ପ୍ରକୃତ ଗରିବଙ୍କ ପାଇଁ ସ୍ୱପ୍ନ ପାଲଟିଛି ସରକାରୀ ଯୋଜନା । ଛପର ନଥିବା ଘରେ ରହୁଛନ୍ତି ବୁଢି ମାଆଙ୍କ ସହ ଦୁଇ ଦୁଇ ବଢିଲା ଝିଅ, ମିଳୁନି ଖଣ୍ଡେ ଘର

97

କନକ ବ୍ୟୁରୋ : ଭଙ୍ଗା ଦଦରା ମାଟି ଘର । ଘର ଉପରୁ ଛପର ଉଡିଗଲାଣି । ବର୍ଷା ଦିନରେ ପଲିଥିନ୍ ପକାଇ ଏଠାରେ ଜୀବନ ବିତାଉଛନ୍ତି ୩ ମହିଳା । ବୃଦ୍ଧା ମାଆ ସହିତ ରହୁଛନ୍ତି ଦୁଇ ବଢିଲା ଝିଅ । ବଡ଼ କଷ୍ଟରେ ଜୀବନ କାଟୁଛନ୍ତି ଢ଼େଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ଗାଁର ନଳିତା ନାଏକଙ୍କ ପରିବାର । ପ୍ରାୟ ୨୦ ବର୍ଷ ହେଲାଣି ସ୍ୱାମୀ ଲୋଚନ ନାଏକ ଆର ପାରିକୁ ଚାଲି ଗଲେଣି । ଆଉ ଘରେ ଏବେ ବୃଦ୍ଧା ମା ନଳିତା ସହିତ ଦୁଇ ଝିଅ ଅଞ୍ଜଳି ଓ ଟିକି । ସାନ ଝିଅ ଟିକି କଥା କହି ପାରେ ନାହିଁ । ଏତେବଡ଼ ଦୁନିଆରେ ଅସହାୟ ଅବସ୍ଥାରେ ଜୀବନ କାଟୁଛନ୍ତି ମା ଓ ୨ ଝିଅ ।

ଗରିବ ସତ କିନ୍ତୁ ସରକାରୀ ବାବୁଙ୍କ ତାଲିକାରେ ଏମାନଙ୍କ ନାଁ ନାହିଁ । ପୂର୍ବରୁ ଭତା ଆଉ ଚାଉଳ ପାଉଥିବା ବେଳେ ଏବେ ଆଉ ତାହା ମିଳୁନାହିଁ । ଅଧା ଭଙ୍ଗା ଘରେ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି ୩ ମହିଳା । ମୁଣ୍ଡ ପିଛା ଚାଉଳ ବଦଳରେ ତାଙ୍କୁ ଅର୍ନ୍ତଦୋୟ ଯୋଜନାରେ ସାମିଲ କରିବାକୁ ସେମାନ ଗୁହାରୀ କରିଛନ୍ତି । ଗ୍ରାମବାସୀ ମଧ୍ୟ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ତାଙ୍କୁ ଘର ଖଣ୍ଡିଏ ଦେବାପାଇଁ । ତେବେ ତାଙ୍କୁ ସରକାରୀ ଯୋଜନାରେ ସାମିଲ କରିବା ସହ ଅର୍ନ୍ତଦୋୟ ଯୋଜନାରେ ମଧ୍ୟ ସାମିଲ କରାଯିବ । ଆଉ ଘର ପାଇଁ ନିୟମ ଅନୁସାରେ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି କାମାକ୍ଷାନଗର ଉପଜିଲ୍ଲାପାଳ ।

ଏସବୁ ଭିତରେ ସରକାର କେବେ ଏମାନଙ୍କୁ ଗୁହାରି ଶୁଣୁଛନ୍ତି ଏବଂ ଆଉ କେତେଶିଘ୍ର ଯୋଜନା ଅନ୍ତଭୁନ୍ତ ହେଉଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା ।