କନକ ବ୍ୟୁରୋ : ବାଂଲାଦେଶ ପଟୁ ଓଡ଼ିଶାକୁ ନୂଆ ବିପଦ। ଉଗ୍ରବାଦୀ ସଙ୍ଗଠନ ଜମାତ୍ ଉଲ୍ ମୁଜାହିଦ୍ଦିନ୍ର ୧୦୦ରୁ ଅଧିକ ସଦସ୍ୟ ଭାରତରେ ପଶିଛନ୍ତି। ସେମାନେ ଝାଡ଼ଖଣ୍ଡ, ଆସାମ କିମ୍ବା ଓଡ଼ିଶାରେ ଥାଇପାରନ୍ତି। ବାଲେଶ୍ବରରେ ହଜାର ହଜାର ସଂଖ୍ୟାରେ ବାଂଲାଦେଶୀ ରହୁଥିବାରୁ ସେମାନଙ୍କ ମଧ୍ୟରୁ କିଛି ଯେ ଏଠାକୁ ଆସିନଥିବେ ସେ ଆଶଙ୍କାକୁ ଏଡ଼ାଇ ହେବନାହିଁ। ଏ କଥା ଗଲା ଅକ୍ଟୋବରରୁ ଚେତାଇ ଦେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)। କିନ୍ତୁ ସତରେ କ’ଣ ପୁଲିସ ଚେତିଛି? ଓଡ଼ିଶା-ପଶ୍ଚିମବଙ୍ଗର ପ୍ରବେଶ ଦ୍ବାର କୁହାଯାଉଥିବା ବାଲେଶ୍ବରରେ ତଟକୂଳ ସୁରକ୍ଷା ବ୍ୟବସ୍ଥାକୁ ଦେଖିଲେ ଏହାର ଉତ୍ତର ମିଳିଯିବ। ପର୍ଯ୍ୟାପ୍ତ ଦୂରେ ଥାଉ, ଅଧା କର୍ମଚାରୀରେ ଚାଲିଛି ସବୁ ସାମୁଦ୍ରିକ ଥାନା। ଗୋଟିଏ ପଟେ ବାଂଲାଦେଶୀ ଆତଙ୍କବାଦୀ, ଅନୁପ୍ରବେଶକାରୀ; ଅନ୍ୟପଟେ ମେଲାମୁକୁଳା ତଟକୂଳ। ଯାହା ଉପକୂଳ ଅଞ୍ଚଳର ଧନଜୀବନ ସୁରକ୍ଷା ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ।
ବାଲେଶ୍ବର ଜିଲ୍ଲାରେ ଦୀର୍ଘ ୮୪ କିଲୋମିଟର ଯାଏ ଲମ୍ବିଛି ସମୁଦ୍ର। ତଟବର୍ତ୍ତୀ ଇଲାକାର ସୁରକ୍ଷା ପାଇଁ ଏଠାରେ ରହିଛି ୩ ସାମୁଦ୍ରିକ ଥାନା, କିନ୍ତୁ ସବୁ ମୁକୁଳା। କୌଣସି ଗୋଟିଏ ଥାନାରେ ବି ନାହାନ୍ତି ଆବଶ୍ୟକ ମୁତାବକ କର୍ମଚାରୀ। ପାଟ୍ରୋଲିଂ ପାଇଁ ନା ଅଛି ଗାଡ଼ି, ନା ଅଛି ସ୍ପିଡ୍ ବୋଟ୍। ହାତରେ ସେମିତି ଅସ୍ତ୍ରଶସ୍ତ୍ର ବି ନାହିଁ। ଚାନ୍ଦିପୁରରେ ରହିଛି କ୍ଷେପଣାସ୍ତ୍ର ଘାଟୀ। ପ୍ରତିରକ୍ଷା ଦୃଷ୍ଟିରୁ ସବୁଠାରୁ ଅଧିକ ସମ୍ବେଦନଶୀଳ ଏ ସ୍ଥାନ। ଖାଲି ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନୁହେଁ, ବ୍ରାଉନ୍ସୁଗାର୍ ଭଳି ମାରାତ୍ମକ ଡ୍ରଗସ୍ ବି ଏଇ ବାଟ ଦେଇ ଆସୁଛି। ସାମୁଦ୍ରିକ ସୁରକ୍ଷାକୁ ଭେଦ କରି ବାଲେଶ୍ବର ଉପକୂଳ ଦେଇ ଓଡ଼ିଶାରେ ପଶୁଥିବାର ନଜିର ମଧ୍ୟ ରହିଛି। ବିଭିନ୍ନ ସମୟରେ ବାଲେଶ୍ବରଠାରୁ କେନ୍ଦ୍ରାପଡ଼ା ମଧ୍ୟରେ ଅତି କମରେ ୫୦ ହଜାର ବାଂଲାଦେଶୀ ପଶିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଜାଲ, ଛଦ୍ମ ନାମରେ ଏଠାରେ ରହିଛନ୍ତି। ଏହାର ହିସାବ କାହାପାଖରେ ନାହିଁ। ଏମିତି ସଂକଟରେ ହୁଗୁଳା ବ୍ୟବସ୍ଥା ସାମୁଦ୍ରିକ ସୁରକ୍ଷାକୁ ଆହୁରି ବିପନ୍ନ କରିଛି।
୨୦୦୮ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ କେନ୍ଦ୍ର ସରକାର ଉପକୂଳ ସୁରକ୍ଷାକୁ ଗୁରୁତ୍ବ ଦେବା ସହ ରାଜ୍ୟ ସରକାରଙ୍କୁ ସାମୁଦ୍ରିକ ଥାନା ପ୍ରତିଷ୍ଠା ପାଇଁ ନିର୍ଦେଶ ଦେଇଥିଲେ। ଏହା ପରେ ବଳରାମଗଡ଼ି ସାମୁଦ୍ରିକ ଥାନାର ଲୋକାର୍ପଣ କରିଥିଲେ ରାଜ୍ୟ ସରକାର। ଆରମ୍ଭରୁ ଏହି ଥାନାରେ ଜଣେ ଇନ୍ସପେକ୍ଟର, ୬ ଜଣ ସବ୍ଇନ୍ସପେକ୍ଟର, ୬ ଜଣ ଏଏସ୍ଆଇ, ୧୭ ଜଣ ହାବିଲଦାର ଓ ୪୮ ଜଣ କନେଷ୍ଟବଳ ନିଯୁକ୍ତି ପାଇଥିଲେ। ଏହାବ୍ୟତୀତ ସେମାନଙ୍କୁ ୨ଟି ପୁଲିସ ଭ୍ୟାନ୍, ୨ଟି ବୋଟ୍ ମଧ୍ୟ ଦିଆଯାଇଥିଲା। ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ନଜର ରଖିବା ପାଇଁ ୧୬ ଜଣ ଅବସରପ୍ରାପ୍ତ ନୌସେନା ଯବାନ ବି ଏଠାରେ ନିଯୁକ୍ତି ପାଇଥିଲେ। ଏହାପରେ ୨୦୧୪ରେ ତାଳସାରୀ ସାମୁଦ୍ରିକ ଥାନା ପ୍ରତିଷ୍ଠା କରାଗଲା।
ବଳରାମଗଡ଼ି ଭଳି କଷାଫଳରେ ମଧ୍ୟ ସମାନସଂଖ୍ୟକ ପୁଲିସ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି ପାଇଲେ। ତାଳସାରୀରେ ଜଣେ ଇନ୍ସପେକ୍ଟରଙ୍କୁ ନିଯୁକ୍ତି ଦିଆଗଲା। କିଛି ମାସ ଠିକ୍ଠାକ୍ ଚାଲିବା ପରେ ଥାନାଗୁଡ଼ିକରୁ କର୍ମଚାରୀ କମେଇଦେଲେ ସରକାର। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଥାନା ଅସ୍ତ୍ରାଗାରରେ କିଛି ଅସ୍ତ୍ରଶସ୍ତ୍ର ନାହିଁ। ବିନା ଅସ୍ତ୍ରରେ ଅସାମାଜିକ ତତ୍ତ୍ବଙ୍କ ସହ ପୁଲିସ ଲଢେଇ କେମିତି କରିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ବାଲେଶ୍ବର ଏସ୍ପି ବି. ଯୁଗଳକିଶୋର କର୍ମଚାରୀ ଅଭାବକୁ ସ୍ବୀକାର କରିଛନ୍ତି। କହିଛନ୍ତି, ଅଧିକ ପୁଲିସ କର୍ମଚାରୀଙ୍କର ଆବଶ୍ୟକତା ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/4-1.jpg)