ଅଭାବ ପାଇଁ ଅସମ୍ଭବ ଥିଲା ଆଇଏଏସ ସ୍ୱପ୍ନ । ବହି ନଥିବାରୁ ପ୍ରସ୍ତୁତି ପାଇଁ ସୋନୁଙ୍କୁ ସାହାଯ୍ୟ ମାଗିଲେ ଛାତ୍ର । ଟ୍ୱିଟ୍ କରି ସୋନୁ କହିଲେ ଠିକଣା ଦିଅ, ତମ ଘରେ ପହଞ୍ଚାଇ ଦେବି ସବୁ ବହି…

370

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ସୋନୁ ସୁଦ । ଅଭାବୀ ଛାତ୍ରର ଆଇଏଏସ ସ୍ୱପ୍ନ ପୂରଣ କରିବାକୁ ଆଗେଇ ଆସିଲେ ସୋନୁ । ବିଭିନ୍ନ ସମୟରେ ଲୋକଙ୍କ ସମସ୍ୟାର ସମାଧାନ କରି ହୃଦୟ ଜିଣୁଥିବା ସୋନୁ ଏବେ ଆଉ ଏକ ମନଜିଣା କାମ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ୟୁପିଏସସି ପରୀକ୍ଷା ପ୍ରସ୍ତୁତି ପାଇଁ ଜଣେ ଛାତ୍ର ବହି କିଣିବାକୁ ଅସମର୍ଥ ଥିଲେ । ପ୍ରସ୍ତୁତି ପାଇଁ ପାଖରେ ବହି ନଥିବାରୁ ସେ ସୋନୁଙ୍କୁ ଟ୍ୱିଟ୍ କରି ଜଣାଇଥିଲେ ଆଉ ତା ପରେ ସୋନୁ ସାହାଯ୍ୟର ହାତ ବଢାଇଛନ୍ତି ।

ତେବେ କିଶୋର ଦେଶମୁଖ ନାମକ ଜଣେ ଛାତ୍ର ଆଇଏଏସ ପାଇଁ ପ୍ରସ୍ତୁତୀ ଚଳାଇଛନ୍ତି । ମାତ୍ର ଅଭାବ ପାଇଁ ସେ ବହି କିଣିପାରୁନଥିବାରୁ ସେ ସୋନୁଙ୍କୁ ଟ୍ୱିଟ୍ କରି ଅନୁରୋଧ କରିଥିଲେ କି, ସୋନୁ ସାର୍ ଦୟାକରି ମତେ କିଛି ୟୁପିଏସସି ବହି କିଣିବାରେ ସାହାଯ୍ୟ କରନ୍ତୁ । ବହି ନାହିଁ ବୋଲି ମୁଁ ଭଲଭାବେ ପ୍ରସ୍ତୁତି କରିପାରୁନି । ଦୟାକରି ମତେ ବହି କିଣିବାରେ ସାହାଯ୍ୟ କରନ୍ତୁ…

କିଶୋରଙ୍କ ଏହି ଟୁଇଟ୍ ପରେ ସଙ୍ଗେ ସଙ୍ଗେ ସାହାଯ୍ୟ ପାଇଁ ହାତ ବଢାଇଥିଲେ ସୋନୁ । ଆଉ କହିଥିଲେ, ତମ ଠିକଣା ଦିଅ, ତୁମ ଘର ଆଗରେ ପହଞ୍ଚିଯିବ ସବୁ ବହି । ସାହାଯ୍ୟର ଏହି ଅଭୟବାଣୀ ସହ ସୋନୁ ଟୁଇଟ କରି ଜଣାଇଥିଲେ ।

ତେବେ ଖାଲି କିଶୋରଙ୍କ ଆଇଏଏସ ସ୍ୱପ୍ନ ପୂରା କରିବାକୁ ସୋନୁ କିଛିଦିନ ତଳେ ଜଣେ ଚାଷୀ ପରିବାରର ଦୁଇ ଭଉଣୀଙ୍କ ପାଠ ପଢିବାରେ ସାହାଯ୍ୟ କରିଥିଲେ । ଆନ୍ଧ୍ରପ୍ରଦେଶର ଜଣେ ଚାଷୀ ଅଭାବ ପାଇଁ ବଶଦ କିଣିପାରିନଥିବାରୁ ନିଜ ଦୁଇ ଝିଅଙ୍କ ସାହାଯ୍ୟରେ ବିଲରେ ହଳ କରୁଥିଲେ । ଆଉ ହଳର ଏ ହୃଦୟଥରା ଚିତ୍ର ଦେଇ ସୋନୁ ୨୪ ଘଣ୍ଟା ଭିତରେ ତାଙ୍କ ଘରେ ଏକ ଟ୍ରାକ୍ଟର ପହଞ୍ଚାଇଥିଲେ ।

ସେପଟେ ସିନେ ପରଦାରେ ଭିଲେନ ଭାବେ ଅଭିନୟ କରୁଥିବା ସୋନୁ ଏବେ ଲୋକଙ୍କ ପାଇଁ ରିଅୟ ହିରୋ ସାଜିଛନ୍ତି, ଅସହାୟଙ୍କ ଆଖିରେ ଭଗବାନ ପାଲଟିଛନ୍ତି । ଯିଏ ଯେତେବେଳେ, ଯେଉଁଠି, ଯେଭଳି ପରିସ୍ଥିତିରେ ଥାଉ ନା କାହିଁକି ଅସୁବିଧା ହେଲେ ସୋନୁଙ୍କୁ ଖୋଜୁଛନ୍ତି । ଶକ୍ତିମାନ ସିରିଏଲରେ ଯେମିତି ଯାହା ସମସ୍ୟା ହେଲେ ଲୋକେ ଶକ୍ତିମାନଙ୍କୁ ଡାକନ୍ତି ଆଉ ଶକ୍ତିମାନ ବି ସଙ୍ଗେସଙ୍ଗେ ପହଞ୍ଚିଯାଆନ୍ତି । ଠିକ୍ ସେମିତି ସୋନୁ ଏବେ ଶକ୍ତିମାନ ସାଜିଛନ୍ତି ଆଉ ଯିଏ ଯେତେବେଳେ ଅସୁବିଧାରେ ପଡିଡାକୁଛି ସୋନୁ ତାକୁ ସଙ୍ଗେସଙ୍ଗେ ସାହାଯ୍ୟ କରୁଛନ୍ତି । ଏମିତି ଲାଗୁଛି ସାହାଯ୍ୟର ଅନ୍ୟ ନାଁ ସୋନୁ ସୁଦ୍