ଏମାନେ ଥିଲେ ଡରାଇ ପାରେନି ବନ୍ୟା, ବାତ୍ୟା... ପ୍ରଣାମ ବିପର୍ଯ୍ୟୟ ବେଳର ବାହୁବଳୀ

Advertisment
ଏମାନେ ଥିଲେ ଡରାଇ ପାରେନି ବନ୍ୟା, ବାତ୍ୟା... ପ୍ରଣାମ ବିପର୍ଯ୍ୟୟ ବେଳର ବାହୁବଳୀ

କନକ ବ୍ୟୁରୋ: ଯେବେଯେବେ ବିପତ୍ତି, ବିପର୍ଯ୍ୟୟ ମାଡି ମାଡି ଆସିଛି ସେବେସେବେ ବିପଦ ବେଳର ବନ୍ଧୁ ସାଜିଛନ୍ତି ଏମାନେ । ଦୁର୍ଦ୍ଦିନ, ଦୁଃସମୟର ଦେବଦୂତ ସାଜିଛନ୍ତି ଏମାନେ... ସେ ବର୍ଷା ହେଉ କି ବନ୍ୟା ଅବା ହେଉ ବାତ୍ୟା.. କାଳର ରୂପ ଯେତେ କରାଳ ହେଉ ନା କାହିଁକି, ସଙ୍କଟ ଯେଉଁ ପରିସ୍ଥିତିରେ ଆସୁ ନା କାହିଁକି.. ସବୁଠି ଉଦ୍ଧାରର ଅସ୍ତ୍ର ଧରି ପହଞ୍ଚିଯାଆନ୍ତି ଉଦ୍ଧାରକାରୀ ଦଳ । ପରର ଜୀବନ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରନ୍ତି, ନିଜ ଜୀବନକୁ ପାଣି ଛଡାଇ ପାଣି ପବନ ସହ ସାମ୍ନାସାମ୍ନି ହୁଅନ୍ତି ବିପର୍ଯ୍ୟୟ ବେଳର ବାହୁବଳୀ ଯୋଦ୍ଧା ।

ଫୋନି, ଫାଇଲିନ, ହୁଡହୁଡ, ତିତଲି, ଅମ୍ଫାନ, ୟାସ ଆଉ ଏବେ ବାତ୍ୟା ଗୁଲାବ... ସମୁଦ୍ର ମଝିରୁ ଯେବେ ବି ବାତ୍ୟା ସ୍ଥଳଭାଗକୁ ମାଡି ଆସିଛି ସେବେ ସାଧାରଣ ଲୋକଙ୍କ ଧନଜୀବନର ସୁରକ୍ଷା ପାଇଁ ସଜାଗ ହୁଅନ୍ତି ସରକାର । ଆଉ ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ନାରାକୁ କାମରେ ପରିଣତ କରିବାକୁ ଅଣ୍ଟା ଭିଡି ଆଗେଇ ଯାଆନ୍ତି ଓଡ୍ରାଫ ଟିମ୍, ଅଗ୍ନିଶମ ବାହିନୀ. ଏନଡିଆରଏଫ ଟିମ୍ ଆଉ ପୋଲିସ କର୍ମଚାରୀ । ବାତ୍ୟା, ବନ୍ୟା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଉ କି ବାତ୍ୟା ପରର ଉଦ୍ଧାର କାମ । ସବୁବେଳେ ଲୋକଙ୍କ ପାଖେ ପାଖେ ଥାଆନ୍ତି ମଣିଷ ରୂପୀ ଏ ଦେବଦୂତ ।

publive-image

ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରିର ବିଭିନ୍ନ ସ୍ଥାନରେ ପଡିଛି ବାତ୍ୟାର ପ୍ରଭାବ । ଗୁଲାବ ଓଡିଶା ଅତିକ୍ରମ କରି ଗତିକଲା ବେଳେ ବିଭିନ୍ନ ସ୍ଥାନରେ ପ୍ରଳୟର ପଦଚିହ୍ନ ଛାଡି ଯାଇଛି । କେଉଁଠି ଉପୁଡି ପଡିଛି ବଡ ବଡ ଗଛ, କେଉଁଠି ଧସିଯାଇଛି ମାଟି । ବର୍ଷା ପାଇଁ ଗଜପତି ଜିଲ୍ଲାରେ ଭୂସ୍ଖଳନ ହୋଇଛି । ପାହାଡିଆ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଆଉ ଅଘଟଣ ପରେ ଘଟଣାସ୍ଥଳରେ ଓଡ୍ରାଫ ଟିମ୍ ପହଞ୍ଚି ପୁନରୁଦ୍ଧାର କାମ କରିଥିଲା । ସେହିପରି କୋରାପୁଟରେ ଗଛ ପଡି ଜାତୀୟ ରାଜପଥ ଅବରୋଧ ହୋଇଥିଲା । ଯାହାକୁ ଅଗ୍ନିଶମ ବିଭାଗ ହଟାଇଥିଲା । ସବୁଠାରୁ ବଡ କଥା ହେଉଛି ବାତ୍ୟା ଆସିବା ଆଗରୁ ଉଦ୍ଧାର କରାଯାଇଥିବା ଗର୍ଭବତୀ ମହିଳା ସୁରକ୍ଷିତ ଜନ୍ମ କରିଛନ୍ତି ଶିଶୁ । ସଙ୍କଟ ବେଳେ ଏହି ଦେବଦୂତମାନଙ୍କ ତ୍ୟାଗ ପାଇଁ ମାଆ କୋଳରେ କୁଆଁ କୁଆଁ କରୁଛି ଶିଶୁ । ଅସମୟରେ ଆମ ଜୀବନକୁ ରକ୍ଷା କରୁଥିବା, ଜୀବୀକାକୁ ସୁରକ୍ଷା ଦେଉଥିବା ଓ ବିପର୍ଯ୍ୟୟ ପରେ ଭାଙ୍ଗି ପଡିଥିବା ମେରୁଦଣ୍ଡକୁ ସଜାଡୁଥିବା ଏହି ବାହୁବଳୀମାନଙ୍କୁ ଶତ ଶତ ପ୍ରଣାମ... ସତରେ ଯଦି ଏମାନ୍ତେ ନଥାନ୍ତେ, କିଏ ହୁଅନ୍ତା ବିପଦ ବେଳର ବନ୍ଧୁ, ସଙ୍କଟ ସମୟର ସାଥି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe