କନକ ବ୍ୟୁରୋ : ଛପର ନଡା ସଢି ଘାସ ଉଠିଲାଣି । ବର୍ଷାରୁ ରକ୍ଷା ପାଇଁ କିଛି ସ୍ଥାନରେ ଜରି ଘୋଡାଯାଇଛି । କାଳେ ଛିଣ୍ଡା ଜରିକୁ ପବନ ଉଡାଇ ନେବ, ସେଇଥିପାଇଁ ବନ୍ଧା ହୋଇଛି ସାଇକେଲ ଟାୟାର । ମାଟି କାନ୍ଥ ଫାଟି ଆଁ କରିଛି । ଘର ଭିତରେ ଛପର ଫାଙ୍କରୁ ପଶି ଆସୁଛି ସୂର୍ଯ୍ୟ କିରଣ । ଆଶ୍ଚର୍ଯ୍ୟର କଥା ଏହି ଗରିବ ପରିବାର ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ଯୋଗ୍ୟ ହୋଇପାରୁ ନାହାନ୍ତି ।

Advertisment

ଭାଗ୍ୟକୁ ନିନ୍ଦି ଏହି ଭଙ୍ଗା କୁଡିଆରେ ରହୁଛନ୍ତି କଟକ ଜିଲ୍ଲା କୋଲଣ ପଂଚାୟତ କୁଳିଆ ଗାଁର ରମେଶ ପୃଷ୍ଟିଙ୍କ ପରିବାର । ସଂପତି କହିଲେ ଏହି ଭଙ୍ଗା କୁଡିଆ । ମଜୁରି ଲାଗିଲେ ଘରେ ଚୁଲି ଜଳୁଛି । ଘର ଭିତରୁ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖୁଛନ୍ତି ସିନା । ପକ୍କା ଘରର ସ୍ୱପ୍ନ ଦେଖିପାରୁ ନାହାନ୍ତି । କାରଣ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ବାରମ୍ବାର ଦୌଡିବା ସତ୍ୱେ ରମେଶଙ୍କୁ କେବଳ ପ୍ରତିଶ୍ରୁତି ମିଳିଛି ।

ପକ୍କା ଘର ଖଣ୍ଡେ ପାଇବାକୁ ସ୍ଥାନୀୟ ଜନପ୍ରତିନିଧିଠୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପାଖକୁ ବାରମ୍ବାର ଦୌଡିଛନ୍ତି ରମେଶ । ତାଙ୍କୁ ପ୍ରତିଶ୍ରୁତି ମିଳିଛି ଘର ମିଳୁ ନାହିଁ । ଅନ୍ୟପଟେ ଗ୍ରାମବାସୀ ମଧ୍ୟ ରମେଶକୁ ସରକାରୀ ଯୋଜନାରେ ସାମିଲ କରି ପକ୍କା ଘର ଦେବାକୁ ଦାବି କରିଛନ୍ତି ।

ସରକାରଙ୍କ ପକ୍କା ଘର ଯୋଜନାରେ ଅନେକ ଅଯୋଗ୍ୟ ହିତାଧିକାରୀ ଘର ପାଉଛନ୍ତି । କିନ୍ତୁ ପ୍ରକୃତ ହିତାଧିକାରୀ ଦୌଡି ଦୌଡି ଚପଲ ଛିଣ୍ଡିଯାଉଛି ସିନା ଘର ମିଳିପାରୁ ନାହିଁ ।