକ୍ରି କରି ସେ ୧୬୦ଟି ଅକ୍ସିଜେନ୍‌ ସିଲିଣ୍ଡର କିଣିଛନ୍ତି । ଯାହାଫଳରେ ୪ ହଜାର କରୋନା ରୋଗୀ ଏବେ ଶାନ୍ତିର ନିଶ୍ୱାସ ନେଉଛନ୍ତି ।

କେବଳ ଦେଶ କାହିଁକି, ଆମ ଓଡ଼ିଶାରେ ବି ଏମିତି କିଛି ହୃଦୟବାନ୍ ଲୋକ ଅଛନ୍ତି ଯେଉଁମାନେ ଆଜିର ସ୍ୱାର୍ଥପର ଦୁନିଆରେ ନିସ୍ୱାର୍ଥପର ହୋଇ ସାହଯ୍ୟ କରୁଛନ୍ତି । ଦେଶରେ ଅକ୍ସିଜେନ ଅଭାବରେ ସବୁଦିନ ଶହଶହ ଜୀବନ ଯାଉଥିବା ବେଳେ ଓଡିଶାର ରୋଗୀଙ୍କ ପାଇଁ ବରଦାନ ସାଜିଛି ଶିଖ୍ ଏଡ୍ । ସଂସ୍ଥାର ୪ ଜଣ ଯୁବକ ଘରେ ରହି ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କୁ ଅକ୍ସିଜେନ ଯୋଗାଉଛନ୍ତି । ଗୋଟିଏ ଫୋନ୍ କଲରେ ମାତ୍ର ୧୫ ମିନିଟ୍ ଭିତରେ ପହଁଚାଇ ଦେଉଛନ୍ତି ଅକ୍ସିଜେନ୍ ରୂପରେ ସଞ୍ଜୀବନି । ଠିକ୍ ସେହିଭଳି ବଡ଼ ବିପଦବେଳେ ଅନେକ ଥର ସାହାଯ୍ୟ କରିଥିବା ଆଇପିଏସ ଅଫିସର ଅରୁଣ ବୋଥ୍ରା ବି ବର୍ତ୍ତମାନର ବିପତ୍ତିରେ ସହାୟତାର ହାତ ବଢ଼ାଇଛନ୍ତି । ଦିଲ୍ଲୀରେ ରୋଗୀଙ୍କ ଦୁଃଖ ଶୁଣି ଓଡ଼ିଶାରୁ ରାତାରାତି ଅକ୍ସିଜେନ୍ ଯୋଗାଡ଼ କରିଦେଲେ ବଡ଼ ପଣର ବଡ଼ ହୃଦୟ ରଖିଥିବା ଏହି ଆଇପିଏସ ଅଫିସର ।

ଦେଶ ପାଇଁ ବିପଦବେଳର ବନ୍ଧୁଙ୍କ ତାଲିକା ବହୁତ ଲମ୍ବା, କିନ୍ତୁ ଏମିତି ଅନେକ ଦୟାବାନ୍ ଭିତରୁ ବିଦେଶୀ ବନ୍ଧୁ ବି ଭାରତକୁ ସହାୟତାର ହାତ ବଢ଼ାଇଛନ୍ତି । ଅଷ୍ଟ୍ରେଲୀୟ କ୍ରିକେଟର ପାଟ କମିନ୍ସ, ବ୍ରେଟ ଲି ଓ ବିଭିନ୍ନ ଦେଶର ସରକାର ଏବେ ଭାରତ ସରକାରଙ୍କୁ ମହାମାରୀ ମୁକାବିଲାରେ ସାଥ୍ ଦେଉଛନ୍ତି । ଅନେକ ଲୋକ ସ୍ୱଇଚ୍ଛାରେ ନିଜସ୍ୱ ଉଦ୍ୟମରେ କରୋନା ରୋଗୀଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେଉଛନ୍ତି ।

ତେବେ ଅକ୍ସିଜେନ୍, ବେଡ୍ ଓ ଇଞ୍ଜେକସନ୍ । କରୋନାର ଦ୍ୱିତୀୟ ଲହରରେ ବୋଧ୍ ହୁଏ ଭ୍ୟାକ୍ସିନ୍ ଠାରୁ ବି ଏହାର ଆବଶ୍ୟକତା ସବୁଠୁ ଅଧିକ । ଏଭଳି ବିପତ୍ତି ବେଳେ ଅନେକ ସାହାଯ୍ୟର ହାତ ବଢ଼ାଉଥିବାବେଳେ ଏହି ମହତ୍ କାର୍ଯ୍ୟ ଯୋଡ଼ି ହେଉଛି ଗୋଟିଏ ପରେ ଗୋଟିଏ ନାଁ । ଦେଶର କୋଣ ଅନୁକୋଣରୁ ପ୍ରତିଦିନ ଅକ୍ସିଜେନ୍ ଅଭାବ ପଛର କିଛି କରୁଣ କାହାଣୀ ଭିତରେ ଉଦାହରଣ ଭରା କାହାଣୀ । ଏଭଳି ଦେବଦୂତଙ୍କ ପାଇଁ ଆମେ ଯେତେ ପ୍ରଶଂସା କଲେ ବି କମ୍ ପଡ଼ିବ । ।