ଦିନକ ପରେ ବଡ଼ ଦାଣ୍ଡରେ ଗଡ଼ିବ ରଥ । ବଡଦାଣ୍ଡରୁ ଆସିଲା କାଳିଆ ପ୍ରେମର ୪ଟି ରୋଚକ କାହାଣୀ।

221

କନକ ବ୍ୟୁରୋ: ସାଆନ୍ତେଙ୍କ ଯାତ୍ରାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । କରୋନା ଯୋଗୁଁ କଟକଣା ଲାଗିଛି ସତ, କିନ୍ତୁ ପରମ୍ପରା ଅତୁଟ ରହିଛି । ଖାଲି ସେତିକି ନୁହେଁ, ଏହି ସମୟରେ ବଡ଼ଦାଣ୍ଡର ଦୃଶ୍ୟ ମଧ୍ୟ ସମସ୍ତଙ୍କୁ ବିମୋହିତ କରୁଛି । ପ୍ରଭୁଙ୍କୁ ଅପେକ୍ଷା କରିଛନ୍ତି ୩ ରଥ । ଆଉ ଏହାରି ଭିତରେ କାଳିଆ ପ୍ରେମର ଅନେକ ରୋଚକ କାହାଣୀ ସାମ୍ନାକୁ ଆସିଛି ।

ରଥଯାତ୍ରା ପାଇଁ ଠାକୁରମୁଣ୍ଡା ଆଶ୍ରମରୁ ବଡଦାଣ୍ଡରେ ପହଞ୍ଚିଛନ୍ତି ବାବା ଭୈରବାନନ୍ଦ ସରସ୍ୱତୀ । ଆଉ ସାଙ୍ଗରେ ଆଣିଛନ୍ତି ୧୦ ଫୁଟର ଧୂପକାଠି । ମହୀଶୂରରୁ ଏହି ଧୂପକାଠି ଆଣିଛନ୍ତି ବାବା, ଯାହାର ଦାମ୍ ରହିଛି ୫ ହଜାର ଟଙ୍କା । ତେବେ ଏହି ଧୂପକାଠି ୭୨ ଘଣ୍ଟା ପର୍ଯ୍ୟନ୍ତ ଜଳିଥାଏ ଏବଂ ପୂର୍ବରୁ ସେ ୧୫ ଫୁଟର ଧୂପକାଠି ଆଣିଥିଲେ ବୋଲି କହିଛନ୍ତି ।

ସେହିପରି ମୁମ୍ବାଇରେ ଚାକିରି କରିଥିବା ଜଣେ ଉଚ୍ଚଶିକ୍ଷିତ ଚାକିରି ଛାଡି ଜଗା ସେବାରେ ଲାଗିଛନ୍ତି । ପୁରୀରେ ରଥ ନିର୍ମାଣ କାମରେ ଲାଗିଛନ୍ତି ଅର୍ଥନୀତିରେ ସ୍ନାତକତ୍ତୋର କରିଥିବା କମାର ସେବାୟତ ଦାଶରଥୀ ମହାରଣା । ସେ ତିନି ରଥ ପାଇଁ ୩ ଟନ୍ କଣ୍ଟା ପ୍ରସ୍ତୁତ କରୁଛନ୍ତି ଏବଂ ବାଣୀବିହାରରୁ ଅର୍ଥନୀତିରେ ପିଜି କରିଛନ୍ତି ବୋଲି କହିଛନ୍ତି ।

ଅନ୍ୟପଟେ ରଞ୍ଜିତ ମହାରଣା ଆଇନ ପାଠ ପଢି ମଧ୍ୟ କରତ କାରିଗର ଭାବେ ମହାପ୍ରଭୁଙ୍କ ସେବା କରୁଛନ୍ତି । ଖାଲି ସେତିକି ନୁହେଁ, ଦୁଇ ବର୍ଷ ଧରି କୋର୍ଟରେ ଓକିଲାତି ମଧ୍ୟ କରିଛନ୍ତି ରଞ୍ଜିତ । କିନ୍ତୁ ଏବେ ୧୪ ବର୍ଷ ହେଲା ପ୍ରଭୁ ଜଗନ୍ନାଥଙ୍କ ସେବାରେ ସେବାରେ ଲାଗିଛନ୍ତି । ଏବେ ସେ ୱାଇଜିଏଲପି ଅଫିସରେ ଚାକିରି କରନ୍ତି ହେଲେ ରଥ ସମୟରେ ଚାକିରିରୁ ଦୁଇ ମାସ ଛୁଟି ନେଇ ରଥଖଳାକୁ ଆସି କାଠ ଚିରା କାମରେ ନିୟୋଜିତ ରୁହନ୍ତି ।

ଏସବୁ ଭିତରେ ରଥଯାତ୍ରାର ସୁରକ୍ଷା ନେଇ ଆଜି ସମୀକ୍ଷା କରାଯାଇଛି । ରଥଯାତ୍ରା ପାଇଁ ପୁରୀ ସହରରେ ମୂତୟନ ହେବେ ୬୫ ପ୍ଲାଟୁନ ଫୋର୍ସ । ସହରକୁ ୧୨ଟି ଜୋନ କରାଯିବ ସହ ସହରର ମୁଖ୍ୟ ପ୍ରବେଶ ପଥ ଓ ବଡ଼ଦାଣ୍ଡ ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୂତୟନ ହେବେ । ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ୪ଜୋନ ଓ ସହର ଚତୁଃପାଶ୍ୱର୍କୁ ୮ଟି ଜୋନରେ ବିଭକ୍ତ କରାଯାଇଛି ।