କରୋନା ପାଇଁ ଛଟେଇ କରିଦେଲା କମ୍ପାନୀ, ହାର୍ ନମାନି ପରିବାର ପାଇଁ ପରିବା ବିକିଲେ ଇଞ୍ଜିନିୟର ଯୁବତୀ । ରାସ୍ତାକଡେ ଯୁବତୀଙ୍କ ସଙ୍ଘର୍ଷର ସାହସ ଦେଖି ସାହାଯ୍ୟ କଲେ ସୋନୁ ସୁଦ୍ । ସଙ୍ଗେ ସଙ୍ଗେ ଦେଲେ ଚାକିରି ।

817

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ସୋନୁ ସୁଦ । ପରିବା ବିକାଳୀଙ୍କୁ ଚାକିରି ଦେଇ ପୁଣି ପ୍ରଶଂସା ସାଉଟିଲେ ଶ୍ରମିକଙ୍କ ଭଗବାନ ସୋନୁ ସୁଦ୍ । ହାଇଦ୍ରାବାଦର ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଚାକିରି ଦେଇ ସାହାଯ୍ୟ କରିଛନ୍ତି ସୋନୁ । ଜଣେ ଯୁବତୀ ରାସ୍ତାକଡରେ ପରିବା ବିକୁଥିବା ନେଇ ସୋସିଆଲ ମିଡିଆର ଉକ୍ତ ଭିଡିଓକୁ ଛାଡି ସୋନୁ ସୁଦଙ୍କୁ ଟୁଇଟରରେ ଟ୍ୟାଗ୍ କରିଥିଲେ ବ୍ୟବହାରକାରୀ । ଆଉ ଲେଖିଥିଲେ ପ୍ରିୟ ସୋନୁ ସୁଦ୍ ଇଏ ହେଉଛନ୍ତି ସାରଦା । ଯାହାଙ୍କୁ କରୋନା କାଳରେ ତାଙ୍କ କମ୍ପାନୀ ଚାକିରିରୁ ବାହାର କରିଦେଇଛି । ଆଉ ସେ ଚାକିରି ହରାଇବା ପରେ ହାରି ନଯାଇ ପରିବା ବିକୁଛନ୍ତି । ନିଜ ପରିବାର ଚଳାଇବା ପାଇଁ ହାଡଭଙ୍ଗା ପରିଶ୍ରମ କରୁଛନ୍ତି । ଯଦି ଆପଣ ଉକ୍ତ ଯୁବତୀଙ୍କୁ କିଛି ସାହାଯ୍ୟ କରନ୍ତେ ତେବେ ସେ ଉପକୃତ ହୁଅନ୍ତେ…

ଟ୍ୱିଟରରେ ଉକ୍ତ ଭିଡିଓ ସହ ଯୁବତୀଙ୍କ ପ୍ରତି କରାଯାଇଥିବା ନିବେଦନ ଦେଖି ସାହାଯ୍ୟ କରିଥିଲେ ସୋନୁ । ଆଉ ଉକ୍ତ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଅନୁରୋଧମୂଳକ ଟୁଇଟରର ଉତ୍ତରରେ ଲେଖିଥିଲେ, ମୋ ଅଫିସର ସେ ଯୁବତୀଙ୍କୁ ଭେଟି ସାରିଛନ୍ତି । ତାଙ୍କ ଇଣ୍ଟରଭ୍ୟୁ ବି ନେଇ ସାରିଛନ୍ତି । କେବଳ ଏତିକି ନୁହେଁ ସାରଦାଙ୍କୁ ଚାକିରି ବି ମିଳି ସାରିଛି ବୋଲି ସୋନୁ ଲେଖିଛନ୍ତି ।

ତେବେ ଗତ କିଛି ଦିନ ତଳେ ପ୍ରବାସୀଙ୍କୁ ଚାକିରି ଦେବାକୁ ନୂଆ ଅଭିଯାନ ଆରମ୍ଭ କରିଥିଲେ ସୋନୁ । ଘରେ ପହଞ୍ଚାଇଥିବା ଶ୍ରମିକଙ୍କୁ ରୋଜଗାର ଦେବାକୁ ମିଶନ ପ୍ରବାସୀ ରୋଜଗାର ଆରମ୍ଭ କରିଥିଲେ । କରୋନା କଟକଣା ପାଇଁ ଅନେକ ଲୋକ କାମଧନ୍ଦା ହରାଇଥିବାରୁ ସେମାନଙ୍କୁ ପୁଣି ଥରେ ଚାକିରି ଦେବାକୁ ସୋନୁ ମିଶନ ପ୍ରବାସୀ ରୋଜଗାର ଆରମ୍ଭ କରିଥିଲେ । ଆଉ ଏବେ ଯୁବତୀଙ୍କୁ ଚାକିରି ଦେଇ ଚର୍ଚ୍ଚାକୁ ଆସିଛନ୍ତି ସୋନୁ ।

ସେପଟେ ମହାମାରୀ ବେଳେ ଅନେକ ଲୋକ ଅନେକ ସମସ୍ୟାରେ ଯୁଝି ହେଉଛନ୍ତି । କିଏ ଖାଇବାକୁ ପାଉନି, ତ କିଏ ଚାକିରି ପାଉନି ତ କାହା ପାଖରେ ଟଙ୍କା ନଥିବାରୁ ଚାଷ କରିପାରୁନି । ଦୁଇ ଦିନ ତଳେ ଆନ୍ଦ୍ରପ୍ରଦେଶର ଜଣେ ଚାଷୀ ଭାଇ ଟ୍ରାକ୍ଟର ଦେଇ ମହାନତା ଦେଖାଇଥିଲେ ସୋନୁ । ଟଙ୍କା ନଥିବାରୁ ବଳଦ କିଣି ନପାରି ନିଜ ଦୁଇ ଝିଅଙ୍କୁ ନେଇ ହଳ କରୁଥିଲେ ଚାଷୀ । ତେବେ ହଳର ସେ ହୃଦୟଥରା ଚିତ୍ର ଦେଇ ଏକ ଟ୍ରାକ୍ଟର କିଣି ପଠାଇଥିଲେ ସୋନୁ । ପୂର୍ବରୁ ମୁମ୍ବାଇର ଏକ କୁନି ଝିଅର ଗୁହାରୀ ଶୁଣି ପାଣି ଗଳୁଥିବା ତାଙ୍କ ଚାଳ ଘରକୁ ଛାତ କରିବାର ପ୍ରତିଶ୍ରୁତି ଦେଇ ମନ ଜିଣିଥିଲେ ସୋନୁ । ଆଉ ଏବେ ପରିବା ବିକାଳୀ ପାଠୁଆ ଯୁବତୀଙ୍କୁ ଚାକିରି ଦେଇ ପୁଣି ହୃଦୟ ଜିଣିଛନ୍ତି ।

Comments are closed.