କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହୋଇନଥିଲେ ବି ଏବେଠାରୁ ରାଜ୍ୟରେ ନିର୍ବାଚନୀ ମାହୋଲ ଜୋର ଧରିଛି । ଏହି କ୍ରମରେ ସେଠାରେ ବିଜେପି କଂଗ୍ରେସ ପରିବର୍ତ୍ତେ ଏଥର ବିଜେପି ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ଜୋରଦାର ଟକ୍କର ହେବ ବୋଲି ଆକଳନ କରାଯାଇଛି । ଏହି କ୍ରମରେ ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବାରମ୍ବାର ଗୁଜରାଟ ଗସ୍ତ କରି ଦଳର ସଂଗଠନକୁ ମଜବୁତ କରିବାକୁ ଚେଷ୍ଟା କରୁଥିବା ବେଳେ ଏବେ ଗୁଜରାଟ ନିର୍ବାଚନରେ ଦଳ ତରଫରୁ ଯୁବନେତା ରାଘବ ଚଡ୍ଡାଙ୍କୁ ଗୁରୁଦାୟୀତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏନେଇ ଦଳ ତରଫରୁ ଖୁବଶୀଘ୍ର ଘୋଷଣା ହୋଇପାରେ । ସେପଟେ ଏନେଇ ନିଜେ ରାଘବ ଚଡ୍ଡା ବି ଏକ ଟ୍ୱିଟ୍ କରିଛନ୍ତି ।

Advertisment

ରାଘବ ଚଡ୍ଡା ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତି କି “ ଗୁଜରାଟ ବାସୀ ସରକାର ବଦଳାଇବାକୁ ମନ ସ୍ଥିର କରିସାରିଛନ୍ତି, ତେଣୁ ସେଠାରେ ଆମ୍ ଆଦମୀ ପାର୍ଟି ମଜବୁତ ସହକାରେ ବିଜେପି ବିରୋଧରେ ଲଢିବ, ଏହି ଲଢେଇରେ ଦଳ ମୋତେ ଯେଉଁ ଦାୟୀତ୍ୱ ଦେବ ତାହାକୁ ମୁଁ ସ୍ୱୀକାର କରିବି” ।

ଆମ୍ ଆଦମୀ ପାର୍ଟିର ଯୁବନେତା ରାଘବ ଚଡ୍ଡା ଯୁବପୀଢିଙ୍କର ବେଶ୍ ପଶନ୍ଦ । ଅନ୍ୟପଟେ ପଞ୍ଜାବ ବିଧାନସଭା ନିର୍ବାଚନରେ ରାଘବଙ୍କୁ ଦଳ ଯେଉଁ ଦାୟୀତ୍ୱ ଦେଇଥିଲା ତାହା ସେ ସୂଚାରୁରୂପେ ନିଭାଇବା ସହ ସେଠାରେ ସରକାର ଗଠନ କରିବାରେ ସଫଳ ହୋଇଥିଲେ । ଏହାସହ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ନିକଟତମ ବୋଲି ମଧ୍ୟ ଜଣାଯାଏ । ଏସବୁକୁ ନଜର କଲେ ରାଘବ ଚଡ୍ଡାଙ୍କୁ ଦଳ ଗୁଜରାଟ ନିର୍ବାଚନରେ ଗୁୁରୁଦାୟୀତ୍ୱ ଦେଇପାରେ ବୋଲି ଆକଳନ କରାଯାଉଛି ।